ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ନୂଆଦିଲ୍ଲୀ, ୩୦/ ୧୦: ମହାମାରୀ କରେନା ଭାଇରସ୍‌ ସାରା ବିଶ୍ବବାସୀଙ୍କୁ ଅତିବ୍ୟସ୍ତ କରି ସାରିଲାଣି। ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକ ମାନେ କରୁଛନ୍ତି ନୂଆ ନୂଆ ଅନୁସନ୍ଧାନ। କରୋନା ଟିକା ପ୍ରସ୍ତୁତ କରିବା ପାଇଁ କରୁଛନ୍ତି ଗବେଷଣା। ଏସବୁ ମଧ୍ୟରେ ଆସିଛି ଆଉ ଏକ ଖବର। ପ୍ରୟାଗରାଜର ମୋତିଲାଲ ନେହେରୁ ମେଡିକାଲ କଲେଜ ପକ୍ଷରୁ କରୋନା ସଂକ୍ରମଣ ଚିହ୍ନଟ କରାଯିବା ପାଇଁ କରାଯାଇଛି ନୂଆ ଅନୁସନ୍ଧାନ। ଏଣିକି ଏହି ଅନୁସନ୍ଧାନ ବଳରେ ପରିସ୍ରା ମାଧ୍ୟମରେ କରୋନା ପରୀକ୍ଷା କରାଯାଇ ସଂକ୍ରମଣ ବିଷୟରେ ଜାଣି ହେବ। ଏହି ଅନୁସନ୍ଧାନ ବଳରେ ସଠିକ୍‌ ଓ ଶୀଘ୍ର ତଥ୍ୟ ଆସିବ ବୋଲି ମେଡିକାଲ କଲେଜ ପକ୍ଷରୁ କୁହାଯାଇଛି।

ମୋତିଲାଲ ନେହେରୁ ମେଡିକାଲ କଲେଜର ମାଇକ୍ରୋବାଇଲୋଜି ବିଭାଗ ପକ୍ଷରୁ କରୋନା ସଂକ୍ରମିତଙ୍କ ପରିସ୍ରାକୁ ନେଇ ଅନୁସନ୍ଧାନ କରାଯାଉଛି। ଏଥିପାଇଁ ପାଖାପାଖି ୫୦ ଜଣ କରୋନା ସଂକ୍ରମିତଙ୍କ ପରିସ୍ରା ସାମ୍ପେଲ ନିଆଯାଇଛି। ଅନୁସନ୍ଧାନ ସମୟରେ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାରମ୍ଭିକ କରୋନା ଲକ୍ଷଣରେ ଏହା ସମ୍ଭବ ହୋଇଥାଏ।

ଏସଆରଏନର କରୋନା ନୋଡାଲ ଅଫିସର ଡ. ସଜୁିତ ରାୟଙ୍କ ମୁତାବିକ, ପରିସ୍ରା ଦ୍ବାରା କରୋନା ସଂକ୍ରମଣ ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି। ଏଥିପାଇଁ କରୋନା ସଂକ୍ରମିତଙ୍କ ପରିସ୍ରା ସଂଗ୍ରହ କରାଯାଇ ଅନୁସନ୍ଧାନ କରାଯାଉଛି। ପରିସ୍ରାରୁୂ କରୋନା ଚିହ୍ନଟ ହୋଇ ପାରିବ ନା ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ଆମ ଟିମ୍‌ ଆଶା କରୁଛୁ ଯେ ଖୁବଶୀଘ୍ର ସକାରତ୍ମକ ଖବର ଆସିବ ବୋଲି ଶ୍ରୀ ରାୟ କହିଛନ୍ତି।