ଅହମ୍ମଦ ପଟେଲଙ୍କ ପରେ କିଏ? କଂଗ୍ରେସ କୋଷାଧ୍ୟକ୍ଷ ପଦ ପାଇଁ କମଲନାଥ, ବେଣୁଗୋପାଳ ଓ ଗେହଲଟ୍‌ଙ୍କ ମଧ୍ୟରୁ ଜଣକୁ ବାଛିବେ ସୋନିଆ

ନୂଆଦିଲ୍ଲୀ,୨୭/ ୧୧: କିଛି ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅହମଦ ପଟେଲଙ୍କ ପରଲୋକ ହୋଇଥିଲା। ଯାହାଫଳରେ କଂଗ୍ରେସର କୋଷାଧ୍ୟକ୍ଷ ପଦ ଖାଲି ରହିଛି। ତେବେ କଂଗ୍ରେସର ଆଗାମୀ କୋଷାଧ୍ୟକ୍ଷ କିଏ ହେବ ସେ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ସହିତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନଜରରେ ରଖି କଂଗ୍ରେସ ପାର୍ଟି ଦଳର କୋଷାଧ୍ୟକ୍ଷ ପଦବୀରେ ଜଣକୁ ନିଯୁକ୍ତ କରିବାକୁ ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କଂଗ୍ରେସ କୋଷାଧ୍ୟକ୍ଷ ପଦ ପାଇଁ ଦଳର ତିନି ବିଶ୍ବସ୍ତ ଓ ଜଣାଶୁଣା ନେତାଙ୍କ ନାମ ସାମ୍ନାକୁ ଆସିଛି। ଏହି ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ବରିଷ୍ଠ ନେତା ବେଣୁଗୋପାଳ ଓ ମିଲିନ୍ଦ ଦେବଡ଼ାଙ୍କ ନାମ ଆଗରେ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କୋଷାଧ୍ୟକ୍ଷ ପଦ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ଅପରପକ୍ଷେ ବେଣୁଗୋପାଳ କିମ୍ବା କମଲନାଥଙ୍କ ନାମରେ ମୋହର ଲାଗିବା ନେଇ ଚର୍ଚ୍ଚା ଲାଗି ରହିଛି। ଏପରିକି ଚର୍ଚ୍ଚା ହେଉଛି କି କୋଷାଧ୍ୟକ୍ଷ ପଦ ପାଇଁ କମଲନାଥ ମଧ୍ୟପ୍ରେଶ କଂଗ୍ରେସ ଅଧ୍ୟକ୍ଷ ଓ ବିରୋଧୀ ଦଳ ନେତା ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରୁଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ବେଣୁଗୋପାଳ ବର୍ତ୍ତମାନ ଦଳର ମହାସଚିବ ଓ ସଙ୍ଗଠନର ଦାୟିତ୍ବରେ ଅଛନ୍ତି। ତାଙ୍କୁ ବି ଦଳର ଗୁରୁଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।