ପ୍ରାର୍ଥୀ ଘୋଷଣା ପରେ ତେଜିଲା ବିଦ୍ରୋହର ନିଆଁ

ଭୁବନେଶ୍ୱର,୧୯ ।୩(ବ୍ୟୁରୋ): ‘ଟିକେଟ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଏପରିକି ମୋ ବଦଳରେ ପତ୍ନୀଙ୍କୁ ମିଳିବ ବୋଲି କହିଲେ । ମାତ୍ର ଘୋଷିତ ତାଲିକାରେ ନାଁ ରହିଲାନି । ଏହା ବେଶ୍‌ ଆଘାତ ଦେଇଛି । ନାମାଙ୍କନ ଦାଖଲ ପାଇଁ ୫ ଦିନ ବାକି ଅଛି । ଶୁଭେଛୁ ଓ କର୍ମୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି । ମୋ ଟିକେଟ କାହିଁକି କଟିଲା, ଦଳ ଜବାବ ଦେଉ ।’ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଏମିତିି ନାଲିଆଖି ଦେଖାଇଛନ୍ତି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ । ବିଜେଡିକୁ କରିଛନ୍ତି ବାଏ ..ବାଏ.. । ବରଗଡ଼ର ପୂର୍ବତନ କଂଗ୍ରେସ ବିଧାୟକ ସାଧୁ ନେପାକ ବି ଅସନ୍ତୋଷ ଝାଡ଼ିଛନ୍ତି । ଟିକେଟ କଟିବା ପରେ ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି, ଏଠି ଷଡ଼ଯନ୍ତ୍ର ଚାଲିଛି । କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇଛନ୍ତି ସାଧୁ । ବିଜେପିରେ ଭେଟେରାନ ଦାମୋଦର ରାଉତ ଯୋଗ ଦେବା ପରେ ବାଲିକୁଦାଏରସମା ବିଜେପି ନେତା ରଘୁନନ୍ଦନ ଦାସ ନବୀନ ନିବାସମୁହାଁ ହୋଇଛନ୍ତି ।

ବିଜେଡି, କଂଗ୍ରେସ ଓ ବିଜେପି, ତିନି ଦଳରେ ଏବେ ସମାନ ଅବସ୍ଥା । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଅସନ୍ତୋଷ ଓ ବିଦ୍ରୋହର ନିଆଁ ତେଜିଛି । ଗୋଟିଏ କି ଦୁଇଟି ଜାଗାରେ ନୁହେଁ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଟିକେଟ୍‌ ଆରମ୍ଭ ହୋଇଛି ଛକାପଞ୍ଝା । ଦଳରେ ଉପୁଜିଥିବା ଅସନ୍ତୋଷକୁ କେମିତି ପ୍ରଶମିତ କରିହେବ ତା’ର ବାଟ ଖୋଜୁଛନ୍ତି ଦଳପତି । ମାତ୍ର କିଛି ବୁଦ୍ଧିବାଟ ଦିଶୁନି । ବିଦ୍ରୋହୀଙ୍କ ଗୋଟିଏ ଦାବି, ଆମକୁ ଟିକେଟ
ଦିଅ । ତିନି ଦଳରେ ତେଜିଛି ଅସନ୍ତୋଷର ଝଡ଼ । ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ତିନି ଦଳରେ ଏବେ ବିଦ୍ରୋହୀଙ୍କ ଟେନସନରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ଭୋଟ ପୂର୍ବରୁ ତିନି ଦଳରେ ଏବେ ବିଦ୍ରୋହର ବହ୍ନି । ଟିକେଟରୁ ବଞ୍ଚିତ ହେବା ପରେ କିଏ ଦଳ ଛାଡ଼ିଲାଣି, ଆଉ କିଏ ଧମକ ଦେଲାଣି । ଏ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ କିଛି ବି ରଣକୌଶଳ କାଟୁ କରୁନି । ବାଲିବନ୍ଧ ଭାଙ୍ଗିଲାଣି । ଦଳପତିଙ୍କ ଘଳିଆ ବାନ୍ଧିବା ଉଦ୍ୟମ ଫେଲ୍‌ ମାରୁଛି । ଅନ୍ୟ ଦଳକୁ ଡେଇଁବାକୁ ଗୋଟିି ଚଳାଉଛନ୍ତି ବିଦ୍ରୋହୀ । ଚଳିତ ନିର୍ବାଚନ ପୂର୍ବରୁ ଏ ଟଣାଓଟରା ବେଶ୍‌ ତେଜିଛି । କଳାହାଣ୍ଡିରୁ ତାଙ୍କୁ ବିଜେଡି ଟିକେଟ ନଦେଲେ ମଧ୍ୟ ପତ୍ନୀ ମାଳବିକାଙ୍କୁ ନିଶ୍ଚୟ ଦେବ । ଏମିତି ଆଶା ବାନ୍ଧିଥିଲେ କଳାହାଣ୍ଡି ବିଜେଡ଼ି ସାଂସଦ ଅର୍କକେଶରୀ ଦେଓ ।

ମାତ୍ର ତାଲିକାରେ ସାଂସଦ ଟିକେଟ ପାଇଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ଅର୍କଙ୍କ ଅଭିଯୋଗ, ପୁଷ୍ପେନ୍ଦ୍ରଙ୍କ ନେତୃତ୍ୱରେ ବିଜେଡି ପଞ୍ଚାୟତ ନିର୍ବାଚନ ଲଢ଼ି ଶୋଚନୀୟ ପରାଜୟ ବରଣ କରିଥିଲା । ମାତ୍ର ଏହା ସତ୍ତେ୍ୱ ଦଳ ପୁଷ୍ପେନ୍ଦ୍ରଙ୍କୁ ଭରସା କଲା, ଅର୍କଙ୍କ ହାତ ଛାଡ଼ିଦେଲା । କ୍ଷୁବ୍ଧ ଅର୍କ ଦିଲ୍ଲୀରେ ଡେରା ପକାଇଛନ୍ତି । ବିଜେପି ସହ ଯୋଗସୂତ୍ର ଆରମ୍ଭ କରିଥିବା ସୂଚନା ମିଳିଛି । ବିଧାନସଭା ଟିକେଟ ହରାଇଥିବା ବିଧାୟକମାନେ ମଧ୍ୟ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ପାରଳାଖେମୁଣ୍ଡି ଆସନରୁ ପୁଣି ଶଙ୍ଖ ଟିକେଟ୍‌ ପାଇବେ ବୋଲି ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଆଶାବାଦୀ ଥିଲେ । ମାତ୍ର ସେଠି ରାଜକନ୍ୟା କଲ୍ୟାଣୀ ଗଜପତିଙ୍କୁ ଧରି ମଇଦାନକୁ ଓହ୍ଲାଇବ ବୋଲି ଦଳ ନିଷ୍ପତ୍ତି ନେବା ପରେ ଶ୍ରୀ ରାଓ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳ ଜଣେ ଅଜଣା ମହିଳାଙ୍କୁ ଟିକେଟ ଦେଇ ମୋ ପ୍ରତି ଅନ୍ୟାୟ କରିଛି ବୋଲି ସେ ଅଭିଯୋଗ ଆଣିଛନ୍ତି । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଟିକେଟ କଟିବା ପରେ ସେ ବିଗିଡ଼ି ଯାଇଛନ୍ତି । ଦିଲ୍ଲୀରେ ଡେରା ପକାଇଛନ୍ତି । ନୟାଗଡ଼ରୁ ସେ ଲଢ଼ିବାକୁ ଆଗ୍ରହୀ ଅଛନ୍ତି ।ଯଦି ଦଳ ତାଙ୍କୁ ଟିକେଟ୍‌ ନ ଦିଏ ସେ ଅନ୍ୟ ଦଳରୁ କିମ୍ବା ସ୍ୱାଧୀନ ଭାବେ ଭୋଟ ଲଢ଼ିବେ ବୋଲି ମୃଦୁ ଧମକ ଦେଇଛନ୍ତି । ନବୀନ ତାଙ୍କୁ ନୟାଗଡ଼ରେ ଅରୁଣ ସାହୁଙ୍କ ସ୍ଥାନରେ ଟିକେଟ ଦେବେ ବୋଲି ଆଶା କମ୍‌ ।

ପୋଲସରା ପାଇଁ ବିଜେଡି ଆଶାୟୀ ଆରତୀ ଦେବୀ ଦଳ ବିରୋଧରେ ଗର୍ଜନ କରିଥିଲା ବେଳେ ଜୁନାଗଡ଼ ଆସନରୁ ଟିକେଟ ଆଶାରେ ଥାଇ ବଞ୍ଚିତ ପ୍ରମୋଦ ପଟ୍ଟନାୟକ ଦଳ ଛାଡ଼ିଛନ୍ତି । ସୁନ୍ଦରଗଡ଼ ଆସନରେ କଂଗ୍ରେସ ଛାଡ଼ି ଆସିଥିବା ଯୋଗେଶ ସିଂହଙ୍କ ଉପରେ ନବୀନ ଭରସା କରିବାରୁ ଅସନ୍ତୁଷ୍ଟ ହୋଇ କୁସୁମ ଟେଟେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ୫ ବର୍ଷ କାଳ ତାଙ୍କୁ ଖଟାଇ ଏବେ ଅନ୍ୟ ଲୋକଙ୍କୁ ଟିକେଟ ଦେବା ତାଙ୍କୁ ବାଧିଛି ବୋଲି କୁସୁମ କାନ୍ଦି କାନ୍ଦି କହିଛନ୍ତି । କଣ୍ଟାବାଞ୍ଝି ବିଧାୟକ ଆୟୁବ ଖାଁ ଟିକେଟ ନପାଇ ବିଦ୍ରୋହ ଆରମ୍ଭ କରିଛନ୍ତି ।

ପୂର୍ବରୁ ଏହି ଟିକେଟ୍‌ ବଣ୍ଟାକୁ ନେଇ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ସୁକାନ୍ତ ନାୟକ ଦଳ ଛାଡ଼ି ସାରିଛନ୍ତି । ବିଜେଡି ଆହୁରି ୧୨ ଲୋକସଭା ଏବଂ ୯୩ ବିଧାନସଭା ଟିକେଟ ଘୋଷଣାକୁ ବାକି ଅଛି । ଦ୍ୱିତୀୟ ଦ‘ା ଟିକେଟ ଘୋଷଣା ପରେ ବିଜେଡିରେ ଅସନ୍ତୋଷ ଆହୁରି ଉଗ୍ର ରୂପ ନେଇପାରେ । ଏପରିକି କିଛି ଦିନ ମଧ୍ୟରେ ଦଳରୁ ଆଉ କିଛି ହେଭିୱେଟ୍‌ ଅନ୍ୟ ଦଳକୁ ଡେଇଁ ପାରନ୍ତି ବୋଲି ଅନୁମାନ କରାଯାଉଛି ।
କଂଗ୍ରେସ ପ୍ରଥମ ଦ‘ାରେ ୬ ଲୋକସଭା ୩୬ ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଘୋଷଣା କରିଛି । ପ୍ରାର୍ଥୀ ତାଲିକା ଘୋଷଣା ପରେ କଂଗ୍ରେସରେ ବି ଅସନ୍ତୋଷ ଉଗ୍ର ରୂପ ନେଇଛି । ବରିଷ୍ଠ ନେତା ତଥା ଦଳର ମୁଖ୍ୟ ଛାଟିଆ ତାରା ପ୍ରସାଦ ବାହିନୀପତି ଟିକେଟ ବଣ୍ଟନ ନେଇ ଖୋଲା ଅସନ୍ତୋଷ ଜାହିର୍‌ କରିଛନ୍ତି । ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଟିକେଟରୁ ବଞ୍ଚିତ ହେବା ପରେ ଦଳ ଛାଡ଼ିଛନ୍ତି । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ନିମାଇଁ ସରକାର ମଧ୍ୟ ଟିକେଟରୁ ବଞ୍ଚିତ ହେବା ପରେ କଂଗ୍ରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ମଧ୍ୟ ଟିକେଟ ବଣ୍ଟନରେ ମନମାନିକୁ ନେଇ ନିଜ ଅସନ୍ତୋଷ ଝାଡ଼ିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, ୩୬ ଜଣ ମହିଳାଙ୍କ ତାଲିକା ଦେଇଥିଲୁ, ମାତ୍ର ଜଣେ ମହିଳା ଟିକେଟ୍‌ ପାଇଛନ୍ତି । ଯଦି ଉପଯୁକ୍ତ ଭାବେ ମହିଳାଙ୍କୁ ଟିକେଟ ନମିଳେ, ତେବେ ଆମେ ପ୍ରତିବାଦ କରିବୁ । ତାଙ୍କୁ ଭଦ୍ରକ ଟିକେଟ ନମିଳିଲେ, ଆଉ ଯିଏ କଂଗ୍ରେସରୁ ପାଇବ ୫ ହଜାର ଭୋଟ୍‌ ମିଳିବନି ବୋଲି ସୁମିତ୍ରା ଧମକାଇଛନ୍ତି ।
ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ହୋଇନି । ତେଣୁ ଦଳରେ ଏଯାଏ ଅସନ୍ତୋଷ ପଦାକୁ ଆସିନି । ମାତ୍ର ଦଳକୁ ଅନ୍ୟ ଦଳରୁ ବିଦ୍ରୋହୀମାନେ ଡିଆଁ ମାରୁଥିବାରୁ ପୁରୁଖା ନେତାମାନେ ନିଜ ଟିକେଟ କଟିବା ଚିନ୍ତାରେ ଅଛନ୍ତି । ବାଲିକୁଦାରେ ଦାମଙ୍କୁ ରଘୁନନ୍ଦନ ବିରୋଧ କରି ବିଜେଡିମୁହାଁ ହେଲା ଭଳି ଅନ୍ୟ କିଛି ସ୍ଥାନରେ ମଧ୍ୟ ସମାନ ସମସ୍ୟା । ବିଜେପି ଟିକେଟ ଘୋଷଣା ପରେ ଅସନ୍ତୋଷ ଲକ୍ଷ୍ମଣରେଖା ଯେ ଡେଇଁବ ତାହା ଜଳଜଳ ।

   ସମ୍ବନ୍ଧିତ ଖବର


ପାର୍କିଂ ସ୍ପେସ୍ ନାହିଁ ଯଦି ୨୦୨୧ରେ ନୂଆ କାର କିଣି ପାରିବେନି, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜାଡେଜାଙ୍କୁ ସୁନାର ବ୍ୟାଟ୍ ଉପହାର ଦେଲା ସିଏସକେ, ଫ୍ୟାନଙ୍କ ପାଇଁ ସେୟାର କଲେ ଫଟୋ

ରାଜଧାନୀରେ ସୀମା ଟପିଲାଣି ଚିକିତ୍ସା ଅବହେଳା: ଦୁଃଖ ବଖାଣିଲେ ବିଏମ୍‌ସି ୱାର୍ଡ ଅଫିସର,ଗୁରୁତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ମାରିଦେଲେ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ