ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୧୧: ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲ। ବୁଧବାର ସକାଳ ୩ଟା ୩୦ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଗତ କିଛି ସପ୍ତାହ ତଳେ କରୋନାରେ ଆକ୍ରାନ୍ତ ଥିଲେ।  ୧୫ ଅକ୍ଟୋବରରୁ ଗୁରଗାଓଁର ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ପରଲୋକ ଖବର ଶୁଣିବା ମାତ୍ରେ ଭାରତୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି। ବିଶେଷ କରି କଂଗ୍ରେସ ପାଇଁ ବହୁତ ବଡ କ୍ଷତି ହୋଇଛି। ସେ ସୋନିଆ ଗାନ୍ଧିଙ୍କ ଖୁବ୍ ନିକଟତମ ଥିଲେ। ତାଙ୍କର ପରଲୋକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟୁଇଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନ୍ୟ ନେତାମାନେ ମଧ୍ୟ ପଟେଲଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି- ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ ମୁଁ ଜଣେ ଭଲ ସହଯୋଗୀଙ୍କୁ ହରାଇଲି। ସେ ତାଙ୍କର ପୁରା ଜୀବନ କଂଗ୍ରେସକୁ ସମର୍ପିତ କରିଥିଲେ। ମୁଁ ଏକ ଅପରିବର୍ତ୍ତନୀୟ କମରେଡ୍, ଜଣେ ବିଶ୍ବସ୍ଥ ସହଯୋଗୀ ଓ ବନ୍ଧୁଙ୍କୁ ହରାଇଛି। ତାଙ୍କର ବିଶ୍ବସ୍ଥତା,ସମର୍ପଣ, ତାଙ୍କ କର୍ତ୍ତବ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତା, ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଓ ତାଙ୍କର ଉଦାରତା ଭଳି ଭଲ ଗୁଣ ଥିଲା। ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି।

ରାହୁଲ ଟୁଇଟ୍ କରି କହିଛନ୍ତି, ଏହା ଖୁବ୍ ଦୁଃଖଦ ଦିନ। ଅହମ୍ମଦ ପଟେଲ କଂଗ୍ରେସର ଏଭଳି ଏକ ସ୍ତମ୍ବ ଥିଲେ। ସେ କଂଗ୍ରେସର ସବୁଠାରୁ କଠିନ ସମୟରେ ଦଳ ସହିତ ରହିଥିଲେ। ସେ ଦଳ ପାଇଁ ସବୁଠାରୁ ବହ ସମ୍ପତ୍ତି ଥିଲେ। ଆମେ ତାଙ୍କୁ ସବୁବେଳେ ମନେ ପକାଉଥିବୁ। ଫୈଜଲ, ମୁମତାଜ ଓ ତାଙ୍କର ପୁରା ପରିବାର ପ୍ରତି ମୋର ଭଲ ପାଇବା ଓ ସମବେଦନା ରହିଛି।

ପ୍ରିୟଙ୍କା ଗାନ୍ଧି ଟୁଇଟ୍ କରି କହିଛନ୍ତି, ଅହମ୍ମଦ ଜୀ’ କେବଳ ବୁଦ୍ଧିମାନ ଓ ଅନୁଭବୀ ଥିଲେ। ସେ ଏଭଳି ଜଣେ ବ୍ୟକ୍ତି ଥିଲେ, ଯିଏକି ସବୁବେଳେ ସମସ୍ତଙ୍କ ସହ ଠିଆ ହେଉଥିଲେ। ଦୃଢ, ନିଷ୍ଠାବାନ ଓ ଶେଷ ପର୍ଯ୍ୟନ୍ତ ଭରଷାଯୋଗ୍ୟ ଥିଲେ। ତାଙ୍କର ପରଲୋକ ଏକ ବିଶାଳ ଶୂନ୍ୟତାକୁ ଛାଡି ଦେଇଛି। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ। ଉଲ୍ଲେଖନୀୟ ଯେ, କଂଗ୍ରେସର ବରିଷ୍ଠନେତା ଅହମ୍ମଦ ପଟ୍ଟେଲଙ୍କର ବୁଧବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା ଓ କିଛି ସପ୍ତାହ ପୂର୍ବରୁ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ପଟେଲଙ୍କ ପୁଅ ଫୈସଲ ଓ ଝିଅ ମୁମତାଜ ସିଦ୍ଧକି ଟୁଇଟର ଜରିଆରେ ସୂଚନା ଦେଇଛନ୍ତି।