ଓଡିଶାରେ କୋହଳ ହେବ ଜରିମାନା!

ଭୁବନେଶ୍ୱର୧୨/୯ : ନୂଆ ମୋଟର ଯାନ ଆଇନରେ ଆବଶ୍ୟକ କାଗଜପତ୍ର ପାଇଁ ସରକାର ୩ ମାସ ମହଲତ ଦେବା ପରେ ଏବେ ଜରିମାନା ପରିମାଣ କମାଇବାକୁ ବିଚାର କରୁଛନ୍ତି । ବିଚାର ବିମର୍ଶ ସହ ଏ ନେଇ ତର୍ଜମା ଚାଲିଛି । ଏ ସଂପର୍କରେ ସରକାର ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

ନୂଆ ମୋଟର ଯାନ ଆଇନରେ ରାଜ୍ୟ ସରକାର ଚାହିଁଲେ କିଛି ଜରିମାନା ପରିମାଣ ହ୍ରାସ କରିପାରିବାର ବ୍ୟବସ୍ଥା ରହିଛି । ଆଇନର ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି କିଛି ଜରିମାନା ଅର୍ଥ କମାଇବା ନେଇ ପରିବହନ ବିଭାଗ ବିଚାର କରୁଛି । ଏ ନେଇ ଆଇନ ବିଭାଗର ମତ ନେଇ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିପାରନ୍ତି । ଏମିିତି ଇଙ୍ଗିତ ଦେଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ।

ରାଜ୍ୟରେ ଗତ ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚଢ଼ା ଜରିମାନା ଆଦାୟ କରାଯାଇଥିଲା । ଗାଡ଼ି କାଗଜପତ୍ର ନଥିଲେ କିମ୍ବା ନିଶା ସେବନ କରି ଗାଡ଼ି ଚାଳକ ଧରା ପଡ଼ିଲେ ମୋଟା ଅଙ୍କର ଜରିମାନା ଦେଲେ । ନୂଆ ଆଇନକୁ ନେଇ ପ୍ରଥମ ତିନି ଦିନରେ କୋକୁଆଭୟ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ୩ ମାସ ପାଇଁ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବାକୁ ମହଲତ ଦେଇଛନ୍ତି । ସାଧାରଣରେ ପୁଲିସ ଓ ପରିବହନ ବିଭାଗର କଡ଼ା ଜରିମାନାକୁ ନେଇ ତୀବ୍ର ଅସନ୍ତୋଷ ପରେ ଅପେକ୍ଷାକୃତ କୋହଳ ମନୋଭାବ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଗୁଜୁରାଟ ସରକାର ଏ ନୂଆ ଆଇନ ଲାଗୁ କରିନଥିଲା ବେଳେ ଆସନ୍ତା ୧୬ରୁ ଲାଗୁ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

ତେବେ ଗୁଜୁରାଟ ସରକାର ଜରିମାନା ପରିମାଣରେ ୨୫ ରୁ ୯୦% ଯାଏ ହ୍ରାସ କରିଛନ୍ତି । ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନ ଭଳି ରାଜ୍ୟ ମଧ୍ୟ ଚଢ଼ା ଜରିମାନାରେ ସଂଶୋଧନ ଆଣିବାକୁ ବିଚାର କରୁଛନ୍ତି । ବିରୋଧୀ ଦଳ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଛନ୍ତି । ରାଜ୍ୟ ସରକାର ନିଜ ବ୍ୟବସ୍ଥା ନ ସଜାଡ଼ି ତରବରିଆ ଭାବେ ଆଇନ ଲାଗୁ କରିବା ଅପରିଣାମଦର୍ଶୀ ବୋଲି ବିରୋଧୀ ଅଭିଯୋଗ କରିବା ସହ ତୁରନ୍ତ ଜରିମାନା ଦଣ୍ଡ କୋହଳ କରିବାକୁ ଦାବି ରଖିଛନ୍ତି । ଓଡ଼ିଶା ସରକାର ଏବେ ଗୁଜୁରାଟ ମଡେଲକୁ ଆପଣାଇ ଜରିମାନା କୋହଳ କରିବେ ବୋଲି ସୂଚନା ମିଳିଛି ।

ଅପରପକ୍ଷରେ ରାଜ୍ୟଗୁଡିକର ଏଭଳି ମନୋଭାବକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ । ସେ କହିଛନ୍ତି ଜରିମାନା ବୃଦ୍ଧିର ମୂଳ ଉଦ୍ଦେଶ୍ୟ ଗାଡ଼ି ଚାଳକମାନେ ଆଇନକୁ ମାନିବେ । ମୂଲ୍ୟବାନ ଜୀବନ ରାସ୍ତାରେ ଯିବନାହିଁ । ଯଦି ଲୋକ ଆଇନ ନମାନିବେ ତେବେ ଫାଇନର ଆବଶ୍ୟକତା ନାହିଁ । ରାଜ୍ୟ ଚାହିଁଲେ ଜରିମାନା କମାଇ ପାରିବେ । ମାତ୍ର ଯାହାକିଛି ଅସୁବିଧା ହେବ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଗଡ଼କରୀ ସ୍ପଷ୍ଟ କରିଛନ୍ତି ।

   ସମ୍ବନ୍ଧିତ ଖବର


କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା

ପହିଲାରୁ କାର୍ତ୍ତିକ ବ୍ରତ ଆରମ୍ଭ: ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଗାଡ଼ି ପାର୍କିଂରୁ ନେଇ ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କଲା ପୁଲିସ୍‌, ଅନ୍ୟ କାର୍‌ ଚାଳକ ଧାରଣାରେ ବସିବା ପରେ ଭୁଲ୍ ମାଗିଲେ ପୁଲିସ୍ ବାବୁ

ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର