କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଖୋଲିବ ଆଡଭାନ୍ସଡ୍‌ ରିହାବିଲିଟେସନ୍‌ ସେଣ୍ଟର: ରୋବଟ୍‌ କରିବ ଦିବ୍ୟାଙ୍ଗଙ୍କ ସେବା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚିକିତ୍ସା କରିବ ରୋବଟ୍‌ । ସେମାନଙ୍କୁ ବିଭିନ୍ନ ପ୍ରକାର ଥେରାପି ରୋବଟ୍‌ ଦ୍ୱାରା ଦିଆଯିବ । କେବଳ ଏତିକି ନୁହେଁ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଗୋଡ଼ ତିଆରି କରିବା, ସେମାନଙ୍କ ଶରୀରେ ଏହାକୁ ଫିଟ୍‌ କରିବା ଆଦି ବିଭିନ୍ନ ଉନ୍ନତମାନର କାର୍ଯ୍ୟ ମଧ୍ୟ କରିବ ରୋବଟ୍‌ । ରାଜଧାନୀରେ ଖୋଲିବାକୁ ଥିବା ଆଡଭାନ୍ସଡ୍‌ ରିହାବିଲିଟେସନ୍‌ ସେଣ୍ଟର(ଏଆର୍‌ସି)ରେ ଏସବୁ ସୁବିଧା ସୁଯୋଗ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଦିଆଯିବ । କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏହି କେନ୍ଦ୍ର ଖୋଲିବ । ଦିବ୍ୟାଙ୍ଗଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସେମାନଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଉଛି । ରାଜ୍ୟ ତଥା ରାଜ୍ୟ ବାହାରରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏହି କେନ୍ଦ୍ରରେ ସବୁ ପ୍ରକାରର ଉନ୍ନତମାନର ସୁବିଧା ସୁଯୋଗ ପାଇପାରିବେ ।

ଆଡଭାନ୍ସଡ୍‌ ରିହାବିଲିଟେସନ୍‌ ସେଣ୍ଟର ତିଆରି ପାଇଁ ସବୁ କାର୍ଯ୍ୟ ପ୍ରାୟ ଶେଷ ହୋଇ ଆସିଲାଣି । ରୋବଟ୍‌, ମେସିନ୍‌ ଆଦି କିଣା ସରିଛି । ଏବେ ଫ୍ରାନ୍ସରୁ ଦୁଇଜଣ ବିଶେଷଜ୍ଞ ଆସି ରୋବଟ୍‌ ଓ ଅନ୍ୟାନ୍ୟ ମେସିନ୍‌ ଆଦିକୁ ଲଗାଉଛନ୍ତି । ଏହା ସହ ଏସବୁର ପରିଚାଳନା କିଭଳି ହେବ ସେସମ୍ପର୍କରେ କର୍ମକର୍ତ୍ତାଙ୍କୁ ଶିକ୍ଷା ଦେଉଛନ୍ତି । ଚଳିତ ବର୍ଷରୁ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ ।

ଏଆର୍‌ସିରେ ଦୁଇଟି ୟୁନିଟ୍‌ ରହିବ । ଗୋଟିଏ ହେଉଛି ଆଡଭାନ୍ସଡ୍‌ ରୋବୋଟିକ୍‌ ନ୍ୟୁରୋ ରିହାବିଲିଟେସନ୍‌ ୟୁନିଟ୍‌ । ଅନ୍ୟଟି ହେଉଛି ଆର୍ଟିଫିସିଆଲ୍‌ ଲାଇମ୍ବ୍‌ ସେଣ୍ଟର ଉଇଥ୍‌ କ୍ୟାଡ୍‌ କ୍ୟାମ୍‌ ସିଷ୍ଟମ୍‌ ଫର୍‌ ପ୍ରୋଥୋସିସ୍‌ ଆଣ୍ଡ ଅର୍ଥସିସ୍‌ । ଆଡଭାନ୍ସଡ୍‌ ରୋବୋଟିକ୍‌ ନ୍ୟୁରୋ ରିହାବିଲିଟେସନ୍‌ ୟୁନିଟ୍‌ରେ ରହିବ ରୋବଟିକ୍‌ ଗେଟ୍‌ ଟ୍ରେନର୍‌ ଫର୍‌ ଲୋକୋମୋସନ୍‌ ଥେରାପି ଅନ୍‌ ଟ୍ରେଡ୍‌ ମିଲ୍‌ ଡିଭାଇସ୍‌ । ମୁଣ୍ଡରେ କ୍ଷତ, ଷ୍ଟ୍ରୋକ୍‌, ମେରୁଦଣ୍ଡରେ ଆଘାତ ଓ ଅନ୍ୟାନ୍ୟ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ଚିକିତ୍ସାରେ ଏହି ଡିଭାଇସ୍‌ ମୁଖ୍ୟ ଭୂମିକା ଗ୍ରହଣ କରିବ । ରୋଗୀଙ୍କୁ ବିଭିନ୍ନ ଥେରାପି ବିଷୟରେ ପ୍ରଶିକ୍ଷଣ ଦେବ । ମାନୁଆଲ୍‌ ପ୍ରଶିକ୍ଷଣ ବଦଳରେ ଆଡ୍‌ଭାନ୍ସଡ୍‌ ଓ ଉନ୍ନତ ପ୍ରକ୍ରିୟାରେ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା ରୋଗୀ ଖୁବଶୀଘ୍ର ଭଲ ହେବାରେ ବହୁତ ସହାୟକ ମିଳିବ । ତେବେ ଏହି ସିଷ୍ଟମ୍‌ କେବଳ ଯୁବ ଓ ଶିଶୁ ରୋଗୀଙ୍କ ପାଇଁ କାର୍ଯ୍ୟ କରିବ ।

ସେହିପରି ସେଲ୍ଫ୍‌ ଡ୍ରିଭେନ୍‌ ଅପର୍‌ ଏକ୍ସଟ୍ରିମିଟି ଫଙ୍କସନାଲ୍‌ ଥେରାପି ସିଷ୍ଟମ୍‌ରେ ହାତ ଓ ବାହୁ କାର୍ଯ୍ୟକ୍ଷମ କରିପାରୁନଥିବା ଦିବ୍ୟାଙ୍ଗଙ୍କୁ ଚିକିତ୍ସା ଦିଆଯିବ । ମାଂସପେଶୀ ଓ ଶରୀରର ବିଭିନ୍ନ ଯୋଡ଼କୁ ପ୍ରଚଳନ କରିବା ନେଇ ଏହି ଡିଭାଇସ୍‌ କାର୍ଯ୍ୟ କରିବ । ଅନ୍ୟପକ୍ଷରେ କୃତ୍ରିମ ଗୋଡ଼ ତିଆରି କରିବା ଓ ଏହାକୁ ରୋଗୀଙ୍କ ଶରୀରେ ସ୍ଥାପନା କରିବା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଏହି କେନ୍ଦ୍ରରେ ହେବ । ଯେଉଁ ବ୍ୟକ୍ତି ଟ୍ରମାଟିକ୍‌ କ୍ଷତ, ଭାସକୁଲାର ଜନିତ ରୋଗ, କ୍ୟାନସର୍‌ ଆଦି ରୋଗ ପାଇଁ ନିଜ ଗୋଡ଼ ହରାଇଛନ୍ତି ସେମାନଙ୍କ ପାଇଁ କୃତ୍ରିମ ଗୋଡ଼ ତିଆରି କରାଯିବ । ହାତ ତିଆରି ତଥା ମାନୁଆଲ୍‌ ପ୍ରକ୍ରିୟା ବଦଳରେ କମ୍ପ୍ୟୁଟର ଏଡେଡ୍‌ ମ୍ୟାନିଫ୍ୟାକଚୁରିଂ (କ୍ୟାମ୍‌) ମାଧ୍ୟମରେ କୃତ୍ରିମ ହାତ ଓ ଗୋଡ଼ ତିଆରି କରାଯିବ । ସେହିପରି କମ୍ପ୍ୟୁଟର୍‌ ଏଡେଡ୍‌ ଡିଜାଇନ୍‌(କ୍ୟାଡ୍‌) ମାଧ୍ୟମରେ ଅଣ୍ଟା, ଆଣ୍ଠୁ, ହାତ ଆଦି ପାଇଁ ବ୍ୟବହାର କରାଯାଉଥିବା ଅର୍ଥୋସିସ୍‌ ତିଆରି କରାଯିବ । ଗୋଡ଼ ତଥା ହାତ ହରାଇଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏଆର୍‌ସି କେନ୍ଦ୍ରକୁ ଯାଇ ସହଜରେ ଖୁବ୍‌ କମ୍‌ ଦିନରେ କୃତ୍ରିମ ହାତ ଓ ଗୋଡ଼ ଲଗାଇପାରିବେ । ଏଥିପାଇଁ ସେମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟରେ ହିଁ ଉନ୍ନତମାନର ଚିକିତ୍ସା ପାଇପାରିବେ ।

ଏଆର୍‌ସି କେନ୍ଦ୍ରର କାର୍ଯ୍ୟକ୍ଷମ ପାଇଁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆକ୍ସନ୍‌ ପ୍ଲାନ୍‌ ତିଆରି ସରିଛି । ଏଥିପାଇଁ ୫ ବର୍ଷ ଭିତରେ ୧୯ କୋଟି ୪୯ ଲକ୍ଷ ୨୩ ହଜାର ୫୨୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସମୁଦାୟ ଟଙ୍କା ମଧ୍ୟରୁ ମେସିନ୍‌, ରୋବଟ କିଣା ପାଇଁ ୧୨ କୋଟି, କର୍ମକର୍ତ୍ତାଙ୍କୁ ଦରମା ଦେବା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଦେଢ଼ କୋଟି ଟଙ୍କା ଏବଂ ପୂରା ୫ବର୍ଷର ଖର୍ଚ୍ଚ ପାଇଁ ବାକି ୭ କୋଟି ଟଙ୍କା ଖର୍ଚ୍ଚ ରହିଛି ।