ଆଫ୍ଟର କରୋନା: କ୍ରିକେଟର ବଲ୍‌ରେ ଛେପ ଲଗାଇବେ ତ ?

ନୂଆଦିଲ୍ଲୀ, ୨୨/୪: କୋଭିଡ୍‌-୧୯ ସଂକ୍ରମଣ କାଶ, ଛିଙ୍କ ଏବଂ ଛେପ ଦ୍ୱାରା ବ୍ୟାପିଥାଏ । କରୋନା ବିରୋଧରେ ଲଢ଼େଇ ଶେଷ ହେବା ପରେ ସବୁକିଛି ସ୍ୱାଭାବିକ ହେବ । କ୍ରିକେଟଠୁ ଆରମ୍ଭ କରି ବିଭିନ୍ନ କ୍ରୀଡ଼ା ପୁଣିଥରେ ଆରମ୍ଭ ହେବ। କିନ୍ତୁ କ୍ରିକେଟ୍‌ ଆରମ୍ଭ ହେବା ପରେ ଆଇସିସି ପାଇଁ ଚିନ୍ତାଜନକ ହୋଇପାରେ । ବୋଲରମାନେ ଛେପ ଲଗାଇ ବଲ୍‌କୁ ଚମକାଇ ଥାଆନ୍ତି । ତେଣୁ କରୋନା ପରେ ବୋଲରମାନଙ୍କୁ ବଲ୍‌ରେ ଛେପ ଲଗାଇବାକୁ ଅନୁମତି ଦିଆଯିବ କି ନାହିଁ ତାହାକୁ ନେଇ ଆଲୋଚନା ଜୋର ଧରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ)ର କହିବା ମୁତାବକ, କୋଭିଡ୍‌-୧୯ ଭୂତାଣୁ ମୁଖ୍ୟତଃ କାଶ ଓ ଛିଙ୍କିବା ସମୟରେ ନାକରୁ ବାହାରୁଥିବା ତରଳ ପଦାର୍ଥରୁ ବ୍ୟାପିଥାଏ । ତେଣୁ କ୍ରିକେଟ୍‌ ଆରମ୍ଭ ହେବା ପରେ ଖେଳାଳିମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବାର ଅଧିକ ଭୟ ରହିବ ।

କ୍ରିକେଟରେ ଜଣେ ବୋଲର ବଲ୍‌କୁ ଚମକାଇବା ପାଇଁ ଛେପ କିମ୍ବା ଝାଳ ବ୍ୟବହାର କରିପାରିବେ । ଏଥିପାଇଁ କୌଣସି କଟକଣା ନାହିଁ । କରୋନା ପରେ ଆଇସିସି ଏଥିରେ କଟକଣା ଲଗାଇବା ସମ୍ଭାବନା ରହିଛି । ଯକି ଏହି କଟକଣା ଲାଗୁ କରାଯାଏ, ତାହେଲେ ବୋଲରମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ସେମାନେ ସୁଇଙ୍ଗ୍‌ ଏବଂ ବଲ୍‌କୁ ଟର୍ଣ୍ଣ କରିବାରେ ବିଫଳ ହେବେ । ପୂର୍ବରୁ ଭାରତୀୟ ପେସ୍‌ ବୋଲର ଭୁବନେଶ୍ୱର କୁମାର ଏବିଷୟରେ ମତାମତ ଦେଇଥିଲେ। ତାଙ୍କ କହିବା ମୁତାବକ, ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟଗତ କାରଣ ପାଇଁ ବଲ୍‌ରେ ଛେପ ଲଗାଇବା କମ୍‌ ହେବା ଉଚିତ୍‌ ।

ସେହିପରି ଅଷ୍ଟ୍ରେଲୀୟ ପେସ୍‌ ବୋଲର ପାଟ୍‌ କମିନ୍ସ କହିଛନ୍ତି, ଟେଷ୍ଟ କ୍ରିକେଟରେ ଯଦି ଆମେ ବଲ୍‌କୁ ନଚମକାଇବା ଏହା ବୋଲରଙ୍କ ପାଇଁ ସମସ୍ୟା ହେବ । ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ସମୟରେ ଏନେଇ ଆଲୋଚନା କରାଇଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖାଯାଇଥିଲା । ମୋ ମତରେ କରୋନା ସଂକ୍ରମଣ ନଥିଲେ ଆମେ ଏବେ ପଡ଼ିଆରେ ଖେଳୁଥାନ୍ତୁ ।’
ଅଷ୍ଟ୍ରେଲିଆର ପ୍ରସିଦ୍ଧ ପେସ୍‌ ବୋଲର ଜାସନ ଗିଲେସ୍ପି କହିଛନ୍ତି, ଏହାଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଖେଳ ଆରମ୍ଭ ହେଲେ ବୋଲରମାନଙ୍କୁ ଅମ୍ପାୟାରଙ୍କ ସାମ୍ନାରେ ଛେପ ଲଗାଇ ବଲ୍‌କୁ ଚମକାଇବାର ଅନୁମତି ଦିଆଯାଇପାରେ । ମୁଁ ଜାଣିନି, ଖେଳାଳିମାନେ କେବଳ ଝାଳ ଦ୍ୱାରା ବଲ୍‌ ଚମକାଇବାର ସୁଯୋଗ ପାଇବେ । କିନ୍ତୁ ଏବିଷୟରେ ଆଲୋଚନା ହେବା ଅତ୍ୟନ୍ତ ଜରୁରୀ ।’

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

କରୋନା ବଦଳାଇଦେଲା ଜୀବନ ଜୀବିକା, କାଲି ଯେ’ ସିଭିଲ ଇଂଜିନିୟର, ଆଜି ସେ’ ଦିନ ମଜୁରିଆ…

IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି