ଆଦିତ୍ୟ ଦାଶ ଡେଥ୍‌ ମିଷ୍ଟ୍ରି: ଫିଟୁନି ରହସ୍ୟ, OASଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର ୨୪/୦୮: ସମାଜସେବୀ ଆଦିତ୍ୟ ଦାଶଙ୍କ ଡେଥ୍‌ ମିଷ୍ଟ୍ରିକୁ ଦେଢ଼ମାସ ପୁରିଲାଣି । ଜିଆର୍‌ପି ପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଭାର ନେବାର ଦୀର୍ଘ ୨୪ ଦିନ ବିତିଲାଣି । ତଥାପି ମୃତ୍ୟୁର ରହସ୍ୟ ଭେଦି ପାରିନି । କି ଦାବି ଉଠୁଥିବା କ୍ରାଇମ୍‌ ସିମୁଲେସନ ଓ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଆଗଭର ହେଉନି । ଲାଗୁଛି, ସତେ ଯେମିତି କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଶୀଥିଳ ପଡିଯାଇଛି ।

କ୍ରାଇମ୍‌ବ୍ରାଞ୍ଚରୁ ସୂଚନା ମିଳିଛି, ମାମଲାରେ ଜଡିତ ଥିବା ଓଏଏସ୍‌ ଅଧିକାରୀଙ୍କୁ ଖୁବ୍‌ ଶୀଘ୍ର ଜେରା ହେବ । ସେ ହାଜର ହୋଇ ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ବିବାହ ସମ୍ପର୍କରେ ପକ୍ଷ ରଖିବାକୁ ତାଙ୍କୁ ନୋଟିସ୍‌ କରାଯାଇଛି । ସେ ହାଜର ହେବାକୁ କିଛି ସମୟ ମାଗିଛନ୍ତି । ସେପଟେ ଆଦିତ୍ୟ ମାମଲା ଛଡ଼ା ଅନ୍ୟ କିଛି ମାମଲାର ତଦନ୍ତ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ କରୁଛି । ଯେଉଁଥିଯୋଗୁଁ ତଦନ୍ତ ଧୀମେଇଥିବା ଟିମ୍‌ କହିଛି ।

ଜିଆର୍‌ପି ଥାନା ପୁଲିସ ତଦନ୍ତରେ ବାଟବଣା ହେବାରୁ ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉଠିଥିଲା । ଡିଜିପି ଶ୍ରୀ ଅଭୟ ଜୁଲାଇ ୩୦ରେ ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ । ନିର୍ଦ୍ଦେଶ ମିଳିବା କ୍ଷଣି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତୁରନ୍ତ ଏକ ୪ ଜଣିଆ ଟିମ୍‌ ଗଢ଼ିଥିଲେ । ଏସ୍‌ପି ର‌୍ୟାଙ୍କର ଅଫିସରଙ୍କ ନେତୃତ୍ୱରେ ଟିମ୍‌ ଜିଆର୍‌ପି ଥାନାକୁ ଯାଇଥିଲା । ସେଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ, ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ରିପୋର୍ଟ, ସାକ୍ଷ୍ୟ ପ୍ରମାଣ ଓ ବୟାନ ରେକର୍ଡଗୁଡିକ ସଂଗ୍ରହ କରିଥିଲା । ଶ୍ରୀଲିଙ୍ଗରାଜ ରେଳଷ୍ଟେସନସ୍ଥିତ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିଥିଲା । ପରେ ସପ୍ତାହେ ଯାଏଁ ଟିମ୍‌ ତଦନ୍ତକୁ ଜୋର୍‌ ଦେଇଥିଲା । ବିଦ୍ୟାଶ୍ରୀ, ପପୁ-ବିକାଶ ଓ ଅନ୍ୟ ସାକ୍ଷ୍ୟମାନଙ୍କୁ ଜେରା କରିଥିଲା । କିନ୍ତୁ ଏହାପରେ ଟିମ୍‌ର ତଦନ୍ତରେ ଏକରକମର ବ୍ରେକ୍‌ ଲାଗିଛି ।

ସେପଟେ ସମାନ ଢ଼ଙ୍ଗରେ ସେଲିବ୍ରେଟି ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମିଷ୍ଟ୍ରି ସାରା ଦେଶରେ ହଇଚଇ ପକାଇଛି। ମାମଲାର ତଦନ୍ତକୁ ଜୋରଦାର୍‌ କରିଛି ସିବିଆଇ । ଗତକାଲି ସୁଶାନ୍ତଙ୍କ ଫ୍ଲାଟ୍‌ରେ କ୍ରାଇମ୍‌ ସିମୁଲେସନ (ପ୍ରତିକାତ୍ମକ ଚିତ୍ର) କରିଛି । ସୁଶାନ୍ତଙ୍କ ଓଜନର ଏକ ଡମିକୁ ରୁମ୍‌ର ଫ୍ୟାନ୍‌ରେ ଟଙ୍ଗାଇ ସମାନ ଢ଼ଙ୍ଗରେ ଡେମୋ କରାଇଛି । ଯେଉଁଥିରୁ ସିବିଆଇ ଘଟଣାଦିନର ଅନେକ ଦିଗର ସ୍ପଷ୍ଟ ଚିତ୍ର ପାଇଥିବା ସୂଚନା ମିଳିଛି । କିନ୍ତୁ ଆଦିତ୍ୟଙ୍କ ଘଟଣାରେ ସମାନ ରୂପକ କ୍ରାଇମ୍‌ ସିମୁଲେସନର ଦାବି ଉଠୁଥିଲେ ହେଁ, କ୍ରାଇମ୍‌ବ୍ରାଞ୍ଚ ଏଥିପାଇଁ ଇଚ୍ଛାପ୍ରକାଶ କରୁନାହିଁ ।

   ସମ୍ବନ୍ଧିତ ଖବର


ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି