ପ୍ରମେୟ ନ୍ୟୁଜ-୭ର ପ୍ରଭାବ: ଅଦିନିଆ ରଥଯାତ୍ରାକୁ ବିରୋଧମୁଣ୍ଡ ନୁଆଁଇଲା ଇସ୍କନ୍‌

ଭୁବନେଶ୍ୱର୧୦/୯ : ଅଦିନରେ ରଥଯାତ୍ରା ଯୋଜନା କରିଥିବା ଇସ୍କନ୍‌ ବିରୋଧରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଖାଲି ସେତିକି ନୁହେଁ ରାଜ୍ୟର ବିଭିନ୍ନ ଥାନାରେ ଇସ୍କନ୍‌ ନାଁରେ ଏତଲା ମଧ୍ୟ ହେଲା । ସବୁଆଡ଼ୁ ଚାପ ପଡ଼ିବା ପରେ ଇସ୍କନ୍‌ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ଏପଟେ ସୋମବାର ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଇସ୍କନ ବିରୋଧରେ ଏତଲା ଦେଇଛି ବିଜେପି ଲ’ ଆଣ୍ଡ ଲିଗାଲ୍‌ ସେଲ୍‌ ।  ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଇସ୍କନ୍‌ ଶାଖାର ସମ୍ପାଦକ ବନମାଳୀ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇସ୍କନ୍‌(ଲୁଧିଆନା ଶାଖା) ପକ୍ଷରୁ ଯେଉଁ ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା ତାହା କୋଟି କୋଟି ଓଡ଼ିଆଙ୍କ ଭାବନାକୁ କୁଠାରାଘାତ କରୁଛି । ଏହାକୁ ଦୃଷ୍ଟିରେ ରଖି ଆମେ ଉକ୍ତ ରଥଯାତ୍ରାକୁ ବନ୍ଦ କରୁଛୁ । ବିଧି ମୁତାବକ ପ୍ରତି ବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଆମେ ରଥଯାତ୍ରା ପାଳନ କରିବୁ ।
 

ଇସ୍କନ୍‌ (ଲୁଧିଆନା ଶାଖା)ର ଏଭଳି କାର୍ଯ୍ୟକଳାପ ବିରୋଧରେ ପ୍ରଥମେ ସ୍ୱର ଉଠାଇଥିଲା ‘ପ୍ରମେୟ ନ୍ୟୁଜ୍‌-୭’ । ଏହାପରେ ଆରମ୍ଭ ହୋଇଥିଲା ତନାଘନା । ବହୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବାଧ୍ୟ ହୋଇ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ରାଜି ହୋଇଥିଲେ ଇସ୍କନ୍‌ କର୍ତ୍ତୃପକ୍ଷ । ପରେ ଲୁଧିଆନା ଇସ୍କନ୍‌ ପରିଚାଳନା ସଦସ୍ୟ ଅମିତ ଗର୍ଗଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ସମସ୍ୟାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ଅନ୍ୟ ବରିଷ୍ଠ କର୍ମକର୍ତ୍ତା । ‘ପ୍ରମେୟ ନ୍ୟୁଜ୍‌-୭’କୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ଅମିତ ଗର୍ଗ । ତେବେ ଶେଷରେ ବଦଳିଛି ଇସ୍କନ୍‌ର ଆଭିମୁଖ୍ୟ । ନଭେମ୍ବରରେ ଲୁଧିଆନାରେ ହେବାକୁ ଥିବା ଇସ୍କନ୍‌ ରଥ ଯାତ୍ରା ବନ୍ଦ ହେବ ବୋଲି ଇସ୍କନ ଘୋଷଣା କରିଛି ।

 ଅନ୍ୟ ପକ୍ଷରେ ‘ପ୍ରମେୟ ନ୍ୟୁଜ୍‌-୭’କୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧରେ ଅମିତ ଯେଉଁ ଅପମାନଜନକ ମନ୍ତବ୍ୟ ଦେଇଥିଲେ ତାକୁ ଏଡ଼ାଇ ଦେଇଛନ୍ତି ଭୁବନେଶ୍ୱର ଇସ୍କନ୍‌ ସମ୍ପାଦକ ଶ୍ରୀ ଦାସ । ଏପଟେ ବିବାଦ ବଢ଼ୁଥିବା ଦେଖି ଅମିତ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।
 

ବଡ଼କଥା ହେଲା ଅଦିନିଆ ରଥଯାତ୍ରା ନ କରିବା ପାଇଁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ ଚିଠିକୁ ବି ଅଣଦେଖା କରିଥିଲା ଇସ୍କନ୍‌ । ‘ପ୍ରମେୟ ନ୍ୟୁଜ୍‌-୭’ ଏହି ପ୍ରସଙ୍ଗକୁ ଉଠାଇବା ବେଳେ ନିଜ ଭୁଲ ସୁଧାରିବାକୁ ଆଗକୁ ଆସିଥିଲେ ଇସ୍କନ୍‌ କର୍ତ୍ତୃପକ୍ଷ । ବିଭିନ୍ନ ସ୍ଥାନରେ ହେଉଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଇବାକୁ ଶ୍ରୀଜଗନ୍ନାଥ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ମଧ୍ୟ ନିଜ ଜିଦ୍‌ରେ ଅଟଳ ଥିଲା ଇସ୍କନ୍‌ । ହେଲେ ‘ପ୍ରମେୟ ନ୍ୟୁଜ୍‌-୭’ର ପ୍ରୟାସ ପରେ ବାଟକୁ ଆସିଛି ଇସ୍କନ୍‌ ।
 

ଅପରପକ୍ଷରେ କ୍ୟାପିଟାଲ ଥାନାରେ ଇସ୍କନ ବିଜେପି ଲ’ ଆଣ୍ଡ ଲିଗାଲ୍‌” ସେଲ୍‌ ପକ୍ଷରୁ ଦିଆ ଯାଇଥିବା ଏତଲାରେ ଉଲ୍ଲେଖ ରହିଛି, ବିଧି ଅନୁସାରେ ପ୍ରତି ବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ସାରା ବିଶ୍ୱରେ ରଥଯାତ୍ରା ପାଳନ କରାଯାଏ । ହେଲେ ଜଗନ୍ନାଥ ସଂସ୍କୃତିକୁ ଦଳିମକଚି ୨୦୧୯ ନଭେମ୍ବର ୨୭ ତାରିଖରେ ଇସ୍କନ୍‌(ଲୁଧିଆନା ଶାଖା) ପକ୍ଷରୁ ପଞ୍ଜାବରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରିବାକୁ ଯାଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ୍‌ । ଇସ୍କନ୍‌ର ଏମିତି ପାଗଳାମି କୋଟି କୋଟି ଜଗନ୍ନାଥପ୍ରେମୀକୁ ଆଘାତ ଦେଉଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଦାବି କରିଛି ଇସ୍କନ୍‌ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ନ’ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ବିଜେପି ଏତଲା ଦେବାର କିଛି ସମୟ ପରେ ସ୍ପଷ୍ଟୀକରଣ ଦେଇଛନ୍ତି ଶ୍ରୀ ଦାସ । ସୂଚନାଯୋଗ୍ୟ, ରବିବାର ଦିନ ମଧ୍ୟ ଇସ୍କନ ବିରୋଧରେ ପୁରୀ ଟାଉନ୍‌ ଥାନାରେ ଏତଲା ଦେଇଥିଲେ କିଛି ଜଗନ୍ନାଥ ପ୍ରେମୀ ।

   ସମ୍ବନ୍ଧିତ ଖବର


ବାଇକ୍ ଆ​ରୋହୀ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ଯୁବକ ମୃତ

୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି