ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ଭୁବନେଶ୍ୱର ୨୧/୧୦: ଫେସବୁକରେ ଅଭିନେତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଆଇନଜୀବୀଙ୍କୁ ପଡ଼ିଲା ମହଙ୍ଗା । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ସଦସ୍ୟତା ରଦ୍ଦ କରାଯିବା ସହ ତାଙ୍କ ଓକିଲ ଲାଇସେନ୍ସ ରଦ୍ଦ କରିବାକୁ ବାର କାଉନସିଲକୁ ଚିଠି ଲେଖିଛି । ଏହାସହ ଝାରସୁଗୁଡା ଥାନାରେ ତୁରନ୍ତ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନିଆଗଲା।

 ଝାରସୁଗୁଡ଼ାର ଜଣେ ଓକିଲ ମେହେନ୍ଦୀ ରେଜା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମରେ ଫେସବୁକରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଝାରସୁଗୁଡା ସ୍ଥିତ ହନୁମାନ ମନ୍ଦିର ସେବା ସମିତି ପକ୍ଷରୁ ଏନେଇ ଥାନାରେ ଲିଖିତ ଏତଲା ଦିଆଯାଇଥିଲା ।  ମେହେନ୍ଦୀ ରେଜା ପେଶାରେ ଓକିଲ ଓକିଲ ହୋଇଥିଲେ ମଧ୍ୟ ଜଣେ ମହିଳାଙ୍କ ବିଷୟରେ ଅଭଦ୍ର ଟିପ୍ପଣୀ କରିବା ଅଶୋଭନୀୟ । ଅଭିନେତ୍ରୀ କଙ୍ଗନା ନବରାତ୍ରି ଉପଲକ୍ଷେ ଫେସବୁକରେ କିଛି ଚିତ୍ର ଛାଡ଼ିଥିବା ବେଳେ ମେହେନ୍ଦୀ ରେଜା ସେଥିରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ତାଙ୍କର ଏଭଳି ଟିପ୍ପଣୀ ଫଳରେ ଅଭିନେତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି କରଣୀ ସେନା ପକ୍ଷରୁ କୁହାଯାଇଛି ।

ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।  ଏ ନେଇ କି ଝାରସୁଗୁଡା ଥାନାରେ ମେହେନ୍ଦୀ ରାଜା ବିରୋଧରେ ଦଫା ୨୯୪ ଓ IT ACT ର ଧାରା ୬୭ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ବିବାଦ ଘନେଇବା ପରେ ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି । ତା ଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛି ଝାରସୁଗୁଡା ଓକିଲ ସଂଘ ସମେତ ଜିଲ୍ଲା ବିଜେପି । ଆଜି ଜିଲ୍ଲା ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେହେନ୍ଦୀ ରାଜା ବିରୋଧରେ କଡା ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘର ଅନ୍ତରୀଣ ସଭାପତି ପି ରାମ ମୋହନ ରାଓ । ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ ପାଇଁ ସହରରେ ଭାଇଚାରା ନଷ୍ଟ ହେଉଥିବା ବେଳେ ତୁରନ୍ତ ମେହେନ୍ଦୀ ରାଜାକୁ ଗିରଫ ପାଇଁ ଦାବି କରିଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଦିନେଶ ଜୈନ ।