ଆଜିଠୁ ପୁଣି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୨ା୩(ବ୍ୟୁରୋ): ରବିବାରଠାରୁ ବଦଳିବ ପାଗ । ପୁଣି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେବ । ୩/୪ ଦିନ ଧରି ଏଭଳି ବର୍ଷା ଓ ମେଘୁଆ ପାଗ ରହିବ । ଏପରିକି ସୋମବାର ଶିବ ରାତ୍ରିରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇପାରେ ।
ପାଣିପାଗ ବିଭାଗ କହିଛି, ରବିବାର ବର୍ଷା ପରିମାଣ ବଢ଼ିବ । ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୋମବାର ଉତ୍ତର ଓଡ଼ିଶାର କେତେକ ଜାଗା ସମେତ ଗଞ୍ଜାମ, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ ପୁରୀରେ ହାଲ୍କାରୁ ମଧ୍ୟମ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା, ପବନ ହୋଇପାରେ ।
ମଙ୍ଗଳବାର ଉତ୍ତର ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନ ଏବଂ ଦକ୍ଷିଣ ଉପକୂଳରେ ଠାଏ ଠାଏ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବ । ଘଡ଼ଘଡ଼ି ଆଶଙ୍କା ବି ଅଛି । ବିଶେଷ କରି ଉତ୍ତର ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝର, ପୁରୀରେ ବର୍ଷା ପବନ ଆଶଙ୍କା ଅଛି । ବୁଧବାର ଉପକୂଳ ଓଡ଼ିଶାର ଅଳ୍ପ କେତେକ ଜାଗା ସମେତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲ୍କା କିମ୍ବା ମଧ୍ୟମ ଧରଣର ବର୍ଷା ହେବ । ଘଡ଼ଘଡ଼ି ବି ହୋଇପାରେ । ଗୁରୁବାର ବର୍ଷା କମିପାରେ ।