ପ୍ରଥମେ ଡେଙ୍ଗୁ ପରେ କରୋନା ଓ ଏବେ ସାପ କାମୁଡିଲା, ଜାଣନ୍ତୁ ଭାରତରେ ଫଶିଥିବା ଏହି ବ୍ରିଟେନ ନାଗରିକଙ୍କ ଯନ୍ତ୍ରଣାଦାୟକ କାହାଣୀ

ନୂଆଦିଲ୍ଳୀ,୨୨।୧୧: ସମୟ ଯଦି ଖରାପ ଥାଏ ତେବେ ଗୋଟିଏ ପରେ ଆଉ ଗୋଟିଏ ବିପତ୍ତି ଲାଗି ରହିଥାଏ। ଏଇ ଯେପରି ବ୍ରିଟେନରୁ ଭାରତ ଆସି ଜଣେ  ବିଦେଶୀ ନାଗରିକ ୩ ଥର ଜୀବନ ଓ ମୃତ୍ୟୁ ସହିତ ସାମନା କରିସାରିଛନ୍ତି। ତାଙ୍କର କାହାଣୀ ଶୁଣିଲେ ଲୋମ ଟାଙ୍କୁରୀ ଯିବ। ବ୍ରିଟେନରୁ ଆସି ରାଜସ୍ଥାନରେ ଫଶି ଯାଇଥିବା ଇୟାନ ଜନ୍ ନାମକ ଏହି ବ୍ୟକ୍ତି ଏକ ଚାରିଟିରେ କାମ କରନ୍ତି। ତେବେ ଗତ କିଛି ମାସ ଭିତରେ ସେ ଖୁବ୍ ସମସ୍ୟା ଦେଇ ଗତି କରୁଛନ୍ତି। ଭାରତ ଆସିବା ପରେ ପ୍ରଥମେ ତାଙ୍କୁ ଡେଙ୍ଗୁ ହୋଇଥିଲା। ଡେଙ୍ଗୁରୁ ଠିକ୍ ହେବାପରେ କରୋନାରେ ହୋଇଗଲେ ଆକ୍ରାନ୍ତ। ଆଉ ଚିକିତ୍ସା ହୋଇ କରୋନାରୁ ଯେତେବେଳେ ଭଲ ହୋଇଗଲେ ତାଙ୍କୁ ଏବେ ଏକ ବିଷାକ୍ତ ସାପ କାମୁଡି ଦେବାକୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଇୟାନଙ୍କୁ ଗତ କିଛି ଦିନ ତଳେ ଜୟପୁରରୁ ୩୫୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ନାଗ ସାପ କାମୁଡି ଦେଇଥିଲା। ଏବେ ସେ ଯୋଦ୍ଧପୁରରେ ନିଜର ଚିକିତ୍ସା କରୁଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ତାତେର କହିଛନ୍ତି, ସେ ଆମ ପାଖକୁ ଗତ ସପ୍ତାହ ବସିଥିଲେ। ତାଙ୍କୁ ଏକ ଗାଁରେ ସାପ କାମୁଡି ଦେଇଥିଲା। ଆରମ୍ଭରୁ ଆମକୁ ଲାଗିଥିଲା ତାଙ୍କୁ ପୁଣିଥରେ କରୋନା ହୋଇଛି, କିନ୍ତୁ ଆଶ୍ବସ୍ଥିର କଥା ଏହା ଯେ, ତାଙ୍କର ରିପୋର୍ଟ ନେଗେଟିଭ ଆସିଛି। ଆମକୁ ତାଙ୍କ ଭିତରେ ସାପ କାମୁଡିବାର ଲକ୍ଷଣ ମିଳିଛି। ଜନ୍ସଙ୍କ ଆଖିକୁ ଏବେ ସ୍ପଷ୍ଟ ଭାବରେ ଦେଖାଯାଉ ନାହିଁ, ଏହା ସହିତ ଚାଲିବାରେ ବି ସମସ୍ୟା ହେଉଛି।

ଡାକ୍ତରଙ୍କ କହିବା ଅନୁସାରେ, ଇୟାନଙ୍କୁ ଗତ ସପ୍ତାହରେ ଛୁଟି ମିଳିଥିଲା। ର ଓ୍ବେବସାଇଟରେ ଏକ ବୟାନ ଜାରି କରି ତାଙ୍କର ପୁଅ କହିଛନ୍ତି, ମୋ ବାପା ଜଣେ ଫାଇଟର(ଯୋଦ୍ଧା)। ଭାରତରେ ରହିବା ପରେ ପ୍ରଥମେ ତାଙ୍କୁ ମାଲେରିଆ ଜ୍ବର ହୋଇଥିଲା। ଏହାପରେ ଡେଙ୍ଗୁ ହୋଇଥିଲା। ଡେଙ୍ଗୁରୁ ଠିକ୍ ହେବାପରେ ମାଲେରିଆା ଓ ଏହାପରେ କରୋନା ହୋଇଥିଲା। ଶେଷରେ ସବୁଥିରୁ ଭଲ ହେବାପରେ  ତାଙ୍କୁ ସାପ କାମୁଡିଥିଲା। ଇୟାନଙ୍କ ପୁଅ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ବାପା ଏବେ କରୋନା ମହାମାରୀ  କାରଣରୁ ଭାରତରେ ଫଶି ଯାଇଛନ୍ତି। ସେ ବ୍ରିଟେନ ଫେରିପାରୁନାହାନ୍ତି, କିନ୍ତୁ ତାଙ୍କ ପୁଅ ଏହି କଥା ନେଇ ଖୁସି ବ୍ୟକ୍ତ କରିଛନ୍ତି ଯେ, ଭାରତରେ ରହି ଅନ୍ୟମାନଙ୍କର ସାହାଯ୍ୟ କରୁଛନ୍ତି। ଇୟାନ ରାଜସ୍ଥାନରେ ପାରମ୍ପାରିକ କାରିଗରଙ୍କ ସହିତ କାମ କରନ୍ତି।