ଫୋନିକୁ ପୂରିଲା ସପ୍ତାହେ,ଆଜି ରାଜଧାନୀର ୮୦% ଉପଭୋକ୍ତାଙ୍କୁ ବିଜୁଳି

ଭୁବନେଶ୍ୱର,୧୦ ।୫(ବ୍ୟୁରୋ): ଫୋନିକୁ ୭ ଦିନ ବିତିଲା । ତଥାପି ପାଣି ମିଳୁନି, ବିଜୁଳି ନାହିଁ । ଅତିଷ୍ଠ ହୋଇଗଲେଣି ଲୋକ । ଯମ ଯନ୍ତ୍ରଣାରେ ଜୀବନ ଛଟପଟ । ସରକାର ବିଜୁଳି ଓ ଜଳ ଯୋଗାଣ ସ୍ୱାଭାବିକ ହେବ ବୋଲି ସରକାର ଆଶ୍ୱାସନା ଦେଉଛନ୍ତି । ମାତ୍ର ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନି ।

ଗୁରୁବାର ସୁଦ୍ଧା ଭୁବନେଶ୍ୱରର ମାତ୍ର ୩୭% ବିଜୁଳି ଉପଭୋକ୍ତାଙ୍କୁ ମିଳିଛି ବିଦ୍ୟୁତ ସଂଯୋଗ । ବ୍ୟାପକ ଅଞ୍ଚଳରେ ଅନ୍ଧାରର ରାଜୁତି । ରାତି ତମାମ୍‌ ଯନ୍ତ୍ରଣାରେ ଛଟପଟ ହେଲା ପରେ ସକାଳ ହେଲେ ଲୋକେ ଆଶା ବାନ୍ଧୁଛନ୍ତି, ଆଜି ଆସିଯିବ ବିଜୁଳି । ସଂଧ୍ୟା ବଢ଼ିଲେ ଆଶା ମଉଳିଯାଉଛି-ପୁଣି ଅନ୍ଧାରରେ କଟିବ ଆଉ ଗୋଟିଏ ରାତି ।

ପାଣିପାଗ ବିଭାଗ ଆକଳନ କଲାଣି ଯେ ତାପମାତ୍ରା ଆହୁରି ୩ ଡିଗ୍ରୀ ପାଖାପାଖି ବଢ଼ିବ । ଅସମ୍ଭାଳ ଗରମକୁ ଏ ବର୍ଦ୍ଧିତ ତାପମାତ୍ରା ଜନଜୀବନକୁ ଆହୁରି ବିଗାଡ଼ିଦେବ । ବିନା ବିଜୁଳିରେ ବୟସ୍କ ଓ ଅସୁସ୍ଥଙ୍କ ଅବସ୍ଥା ସାଂଘାତିକ ହେଲାଣି । 

ସରକାର ଆଜି କହଛନ୍ତି, ଶୁକ୍ରବାର ସୁଦ୍ଧା ରାଜଧାନୀରେ ୮୦% ଉପଭୋକ୍ତା ବିଜୁଳି ସଂଯୋଗ ପାଇବେ । ୧୨ ସୁଦ୍ଧା ସମଗ୍ର ରାଜଧାନୀରେ ମିଳିବ ବିଜୁଳି । ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରରେ ୮୬ ହଜାର ଘରୋଇ ଉପଭୋକ୍ତାଙ୍କୁ ବିଜୁଳି ମିଳିସାରିଛି । ଭୁବନେଶ୍ୱର ବିସିଡିଡି-୧ ର ୪୪ ଫିଡର ମଧ୍ୟରୁ ୩୭ଟି କାର୍ଯ୍ୟକ୍ଷମ ହୋଇଛି । ଆଉ ୭ଟି ଫିଡର କାର୍ଯ୍ୟକ୍ଷମ ହେବ । ବିସିଡିଡି- ୨ର ୬୬ ୧୧ କେଭି ଫିଡରରୁ ୨୯ ପ୍ରସ୍ତୁତ ହୋଇଛି । ବିିଇଡିର ୩୭ ଫିଡରରୁ ୧୫ଟି ପ୍ରସ୍ତୁତ ହୋଇଯାଇଛି । ଭୁବନେଶ୍ୱରରେ ୩ ହଜାର କର୍ମଚାରୀ କାମରେ ଲାଗିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁଛି । ପର୍ଯ୍ୟାୟକ୍ରମେ ୧୨ ସୁଦ୍ଧା ସମଗ୍ର ଭୁବନେଶ୍ୱର ସହରାଞ୍ଚଳକୁ ବିଜୁଳି ସଂଯୋଗ ଦିଆଯିବ । ସରକାର ରାଜଧାନୀରେ ବିଜୁଳି ସଂଯୋଗ ନେଉ ଯେଉଁ ପରିସଂଖ୍ୟାନ ଦେଉଛନ୍ତି, ତାହାର ସତ୍ୟତା ନେଇ ମଧ୍ୟ ସାଧାରଣରେ ସନ୍ଦେହ ଉପୁଜୁଛି ।

ଖୋର୍ଦ୍ଧାରେ ୧୦୦ ଗ୍ୟାଙ୍ଗ କାମରେ ଲାଗିଛନ୍ତି । ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲଙ୍ଗାନାରୁ ଅଧିକ ଶ୍ରମିକ ଆସୁଛନ୍ତି । ଶୁକ୍ରବାରଠାରୁ ୫ ଶହ ଆଇଟିଆଇ ଓ ପଲିଟେକନିକ୍‌ ପିଲା କାମରେ ସାମିଲ ହେବେ । ଖୋର୍ଦ୍ଧାରେ ୫୦% ଉପଭୋକ୍ତାଙ୍କୁ  ବିଜୁଳି ସଂଯୋଗ ଦିଆଯାଇଛି ।

ପୁରୀରେ କାମ ମଧ୍ୟ ଯୁଦ୍ଧକାଳୀନ ଚାଲିଛି । ୧୨ ତାରିଖ ସୁଦ୍ଧା ବଡ଼ଦାଣ୍ଡରେ ବିଜୁଳି ସଂଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି । ୧୭୫ଟି ଗ୍ୟାଙ୍ଗର ୧୮୦୦ ବିଦ୍ୟୁତ କର୍ମଚାରୀ ଦିନ ରାତି କାମ କରୁଛନ୍ତି । ୧୫ ତାରିଖରୁ ପୁରୀ ସହର ଅବଶିଷ୍ଟ ଅଞ୍ଚଳ ଓ କୋଣାର୍କରେ ବିଜୁଳି ଯୋଗାଣ ଆରମ୍ଭ କରାଯିବ । ପଶ୍ଚିମବଙ୍ଗ, ଆନ୍ଧ୍ର ଓ ତେଲଙ୍ଗାନାରୁ ପ୍ରାୟ ୩୦୦ ଗ୍ୟାଙ୍ଗ୍‌ ଅଣାଯାଇ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସୂଚନା ଦେଇ ସଚିବ କହିଛନ୍ତି, ଭୁବନେଶ୍ୱର ସହ ପୁରୀ, ଖୋର୍ଦ୍ଧା ଓ ଜଟଣୀ ଆଦି ସହରରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଛି । ବାତ୍ୟା ପ୍ରଭାବିତ ୭ଟି ଜିଲ୍ଲାରେ ଥିବା ୨୩୪୬ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ୧୫୫୦ କାର୍ଯ୍ୟକ୍ଷମ କରାଯାଇଛି । ଅବଶିଷ୍ଟକୁ ଆସନ୍ତା ୭ ଦିନ ଭିତରେ କାର୍ଯ୍ୟକ୍ଷମ କରାଯିବ । ପ୍ରଭାବିତ ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରେ ଜଳଯୋଗାଣ ସ୍ୱାଭାବିକ କରିବାକୁ ୭୪୧ ଓଭରହେଡ ଟାଙ୍କି, ୩୦୦ ଜେନସେଟ୍‌ ପଠାଯାଇଛି । ସବୁ ଜିଲ୍ଲାକୁ ୪୬୦ ଟ୍ୟାଙ୍କର ପଠାଯାଇଛି । ପୁରୀ ଓ ଖୋର୍ଦ୍ଧାକୁ କିନ୍ତୁ ସର୍ବାଧିକ ଫୋକସ୍‌ କରି ଜଳଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି । ସପ୍ତାହକ ମଧ୍ୟରେ ପ୍ରଭାବିତ ୧୪ ଜିଲ୍ଲାରେ ଜଳ ଯୋଗାଣ ଟ୍ରାକକୁ ଫେରିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ରାଜଧାନୀ ସହ ଖୋର୍ଦ୍ଧାରେ ବହୁ ଅଞ୍ଚଳର ଲୋକମାନେ ନିଜସ୍ୱ ଉଦ୍ୟମରେ ଜଳ ସଂଗ୍ରହ କରୁଛନ୍ତି । ଏଥିପାଇଁ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ।

ଅପହଞ୍ଚ ମୋବାଇଲ ସେବା ଏବେ ରିଲିଫ ଓ ପୁନରୁଦ୍ଧାର କାମରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ମୋବାଇଲ ସେବାକୁ ସ୍ୱାଭାବିକ କରିବାକୁ ବିଏସଏନଏଲର ୨ଟି, ଜିଓର ୨ଟି, ଏୟାରଟେଲ ଏବଂ ଭୋଡାଫୋନର ଗୋଟିଏ ଲେଖାଏଁ ମାଷ୍ଟର ସୁଇଚିଂ ସେଣ୍ଟରକୁ ବିଜୁଳି ସଂଯୋଗ ଦିଆଯାଇଛି । ସେହିଭଳି ମୋବାଇଲ ସର୍ଭିସ ପ୍ରୋଭାଇଡରଙ୍କ ବେସ୍‌ ସୁଇଚିଂ ସେଣ୍ଟରଗୁଡ଼ିକ ମଧ୍ୟ ଡିଜି ସେଟରେ କାର୍ଯ୍ୟକ୍ଷମ ଅଛି । ତେବେ ୪ ହଜାର ୫୪୩ ଟାୱାର ମଧ୍ୟରୁ ୧୪୫୦ ଟାୱାର କାର୍ଯ୍ୟକ୍ଷମ ଅଛି । ଭୁବନେଶ୍ୱରର ୭୫% ବ୍ୟାଙ୍କକୁ ଟେଲିଫୋନ ଲାଇନ୍‌ ମିଳିସାରିଛି । ଖୁବଶୀଘ୍ର ଏ ସ୍ଥିତିରେ ଉନ୍ନତି ଆସିବ ବୋଲି ସରକାର ଆଶ୍ୱସ୍ତ କରିଛନ୍ତି ।

ବିଜୁଳି ଓ ଇଣ୍ଟରନେଟ୍‌ ନଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ପୁରୀରେ ୨୩୯ ବ୍ୟାଙ୍କ ଶାଖାରୁ ୬୦ କାମ କରୁଛି । ୨୭୩ ଏଟିଏମରୁ ୨୦ଟି କାମ କରୁଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୭୦୭ ବ୍ୟାଙ୍କ ଶାଖାରୁ ୩୦୭ ଶାଖା କାମ କରୁଛି । କଟକରେ ୪୨୨ ବ୍ୟାଙ୍କ ଶାଖାରୁ ୨୬୦ କାର୍ଯ୍ୟକ୍ଷମ ଅଛି । ୫୯୩ ଏଟିଏମରୁ ୧୬୨ କାମ କରୁଛି । ତୁରନ୍ତ ଗ୍ରାମାଞ୍ଚଳକୁ ଭ୍ରାମ୍ୟମାଣ ଏଟିଏମ୍‌ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାର ଆଜି ସ୍ୱୀକାର କରିଛନ୍ତି ଯେ, ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଫସଲ ହାନି ହୋଇଛି । ତେବେ ୧ ଲକ୍ଷ ୨୧ ହଜାର ହେକ୍ଟର ଜମିରେ ୩୩%ରୁ କମ୍‌ ଫସଲ ହାନି ହୋଇଛି । ଏଥିରୁ ୩୬ ହଜାର ୮୯୬ ହେକ୍ଟର ଜଳସେଚିତ ଏବଂ ୭୨ ହଜାର ୭୮୬ ଅଣଜଳସେଚିତ । ନଡିଆ, ଆମ୍ବ, କଦଳୀ, କାଜୁ ଓ ପାନ ଚାଷ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ ୧୪୫ କୋଟି ୪୫ ଲକ୍ଷ ଟଙ୍କାର ସହାୟତା ଆବଶ୍ୟକ ହେବ । ଏ ନେଇ ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି । ରିଲିଫ ବଣ୍ଟନ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ସରକାର ଦାବି କରୁଛନ୍ତି ।

ସରକାର ବିଜୁଳି, ପାଣି, ମୋବାଇଲ ସେବା ଓ ନଗଦ ଟଙ୍କା ପାଇବାକୁ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ କେହି ଭରସା କରିପାରୁନାହାନ୍ତି । ଏପଟେ ଭୟାନକ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ଦେଲାଣି ସତର୍କ ସୂଚନା ।