ବିରାଟଙ୍କ ପରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ? ଏହି ସବୁ ଖେଳାଳିଙ୍କୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ, ୨୨/ ୦୧: ସାରା ଦୁନିଆରୁ ଟିମ୍ ଇଣ୍ଡିଆକୁ ଛୁଟୁଛି ପ୍ରଶଂସାରୁ ସୁଅ। କାରଣ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ବାହିନୀକୁ ମାତ୍ ଦେଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ବିରାଟଙ୍କ ବିନା ଆଜିଙ୍କ୍ୟ ରାହାଣେ ଯୁବ ଟିମ୍କୁ ନେଇ ଅଷ୍ଟ୍ରେଲିଆକୁ ନିଜ ମାଟିରେ ମାତ୍ ଦେଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି।
ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ହାସଲ କରିଛି। ଏହି ଯୁବ ଖେଳାଳିଙ୍କୁ ଚିହ୍ନଟ କରିବାରେ କୋଚ୍ ଓ ଅଧିନାୟକଙ୍କ ବଡ଼ ଭୂମିକା ରହିଥାଏ। ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଏଭଳି କିଛି ଖେଳାଳି ଅଛନ୍ତି। ଯେଉଁମାନେ ଶାନଦାର ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଏଭଳି ଖେଳାଳି ଅଛନ୍ତି ଯେଉଁମାନେ ଆଗାମୀ ଦିନରେ ଟିମ୍ ଇଣ୍ଡିଆର ମଙ୍ଗ ଧରି ପାରନ୍ତି।
ଶ୍ରେୟସ୍ ଆୟର:

୨୦୧୭ ମସିହା ଡିସେମ୍ବର ୧୦ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିବା ୨୬ ବର୍ଷୀୟ ଶ୍ରେୟସ୍ ଆୟର ଆଗାମୀ ଦିନରେ ଟିମ୍ ଇଣ୍ଡିଆର ମଙ୍ଗ ଧରି ପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞ ମାନେ ମତ ରଖିଛନ୍ତି। ବିଗତ କିଛି ବର୍ଷ ହେବ ସେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଉଛନ୍ତି। ୨୦୨୦ ଆଇପିଏଲରେ ଶ୍ରେୟସଙ୍କ କ୍ୟାପଟେନ୍ସିରେ ଦିଲ୍ଲୀ ଟିମ୍ ଆଇପିଏଲ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଫାଇନାଲ ମୁକାବିଲାରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିକଟରୁ ପରାସ୍ତ ହୋଇଥିଲା। ଶ୍ରେୟସ୍ ଏପର୍ଯ୍ୟନ୍ତ ଭାରତ ପାଇଁ ୨୧ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅପରପକ୍ଷେ ଆଇପିଏଲରେ ସେ ୭୯ଟି ମ୍ୟାଚ୍ ଖେଳି ସାରିଛନ୍ତି।
କେଏଲ ରାହୁଲ:

ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ନେତୃତ୍ବ ନେଇଥିବା ୨୮ ବର୍ଷୀ କେଏଲ ରାହୁଲ ଆଗାମୀ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇ ପାରନ୍ତି। ତାହା ନେଇ ମଧ୍ୟ ବିଶେଷଜ୍ଞ ମାନେ ମତ ରଖିଛନ୍ତି। ରାହୁଲ ୨୦୨୦ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ। ରାହୁଲ ଭାରତ ପାଇଁ ୩୬ଟି ଟେଷ୍ଟ, ୩୫ଟି ଦିନିକିଆ ଓ ୪୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା:

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଆଇପିଏଲରେ କୌଣସି ଦଳର ଅଧିନାୟକ ହୋଇନାହାନ୍ତି। ହେଲେ ତାଙ୍କ ଖେଳ ଓ ସ୍ବଭାବ ପାଇଁ ସେ ଆଗାମୀ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ମଧ୍ୟ ହୋଇ ପାରନ୍ତି। ହାର୍ଦ୍ଦିକ ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ୧୧ ଟେଷ୍ଟ, ୫୭ ଦିନିକିଆ ଓ ୪୩ ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି।