ରୋହିତଙ୍କ ମୃତ୍ୟୁ ମାମଲାରୁ ଧିରେ ଧିରେ ଉଠୁଛି ପରଦା, ମା’ କହିଲେ ପୁଅ-ବୋହୁ ଭିତରେ ସମ୍ପର୍କ ଭଲନଥିଲା

ନୂଆଦିଲ୍ଲୀ,୨୦।୪: ରୋହିତ ଶେଖର ତିଓ୍ବାରିଙ୍କ ରହସ୍ୟମୟ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ପ୍ରଥମେ କୁହାଯାଉଥିଲା ଯେ, ରୋହିତଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଛି। କିନ୍ତୁ ତାଙ୍କର ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଛି। ଏସବୁ ଘଟଣା ଉପରୁ ପର୍ଦ୍ଦା ହଟିବା ପରେ ଆଜି ରୋହିତଙ୍କ ମା’ ଉଜ୍ବଳା ତିଓ୍ବାରି କହିଛନ୍ତି ବିବାହର ପ୍ରଥମ ଦିନରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଦୁହିଁଙ୍କର ସମ୍ପର୍କ ଭଲ ନଥିଲା। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପରସ୍ପର ପ୍ରେମ ବିବାହ କରିଥିଲେ ମଧ୍ୟ ସମ୍ପର୍କ ଖୁବ୍ ଖରାପ ଦିଗରେ ଗତି କରିଥିଲା।

ରୋହିତଙ୍କ ମା’ କହିଛନ୍ତି ତାଙ୍କ ପୁଅକୁ ୨୦୦୭ରେ ପ୍ରଥମ ଥର ପାଇଁ ହାର୍ଟଆଟାକ୍ ହୋଇଥିଲା। ସେ କେତେ ମାନସିକ ଅଶାନ୍ତିରେ ଥିବେ ଆପଣମାନେ ଭାବିପାରୁଥିବେ। ରୋହିତଙ୍କ ବାଇପାସ୍ ସର୍ଜରୀ ମଧ୍ୟ ହୋଇସାରିଛି। ରୋହିତଙ୍କ ମା’ ଉଜ୍ବଳାଙ୍କୁ ଯେତେବେଳେ ପଚରାଯାଇଥିଲା ତାଙ୍କୁ ବୋହୁ ଉପରେ ସନ୍ଦେହ ଅଛି କି? ଏହାର ଉତ୍ତରରେ ସେ କହିଥିଲେ, ମୁଁ ଏହି କଥାକୁ କଳ୍ପନା କରିପାରୁନି। ସେ ମୋ ସହ ସବୁ ସ୍ଥାନ ଯେପରିକି ହସ୍ପିଟାଲ, ଘର ଏବଂ ଅସ୍ଥି ବିସର୍ଜନ ସମୟରେ ଥିଲେ। ମୁଁ ଏଭଳି ଭାବିପାରିବିନି, ତେବେ ମୋ ପୁଅ ସହିତ କ’ଣ ହୋଇଛି କିଛି ଜାଣିନାହିଁ। ରୋହିତ ମଦ ପିଉଥିଲେ ଏବଂ ଘଟଣା ଦିନ ରାତିରେ ମଧ୍ୟ ପିଇକି ଶୋଇଥିଲେ ବୋଲି ତାଙ୍କ ମା’ କହିଛନ୍ତି।

ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ରୋହିତ ଶେଖର ତିଓ୍ବାରୀଙ୍କ ପତ୍ନୀ ଅପୂର୍ବାଙ୍କୁ ପଚରାଉଚରା କରିଛି। ସୂଚନା ଅନୁସାରେ ରୋହିତଙ୍କ ରହସ୍ୟମୟ ମୃତ୍ୟୁର ୩ ଦିନ ପରେ ଆସିଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ରୋହିତଙ୍କ ମୃତ୍ୟୁ ଅପ୍ରାକୃତିକ ଉପାୟରେ ହୋଇଛି। ପୋଲିସ କମିଶନର ବିଜୟ କୁମାର ଗତ ଶୁକ୍ରବାର କହିଥିଳେ ଯେ ରୋହିତଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ସେ ତାଙ୍କୁ ଗଳାଚିପି ହତ୍ୟା କରାଯାଇଛି। ଏଥିରେ ଅନ୍ୟ ବିରୋଧ ଭାଷ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦିଆଯାଇଥିଲା।

ରୋହିତ ହେଉଛନ୍ତି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିଓ୍ବାରିଙ୍କ ବିରୋଧରେ ପିତୃତ୍ବ ଅଧିକାର ମକଦ୍ଦମା ଜିତିଥିଲେ।ଗତ ବୁଧବାର ତାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ଅଣାଯିବା ପରେ ମୃତ ଘୋଷିତ କରାଯାଇଥିଲା। ତାଙ୍କର ମା ଉଜ୍ବଳା ତିଓ୍ବାରି ତାଙ୍କୁ ଏକ ଆମ୍ବୁଲାନ୍ସରେ ସେଠାକୁ ଆଣିଥିଲେ।ତେବେ ଗତକାଲି ଫରେନସିକ୍ ଓ କ୍ରାଇମବ୍ରାଞ୍ଚ ଟିମ୍ ଘଟଣା ସମ୍ପର୍କରେ ସିସିଟିଭି ଫୁଟେଜ ବାହାର କରିବା ସହିତ ପ୍ରମାଣ ଏକାଠି କରିବା ପାଇଁ ଡିଫେନ୍ସ କଲୋନୀରେ ଥିବା ରୋହିତଙ୍କ ବାସଭବନକୁ ଯାଇଥିଲା। କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ଏ ସମ୍ପର୍କରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହି ମାମଲାରେ ରୋହିତଙ୍କ ମା ଉଜ୍ବଳା, ତାଙ୍କ ପତ୍ନୀ ଏବଂ ୪ଜଣ ଚାକରଙ୍କୁ ପଚରାଉଚରା କରାଯାଇଛି।