କଲୋମ୍ବୋ ବସଷ୍ଟାଣ୍ଡରୁ ୮୭ଟି ଡିଟୋନେଟର ଉଦ୍ଧାର, ଶ୍ରୀଲଙ୍କାଙ୍କୁ ଲାଗି ରହିଥିବା ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ

ନୂଆଦିଲ୍ଲୀ,୨୨।୪: ଶ୍ରୀଲଙ୍କାରେ ପୁଣିଥରେ ଆଉ ଏକ ବିସ୍ଫୋରଣ କରିବାର ଯୋଜନାରେ ଅଛନ୍ତି ଆକ୍ରମଣକାରୀ। ଗତକାଲି ଇଷ୍ଟର ଅବସରରେ ୮ ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୮୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହାପରେ ଗତକାଲି ମଧ୍ୟରାତିରେ ଶ୍ରୀଲଙ୍କାର ଏକ ବିମାନବନ୍ଦର ନିକଟରୁ ବୋମା ଉଦ୍ଧାର କରାଯାଇଥିଲା। ଏହାପରେ ଆଜି ସକାଳେ କଲୋମ୍ବୋ ବସଷ୍ଟାଣ୍ଡ ନିକଟରୁ ୮୭ଟି ଡିଟୋନେଟର ଉଦ୍ଧାର କରାଯାଇଛି। ଲଗାତାର ଭାବରେ ଏତେ ପରିମାଣରେ ବିସ୍ଫୋରକ ମିଳିବା ପରେ ଶ୍ରୀଲଙ୍କାର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଶ୍ରୀଲଙ୍କାରେ ସିରିଜ୍ ବିସ୍ଫୋରଣ ପରେ ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ଯାହାକି ଆଜି ମଧ୍ୟ ରାତ୍ରିରୁ ଘୋଷଣା କରାଯିବ। ଭାରତରେ ଶ୍ରୀଲଙ୍କାଙ୍କୁ ଲାଗି ରହିଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। କାରଣ ଶ୍ରୀଲଙ୍କାରେ ବିସ୍ଫୋରଣ କରି ଷଡଯନ୍ତ୍ରକାରୀ ଭାରତୀୟ ସୀମାରେ ପ୍ରବେଶ କରିବାର ଆଶଙ୍କା ବଢିଯିବା ପରେ ତା’ର ଚେଷ୍ଟାକୁ ବିଫଳ କରିବା ପାଇଁ ଜାହାଜ ସହିତ ସମୁଦ୍ର ପଥ ଉପରେ ଡାର୍ନିୟର ବିମାନକୁ ମୁତୟନ କରାଯାଇଛି।