ଜମ୍ମୁ ଝିଅ ହେଲେ ରାଜସ୍ଥାନ ବୋହୂ

ନୂଆଦିଲ୍ଲୀ ୨୫/୮ : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରିବା ପରେ ଜମ୍ମୁର ଜଣେ ଝିଅ ପ୍ରଥମକରି ରାଜସ୍ଥାନର ବୋହୂ ବନିବାର ସୌଭାଗ୍ୟଲାଭ କରିଛନ୍ତି । ଜମ୍ମୁର କାମିନୀ ରାଜପୁତଙ୍କ ସହିତ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ପୁରୁଣା ସହରରେ ରହୁଥିବା ଅକ୍ଷୟ କୁକ୍କଡଙ୍କ ବିବାହ ହୋଇଛି ।

ଶୁକ୍ରବାର ଉଭୟ ନବଦମ୍ପତି ଶ୍ରୀଗଙ୍ଗାନଗର ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ବିବାହ ପଞ୍ଜୀକରଣ କରିବାକୁ ଆସିଥିଲେ । ସେମାନଙ୍କ ସହିତ ଉଭୟ ପରିବାରର ସଦସ୍ୟମାନେ ମଧ୍ୟ ଆସି ପହଞ୍ଚିଥିଲେ । କିନ୍ତୁ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କାରଣରୁ ସରକାରୀ ଛୁଟିଥିଲା । ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ଥିବାରୁ ସେମାନେ ସମସ୍ତେ ଫେରିଯାଇଥିଲେ । ତେଣୁ ସେମାନଙ୍କ ବିବାହ ଉପରେ ସରକାରୀ ମୋହର ଲାଗିପାରି ନଥିଲା । କିନ୍ତୁ ସେମାନେ ପରେ ଆସି ବିବାହ ପଞ୍ଜୀକର କରିବେ ବୋଲି କହିଥିଲେ ।

ଉଭୟ ଅକ୍ଷୟ ଓ କାମିନୀଙ୍କ ପ୍ରଥମେ ଦେଖାସାକ୍ଷାତ ଓ ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଶେଷରେ ତାହା ବିବାହ ବନ୍ଧନର ରୂପ ନେଇଥିଲା । ସୂଚନା ଅନୁସାରେ ଅକ୍ଷୟ ଦୁଇବର୍ଷ ତଳେ ଦିଲ୍ଲୀର ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ସେଠାରେ ସେ ଘରଭଡା ନେଇ ରହୁଥିଲେ । ତାଙ୍କ ଘର ପାଖରେ ଥିବା ଏକ ଘରେ କାମିନୀ ରହୁଥିଲେ । କାମିନୀ ଜମ୍ମୁ ବାସିନ୍ଦା ହୋଇଥିଲା ବେଳେ ଦିଲ୍ଲୀରେ ରହୁଥିବା ତାଙ୍କ ଖୁଡିଙ୍କ ପାଖକୁ ବେଳେ ବେଳେ ଆସି ରହୁଥିଲେ ।

ସେଠାରେ କିଛିଦିନ ରହିବା ଭିତରେ ଅକ୍ଷୟଙ୍କ ସହିତ ତାଙ୍କର ପ୍ରଥମେ ଦେଖାସାକ୍ଷାତ ହୋଇଥିଲା । କିଛିଦିନର ଦେଖା ସାକ୍ଷାତ ଭିତରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଲା । ଧିରେ ଧିରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ଶେଷରେ ସେମାନେ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । ହେଲେ ଧାରା ୩୭୦ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା । ଏହି ଧାରା ଯୋଗୁ ଜମ୍ମୁ-କାଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟର ପୁଅମାନଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ । କାରଣ ସେମାନେ ଅନ୍ୟ ରାଜ୍ୟର ପୁଅଙ୍କୁ ବିବାହ କଲେ ନିଜ ରାଜ୍ୟରେ ଥିବା ତାଙ୍କର ନାଗରିକତା ସେ ହରାଇବାକୁ ପଡୁଥିଲା ।

ଭାରତ ସରକାର ଜମ୍ମୁ-କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ସଂକ୍ରାନ୍ତ ଧାରା ୩୭୦କୁ ଚଳିତମାସ ପ୍ରାରମ୍ଭରେ ଉଚ୍ଛେଦ କରିବା ପରେ ଅକ୍ଷୟ ଓ କାମିନୀଙ୍କ ବିବାହ ନେଇ ଆଶା ଉଜ୍ଜୀବିତ ହୋଇଥିଲା । ଏଥିପାଇଁ ଉଭୟ ପରିବାର ମଧ୍ୟରେ କଥାବାର୍ତ୍ତା ବି ଚାଲିଥିଲା । ଶେଷରେ ଉଭୟ ପରିବାର ରାଜି ହେବା ପରେ କାମିନୀ ଓ ଅକ୍ଷୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହକୁ ନେଇ କେବଳ ଉଭୟ ପରିଜନ ନୁହନ୍ତି, ଶ୍ରୀଗଙ୍ଗାନଗର ଅଞ୍ଚଳର ଲୋକମାନେ ମଧ୍ୟ ବେଶ୍‌ ଉତ୍ସାହିତ । ଏଥିପାଇଁ ସେମାନେ ମୋଦି ସରକାରଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି ।