ଦୀର୍ଘ ଦଶନ୍ଧି ପରେ ମାତିଛି କରୋନା, ମଣିଷ ଦେହକୁ ଡେଇଁଛି

ନୂଆଦିଲ୍ଲୀ ୨୬/୩: କରୋନା ଭୂତାଣୁ ମଣିଷ ଦେହକୁ ଆସିଲା କେମିତି? ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଅଭିଯୋଗ କରାଯାଉଛି କି ଚୀନ୍‌ରେ ବାଦୁଡ଼ିଙ୍କ ଦେହରୁ ଅନ୍ୟ କୌଣସି ଜୀବର ଦେହକୁ ଏହା ଯାଇଥିଲା ଏବଂ ତା’ ପରେ ମଣିଷ ଦେହକୁ ଡେଇଁଥିଲା । କିନ୍ତୁ ଏହି ଭାଇରସର କ୍ଷମତା ଦେଖି ବୈଜ୍ଞାନିକମାନେ ବି ଚକିତ ହୋଇଯାଇଛନ୍ତି । ଏହା ପୂର୍ବରୁ ଯେତେ ଭାଇରସ ଦେଖାଦେଇଥିଲା, ସେଗୁଡିକ ଏତେ ମାତ୍ରାରେ ସଂକ୍ରାମକ ନଥିଲେ । ଖାଲି ସେତିକି ନୁହେଁ, ଏହି ଭାଇରସ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ କ୍ଷମତା ପ୍ରଦର୍ଶନ କରୁଛି । ତା’ର ୪୦ ପ୍ରକାର ମ୍ୟୁଟେସନ୍‌କୁ ବି ଚିହ୍ନଟ କରାଗଲାଣି । ସ୍ଥଳ, ଜଳ, ଆକାଶ ସବୁଠି ଏହା ତିଷ୍ଠି ପାରୁଛି । ନିର୍ଜୀବ ଓ ସଜୀବ ସବୁ ବସ୍ତୁ ଦେହରେ ରହିପାରୁଛି । ଏହି ଭାଇରସ ଜଣକ ଦେହରୁ ୫୯,୦୦୦ ଲୋକଙ୍କ ଦେହକୁ ଡେଇଁବାର କ୍ଷମତା ରଖୁଛି ।

ଆହୁରି ମଧ୍ୟ, ଏହି ଭାଇରସ ଜଣକ ଦେହରେ ପ୍ରବେଶ କଲା ମାତ୍ରେ ସାଙ୍ଗେ ସାଙ୍ଗେ ଲକ୍ଷଣ ପ୍ରକାଶ କରୁନାହିଁ । ଜଣ ଜଣକ ଦେହରେ ୧୪ରୁ ୨୧ ଦିନ ପରେ ବି ଲକ୍ଷଣ ପ୍ରକାଶ ପାଉଛି । ନିକଟରେ ଦାବି କରାଯାଇଥିଲା ଷ୍ଟିଲ ନିର୍ମିତ ବସ୍ତୁରେ ଏହା ସର୍ବାଧିକ ତିନି ଦିନ ପର୍ଯ୍ୟନ୍ତ ରହିପାରେ । କିନ୍ତୁ ଜାପାନରେ ଅଟକ ରଖାଯାଇଥିବା ପର୍ଯ୍ୟଟକଙ୍କ ଜାହାଜ ଡାଏମଣ୍ଡ ପ୍ରିନ୍‌ସେସ୍‌ର କୋଠରିରୁ କରୋନା ଆକ୍ରାନ୍ତ ବ୍ୟକ୍ତି ଯିବାର ୧୭ ଦିନ ପରେ ବି ଏହାକୁ ଠାବ କରାଯାଇଛି । ଅର୍ଥାତ୍‌ ଏହି ଭାଇରସ ଆହୁରି ଅଧିକ ଦିନ ଯାଏଁ ବସ୍ତୁ ଦେହରେ ତିଷ୍ଠି ରହିପାରୁଛି । ଏତେସବୁ କ୍ଷମତା ଏହା ଦେହରେ ଆସିଲା କେମିତି? ଆଇସଲ୍ୟାଣ୍ଡର ଗବେଷକମାନେ ମନେ କରୁଛନ୍ତି ଯେ ଏହି ଭାଇରସ ଜୀବଜନ୍ତୁଙ୍କ ଦେହରେ ଦଶନ୍ଧି ଦଶନ୍ଧି ଧରି ରହି ନିଜର କ୍ଷମତା ବିକଶିତ କରିବାରେ ଲାଗିଥିଲା । ଏହି ସମୟ ଭିତରେ ସେ ମଣିଷ ଦେହକୁ ଡେଇଁବାର କ୍ଷମତା ବି ବିକଶିତ କରିଥିଲା ଏବଂ ତା’ ପରେ ମଣିଷକୁ ଡେଇଁଛି ।

   ସମ୍ବନ୍ଧିତ ଖବର


ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍