PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ରାଜ୍ୟରେ ପୁଣି ବଢ଼ିବ ଲକ୍‌ଡାଉନ ! ଆଜି ବସିବ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ୱର,୩୦/୦୫: ଓଡ଼ିଶାରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ଲଗାତାର ୩ ଦିନ ହେବ ଦୈନିକ ସଂକ୍ରମଣ ୭ହଜାର ପାଖାପାଖି ରହୁଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଢିଲାପଣ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ । ସଂକ୍ରମଣ ହାର ୫ ପ୍ରତିଶତକୁ ନ ଖସିବା ପର୍ଯ୍ୟନ୍ତ ରାଜ୍ୟରେ କଟକଣା କୋହଳ କରିବା ଠିକ୍‌ ନୁହେଁ । ମୃତ୍ୟୁ ସଂଖ୍ୟା ବି କମୁନି । ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ହେବ । ଏଭଳି ମତ ରଖୁଛନ୍ତି ବିଶେଷଜ୍ଞ । ତେବେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ବିଚାର କରୁଛନ୍ତି ରାଜ୍ୟ ସରକାର। ସମ୍ଭବତଃ ଯେଉଁ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ସଂକ୍ରମଣ ଦ୍ରୁତ ହାରରେ ଖସୁଛି କିମ୍ବା ପଜିଟିଭ୍‌ ହାର ୧୦% ପାଖାପାଖି ଅଛି, ସେଠାରେ ଲକଡାଉନ କଟକଣା ସାମାନ୍ୟ କୋହଳ ହୋଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ପିକ୍‌ (ଶୀର୍ଷ ସ୍ତର) ଛୁଇଁ ସାରିଲାଣି ।ସଂକ୍ରମଣ ଏବେ ଧୀରେଧୀରେ ନିମ୍ନଗାମୀ ହେଉଛି । ଆଜି ପଜିଟିଭ ହାର ୧୪% ଥିଲା । ପିକ୍‌ବେଳେ ଏହା ୨୬% ଛୁଇଁଥିଲା । ଏହା ଇଙ୍ଗିତ କରୁଛି, ସଂକ୍ରମଣ କ୍ରମଶଃ କମିପାରେ । ହେଲେ ଏବେ ବି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ଡବ୍ଲୁଏଚ୍‌ଓ ଅନୁଯାୟୀ ପଜିଟିଭ୍‌ ହାର ୫%ରୁ ନ କମିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବା ଉଚିତ୍‌ । ଅନ୍ତତଃ ଆହୁରି ଦୁଇ ସପ୍ତାହ ଲକଡାଉନ ବଢ଼ାଇବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଲକଡାଉନ ନେଇ କ’ଣ କରାଯିବ, ସେ ବାବଦରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା କମିଟି ବିଚାର ଚଳାଇଛି । ଶୁକ୍ରବାର କମିଟିର ଏକ ବୈଠକ ବସିଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୀବନ ସହ ସରକାର ଜୀବିକା ରକ୍ଷା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି । ଛତିଶଗଡ଼ ସୀମାନ୍ତ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ଖସୁଛି । କେତେକ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ତଳକୁ ଖସିଲାଣି । କିଛି ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ କମ୍‌ କିମ୍ବା ପାଖାପାଖି ରହୁଛି । ଏଥିମଧ୍ୟରୁ ଅନେକ ଜିଲ୍ଲାରେ ରାଜ୍ୟ ସରକାର ପ୍ରଥମେ ନାଇଟ୍‌ କର୍ଫ୍ୟୁ ଓ ସଟଡାଉନ ଲାଗୁ କରିଥିଲେ । ତେଣୁ ଜୀବନ ସହ ଜୀବିକା ରକ୍ଷା ପାଇଁ ଯେଉଁ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ କରୋନା ସଂକ୍ରମଣ ହାର ୧୦% ପାଖାପାଖି ଥିବ, ସେଠାରେ କଟକଣା କିଛି ମାତ୍ରାରେ କୋହଳ ହୋଇପାରେ । ଏ ନେଇ ବିଚାର କରାଯାଉଛି । ରବିବାର ପୁଣି ପରାମର୍ଶଦାତା କମିଟି ବୈଠକ ବସିବ ।

ମୋଟ ଉପରେ କହିବାକୁ ଗଲେ, ରାଜ୍ୟରେ ଦୈନିକ ସଂକ୍ରମଣ ହାର ସାମାନ୍ୟ କମିଥିବାବେଳେ ଟେଷ୍ଟିଂ ମଧ୍ୟ କମିଛି । ଉତ୍ତର ଉପକୂଳ ଓଡ଼ିଶାରେ ବାତ୍ୟା ଯୋଗୁ ପରୀକ୍ଷା କମିଥିବାରୁ ସଂକ୍ରମଣ ହାର କମିଥିବା ମଧ୍ୟ ଅନୁମାନ କରାଯାଉଛି । ବାତ୍ୟାରେ ଯେଉଁଭଳି ଲୋକେ ଜୀବନ ବିକଳରେ ସାମାଜିକ ଦୂରତା ରକ୍ଷା ନ କରି ଏକାଠି ରହିଲେ, ତାହା ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି । ଏପରିକି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ କରୋନା ବଢ଼ିବା ଆଶଙ୍କା କରାଯାଉଛି।

ଏବେ ବି ରାଜ୍ୟରେ ୯୭ ହଜାରରୁ ଅଧିକ ସକ୍ରିୟ ରୋଗୀ ଅଛନ୍ତି । ଖୋର୍ଦ୍ଧାରେ ସକ୍ରିୟ ରୋଗୀ ୧୨ ହଜାରରୁ ଅଧିକ ଥିବାବେଳେ କଟକରେ ୮ ହଜାରରୁ ଅଧିକ ଅଛନ୍ତି । ଖାଲି ସେତିକି ନୁହେଁ, ସଂକ୍ରମଣ କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମୁନି । ପ୍ରତିଦିନ ୩୦ରୁ ଅଧିକ କରୋନା ଆକ୍ରାନ୍ତ ମୃତ୍ୟୁ ହେଉଛି । ଗତ ୨୪ ଘଣ୍ଟାରେ ୩୫ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ତେଣୁ ବିପଦ ଏବେ ବି ପିଛା ଛାଡିନି ।

ଏଭଳି ସ୍ଥିତିରେ ସାରା ରାଜ୍ୟରେ ଏକାବେଳକେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିବା ବିପଜ୍ଜନକ ହୋଇପାରେ । ବିଶେଷ କରି ଆଗକୁ ସାବିତ୍ରୀ ବ୍ରତ ଓ ରଜ ଭଳି ଗଣପର୍ବ ଆସୁଛି । ଯଦି ଏ ସମୟରେ ବଜାର ଖୋଲିବ, ତେବେ ହାଉଯାଉ ଭିଡ଼ ଜମିବ । ଲୋକେ କିଛି ନିୟମ ମାନିବେନି । ଭିଡ଼ ରୋକିବା କାଠିକର ପାଠ ହେବ, ଯାହାକି କରୋନା ସଂକ୍ରମଣକୁ ଆହୁରି ବଢ଼ାଇ ଦେବ । ବିଶେଷ କରି ଯେଉଁ ଉପକୂଳ ଓଡ଼ିଶାରେ ଏବେ କରୋନା ସଂକ୍ରମଣ ବେଶି, ସେଠାରେ ସ୍ଥିତି ଭୟାନକ ହୋଇପାରେ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଦୈନିକ ସଂକ୍ରମଣ ୫%ରୁ କମିଥିବାରୁ ସୋମବାରଠାରୁ ସେଠାରେ ଅନଲକ୍‌ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ । ମାତ୍ର ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୋଆ ଓ ତାମିଲନାଡ଼ୁରେ ଲକଡାଉନ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି । ଓଡ଼ିଶା ମଧ୍ୟ ଏ ଦିଗରେ ଯାଇ ଲକଡାଉନ ଅବଧି ବଢ଼ାଇବ ବୋଲି ଅନୁମାନ କରାଯାଉଛି ।