ବିବାଦରେ ମମତା ବାନାର୍ଜୀଙ୍କ ବାୟୋପିକ୍ ‘ବାଘୁଣୀ-ଦି ବେଙ୍ଗଲ ଟାଇଗ୍ରେସ’ ମେ ୩ରେ କରିବ ମୁକ୍ତିଲାଭ

ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’କୁ ନେଇ ବିବାଦ ଲାଗି ରହିଥିଲା ବେଳେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନ କାହାଣୀ ସମ୍ପର୍କିତ ଫିଲ୍ମ ‘ବାଘୁଣୀ-ଦି ବେଙ୍ଗଲ ଟାଇଗ୍ରେସ’କୁ ନେଇ ନୂଆ ବିବାଦ ଦେଖାଦେଇଛି । ଆସନ୍ତା ମେ ୩ ତାରିଖରେ ଏହି ଫିଲ୍ମ ରିଲିଜ ହେବାର ଅଛି । ନିକଟରେ ଏହି ଫିଲ୍ମକୁ ସେନ୍‌ସର ବୋର୍ଡ ଅନୁମତି ଦେଇଛି ।

ଫିଲ୍ମର ନିର୍ଦ୍ଦେଶକ ନେହାଲ ଦତ୍ତଙ୍କ କହିବାନୁଯାୟୀ ଏହା କେବଳ ଜୀବନୀ ନୁହେଁ, ମମତାଙ୍କ କର୍ମମୟ ଓ ରାଜନୈତିକ ଜୀବନର କାହାଣୀ ମଧ୍ୟ ପ୍ରଦର୍ଶିତ ହୋଇଛି । ମୋଦିଙ୍କ ଫିଲ୍ମ ଭଳି ଏହା ଜୀବନୀ କାହାଣୀ ନୁହେଁ । ରାଜନୈତିକ ଜୀବନ ହେଉ କି ସାଧାରଣ ଜୀବନ ମମତା ଏକ କିମ୍ବଦନ୍ତୀ ଛବି । ତାଙ୍କ ସାଧାରଣ ଜୀବନରେ ଆମେ ବେଶ୍‌ ପ୍ରଭାବିତ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ଆବେଗାତ୍ମକ କାହାଣୀ । ଜଣେ ସାଧାରଣ ବାଳିକା କିଭଳି ଭାବେ ମୁଖ୍ୟମନ୍ତ୍ରୀ ଚୌକି ଅଳଙ୍କୃତ କରିପାରିଛନ୍ତି ତାହା ଏହି ଫିଲ୍ମର କଥାବସ୍ତୁ । ସେହିଭଳି ଫିଲ୍ମର ନିର୍ମାତା ପିଙ୍କି ପାଲ କହିଛନ୍ତି ମମତାଙ୍କ ଜୀବନ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ଯେଭଳି ସରୋଜିନୀ ନାଇଡୁ ଓ ଜୟଲଳିତା ସମଗ୍ର ଦେଶର ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ଏଥିରେ କୌଣସି ରାଜନୀତି ନାହିଁ । ଆମେ ଏହି ଫିଲ୍ମ ପାଇଁ ୟୁନିଭର୍ସାଲ ସାର୍ଟିଫିକେଟ ହାସଲ କରିଛୁ । ଏହାକୁ ସପରିବାର ଦେଖିପାରିବେ ।

୨୦୧୫ରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା ଏବଂ ନାଟ୍ୟ ଅଭିନେତ୍ରୀ ରୁମା ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଟେଲିଭିଜନରେ ମମତାଙ୍କ ଭାଷଣ ଦେଖିବା ପରେ ସେ ନିଜକୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରିଥିବା କହିଛନ୍ତି । ଫିଲ୍ମର ଟ୍ରେଲରରେ ମମତାଙ୍କ ନନ୍ଦିଗ୍ରାମ ଓ ସିଙ୍ଗୁର ଆନ୍ଦୋଳନର ଦୃଶ୍ୟ ସ୍ଥାନ ପାଇଛି । ଇତିମଧ୍ୟରେ ସିପିଏମ୍‌ ଏହି ଫିଲ୍ମର ପ୍ରଦର୍ଶନ ବନ୍ଦ କରିବା ଲାଗି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି । ସିପିଏମ୍‌ ନେତା ନୀଳୋତ୍ପଳ ବସୁ କହିଛନ୍ତି ପୂର୍ବରୁ ମୋଦିଙ୍କ ଉପରେ ନିର୍ମିତ ଫିଲ୍ମକୁ କମିଶନ ବନ୍ଦ କରିଛନ୍ତି । ତେଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମମତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମକୁ ବନ୍ଦ କରାଯିବା ଉଚିତ । ସେହିଭଳି ବିଜେପି ମଧ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଫିଲ୍ମ ପ୍ରଦର୍ଶନ ବନ୍ଦ କରିବାକୁ ଦାବି କରିଛି । ବିଜେପି ପକ୍ଷରୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି କି ଫିଲ୍ମ ମୁକ୍ତିଲାଭ କରିବା ପୂର୍ବରୁ ସ୍ୱତନ୍ତ୍ର ଟିମ୍‌ ପଠାଇ ଏହାର ସମୀକ୍ଷା କରାଯାଉ । ଯେଭଳି ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ କ୍ଷେତ୍ରରେ ହୋଇଥିଲା । ନିର୍ବାଚନ କମିଶନ ମଧ୍ୟ ଏହି ଫିଲ୍ମ ଉପରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗରେ ଆସନ୍ତା ମେ ୭ ଓ ମେ ୧୨ରେ ମତଦାନ ହେବ । କିନ୍ତୁ ତା ପୂର୍ବରୁ ମେ ୩ରେ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ ନିର୍ବାଚନ କମିଶନ ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ବନ୍ଦ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିବେକ ଓବେରୟ ଅଭିନୀତ ଏହି ଫିଲ୍ମ ଏପ୍ରିଲ ୧୧ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଏହା ବିରୋଧରେ ଅଭିଯୋଗ କରାଯାଇଥିଲା । ସେମାନେ ଦର୍ଶାଇଥିଲେ କି ବର୍ତ୍ତମାନ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିବାରୁ ଏହି ଫିଲ୍ମର ମୁକ୍ତିଲାଭ ଓ ପ୍ରଦର୍ଶନ ଉପରେ ରୋକ୍‌ ଲଗାଯିବାର ଆବଶ୍ୟକତା ରହିଛି ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ