ଆଧାର ଲିଙ୍କ ହୋଇପାରୁନି, ଦୋଷ କାହାର ? ଭତ୍ତା ବିନା ହନ୍ତସନ୍ତ ହେଉଛନ୍ତି ବୃଦ୍ଧବୃଦ୍ଧା

ଗଣିଆ,୨୭/୦୮: ବୟସ ୯୧। ଚାଲିବାକୁ ଦେହରେ ବଳ ନାହିଁ । ଭତ୍ତା ଟଙ୍କାରେ ଔଷଧ ଖର୍ଚ୍ଚ ଚଳି ଯାଉଥିଲା। ପାଖରେ ଥିବା ଆଧାର କାର୍ଡଟି ହଜି ଯିବାରୁ ଆଧାର ଲିଙ୍କ୍‌ ହୋଇ ପାରି ନଥିଲା। ଏପଟେ ନୂଆ ଆଧାର କାର୍ଡ କରିବାକୁ ଦୁଇ ଦୁଇ ଥର ଯାଇ ଚିରକୁଟ ପାଇଥିଲେ ବି ଅଧାର କାର୍ଡ ହୋଇ ପାରିନଥିଲା । ଏହାକୁ ନେଇ ଚଳିତ ମାସରେ ତାଙ୍କୁ ଭତ୍ତା ମିଳି ନାହିଁ । ଆଧାର ଲିଙ୍କ୍‌ ହୋଇ ନଥିବାରୁ ଭତ୍ତା ନଦେଇ ପଞ୍ଚାୟତ କାର୍ଯ୍ୟାଳୟରୁ ଫେରାଇ ଦେଇଥିଲେ ଅଧିକାରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗ୍ରାମରେ।

ଅଭିଯୋଗ ଅନୁଯାୟୀ, କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗ୍ରାମର ଜେମା ବେୱା (୯୧) ଓ ସୁବର୍ଣ୍ଣା ଦେଈ(୮୬) ଭତ୍ତା ବାବଦରେ ମାସକୁ ୭୦୦ଲେଖାଏଁ ଟଙ୍କା ପାଉଥିଲେ । ଜେମାଙ୍କ ସ୍ୱାମୀ ଦୀର୍ଘ ଦିନ ହେବ ପରଲୋକ ଗମନ କରିଛନ୍ତି। ସ୍ୱାମୀଙ୍କ ଅନ୍ତେ ୬ଝିଅ ଓ ଗୋଟିଏ ପୁଅକୁ ଦୁଃଖକଷ୍ଟରେ ଚଳାଇ ଆସୁଥିଲେ । ନିଜର ସମସ୍ତ ଜମିବାଡ଼ି ବିକ୍ରି କରି ୬ଟି ଝିଅଙ୍କୁ ବିବାହ ଦେଇଥିଲେ। ଏବେ ତାଙ୍କର ଗୋଟିଏ ପୁଅ, ନାତି, ନାତୁଣି ମିଶି ୪ଜଣିଆ ପରିବାର। ପୁଅ ଭୁବନେଶ୍ୱରରେ ଛୋଟ ପାନ ଦୋକାନଟିଏ କରି ଦୁଃଖେକଷ୍ଟେ ଚଳି ଯାଉଥିଲେ। ମହାମାରୀ କରୋନା ଲାଗି ଦୋକାନ ବନ୍ଦ ଥିବାରୁ ପୁଅ ଘରେ ବସିଛି । ଜେମାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବାବେଳେ କାନକୁ ଶୁଭୁନାହିଁ। ଭତ୍ତା ଟଙ୍କାରେ ସେ ଔଷଧ କିଣି ଖାଉଥିଲେ। ଏବେ ଭତ୍ତା ନପାଇବାରୁ କ’ଣ କରିବେ ଚିନ୍ତାରେ ପଡ଼ିଛନ୍ତି । ଏଭଳି ଦୁଃସମୟରେ ଭତ୍ତା ଟଙ୍କା ତାଙ୍କ ସାହା ଭରସା ଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ଜେମା।

ଗ୍ରାମର ସୁବର୍ଣ୍ଣ ଦେଈଙ୍କ ମଧ୍ୟ ସମାନ ଅବସ୍ଥା। ତାଙ୍କର ଅଧାର କାର୍ଡ ଖଣ୍ଡକ ହଜି ଯିବା ଦ୍ୱାରା ଭତ୍ତା ନଦେଇ ଫେରାଇ ଦେଇଛନ୍ତି ପଞ୍ଚାୟତ ଅଧିକାରୀ। ତାଙ୍କ ବୟସ ୮୬ ହୋଇଥିବାବେଳେ ସେ ଶଯ୍ୟାଶାୟୀ । ଭତ୍ତା ଟଙ୍କାରେ ତାଙ୍କର ଔଷଧ ଖର୍ଚ୍ଚ ଚଳୁଥିଲା । ଭତ୍ତା ବନ୍ଦ ହେବା ଦ୍ୱାରା ସେ କିପରି ଔଷଧ ଖାଇବେ ଚିନ୍ତାରେ ଭାଙ୍ଗିଛନ୍ତି ସୁବର୍ଣ୍ଣା।ଜେମା ଓ ସୁବର୍ଣ୍ଣାଙ୍କ ଭଳି ଗଣିଆ ବ୍ଲକର ୨୦୬ଜଣ ଭତ୍ତା ନପାଇ ହନ୍ତସନ୍ତ ହେଉଛନ୍ତି । ତୁରନ୍ତ ଏହି ଅସହାୟ ବୃଦ୍ଧବୃଦ୍ଧାଙ୍କ ଭତ୍ତା ପ୍ରଦାନ କରିବାକୁ ଦାବି ହେଉଛି ।

ଏ ସମ୍ପର୍କରେ ଗଣିଆ ବ୍ଲକ ଏସ୍‌ଇଓଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଆମେ କ’ଣ କରିବୁ? ଯାହା ସରକାରଙ୍କ ନିୟମ ଆସିଛି । ଅଭିଯୋଗ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଆସନ୍ତା ୨୮ ତାରିଖ ଦିନ ବିଭିନ୍ନ କାରଣରୁ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ