ବିବାହ ମଣ୍ଡପରେ ନିରାଡମ୍ବର ଭାବେ ଚାଲିଛି ଦେବ ଦମ୍ପତିଙ୍କ ଯୁଗଳଦର୍ଶନ

ସମ୍ବଲପୁର, ୨୯/୫: ପବିତ୍ର ଷଷ୍ଠୀ ତିଥିର ବ୍ରାହ୍ମ ମୁହୁର୍ତ୍ତରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି ସଂହାରକର୍ତ୍ତା ଶିବ ଏବଂ ମାତା ପାର୍ବତୀ । ଏହି ବିବାହ କନ୍ୟା ଘରେ ନୁହେଁ, ବରଂ ମନ୍ଦିର ପ୍ରାଙ୍ଗଣରେ ସଂପନ୍ନ ହୋଇଥିବା ବେଳେ ବିବାହ ପରେ ଆକର୍ଷଣୀୟ ପରଭାରେ ନବ ବିବାହିତ ଦେବଦମ୍ପତି ଭକ୍ତଙ୍କୁ ଯୁଗଳମୂର୍ତ୍ତି ଦର୍ଶନ ଦେଇଛନ୍ତି । ତିନି ପ୍ରମୁଖ କମିଟି ନନ୍ଦପଡ଼ା, ଝାଡୁଆପଡ଼ା ଏବଂ ମୁଦିପଡ଼ା କମିଟିରେ ପରମ୍ପରା ମୁତାବକ ସପ୍ତମୀ ତିଥିରେ ଆଜି ମନ୍ଦିର ପ୍ରବେଶର କାର୍ଯ୍ୟକ୍ରମ ରହିଛି ।

ଚଳିତବର୍ଷ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା କେବଳ ବିଧିରକ୍ଷାରେ ସୀମିତ ହୋଇଯାଇଛି । ଗତକାଲି ବିନା ବରଯାତ୍ରୀରେ ମହାଦେବ କେବଳ ବରବେଶରେ ସଜ୍ଜିତ ହୋଇ ମନ୍ଦିର ଗର୍ଭଗୃହରୁ ବାହାରି ପ୍ରାଙ୍ଗଣରେ ମାତା ପାର୍ବତୀଙ୍କ ଅପେକ୍ଷାରେ ରହିଥିଲେ । କନ୍ୟାଘରୁ ନବବଧୁ ବେଶରେ ସଜ୍ଜିତ ହୋଇ ମା’ ରାତିରେ ପହଞ୍ଚିଥିଲେ ମନ୍ଦିର ପ୍ରାଙ୍ଗଣକୁ । ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ବିବାହ । ଆଉ ଭୋର୍‌ରେ ପଡିଥିଲା ହାତଗଣ୍ଠି । ବିବାହ ପରେ ଆଜି ଦିନତମାମ ମନ୍ଦିର ପ୍ରାଙ୍ଗଣରେ ନବ ବିବାହିତ ଦେବ ଦମ୍ପତି ଭକ୍ତଙ୍କୁ ଯୁଗଳମୂର୍ତ୍ତି ଦର୍ଶନ ଦେଇଛନ୍ତି ।

ସାମାଜିକ ଦୂରତା ରଖି ସବୁ ଭକ୍ତଙ୍କୁ ସାନିଟାଇଜର୍‌ ଦେବା ସହ ଥର୍ମାଲ୍‌ ସ୍କ୍ରିନିଂ କରି ଯୁଗଳମୂର୍ତ୍ତି ଦର୍ଶନର ବ୍ୟବସ୍ଥା କରିଛନ୍ତି କମିଟି କର୍ମକର୍ତ୍ତାମାନେ । ଆଜି ରାତିରେ ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା ଏବଂ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଯୁଗଳମୂର୍ତ୍ତିଙ୍କ ମହା ଆଳତୀ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ମଧ୍ୟ ଦିନସାରା ଦେବ ଦମ୍ପତି ଭକ୍ତଙ୍କୁ ଦର୍ଶନ ଦେଇ ଅପରାହ୍ନରେ ମନ୍ଦିରକୁ ପ୍ରବେଶ କରିବେ ।

   ସମ୍ବନ୍ଧିତ ଖବର


ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ