ଏମ୍‌ସ ନେଫ୍ରୋଲୋଜି ବିଭାଗ ଏମିତି: ପ୍ରତିରୋପଣ ଦୂରେ ଥାଉ..ଡାୟାଲିସିସ୍‌ ସୁବିଧା ମିଳୁନି

ଭୁବନେଶ୍ୱର ୧।୫: ଭୁବନେଶ୍ୱରରେ ଏମ୍‌ସ ଆରମ୍ଭ ହେବାକୁ ୭ ବର୍ଷ ପୂରିଗଲାଣି । ହେଲେ ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ସ୍ୱାସ୍ଥ୍ୟ ଅନୁଷ୍ଠାନର ନେଫ୍ରୋଲୋଜି ବିଭାଗ ପାଇଁ ନିୟମିତ ଡାକ୍ତର ମିଳୁନାହାନ୍ତି । ଜଣେ ଠିକା ଡାକ୍ତରଙ୍କ ଉପରେ ବିଭାଗର ଦାୟିତ୍ୱ ଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ । ଏମିତିକି ଏମ୍‌ସରେ ଏବେ କିଡ୍‌ନୀ ରୋଗୀ ଡାୟାଲିସିସ୍‌ ସୁବିଧା ମଧ୍ୟ ପାଉନାହାନ୍ତି ।
୨୦୧୪ରେ ଏମ୍‌ସ ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ନେଫ୍ରୋଲୋଜି କେନ୍ଦ୍ର ସହ ଡାୟାଲିସିସ୍‌ ଓ କିଡ୍‌ନୀ ପ୍ରତିରୋପଣ ସୁବିଧାର ଘୋଷଣା କରାଯାଇଥିଲା । ଏହା ଭିତରେ ୫ ବର୍ଷରୁ ଅଧିକ ସମୟ ବିତିଗଲାଣି । କିଡ୍‌ନୀ ପ୍ରତିରୋପଣ ଦୂରେ ଥାଉ, ଏଠାରେ ସପ୍ତାହରେ ସବୁଦିନ ଓପିଡି ସୁବିଧା ମଧ୍ୟ ମିଳୁନି । ବିଭାଗରେ ଖାଲି ଡାକ୍ତର ପଦବି ଖାଲି ପଡ଼ିଛି ତାହା ନୁହେଁ । ଏଥିପାଇଁ ଟେକ୍ନିସିଆନ୍‌ଙ୍କ ମଧ୍ୟ ଅଭାବ ରହିଛି । କିଡ୍‌ନୀ ଭଳି ବ୍ୟୟବହୁଳ ଚିକିତ୍ସା ସୁବିଧା ଏମ୍‌ସରେ ନଥିବାରୁ ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି ।

ଏମ୍‌ସ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ନେଫ୍ରୋଲୋଜି ବିଭାଗ ଏବେ ମାତ୍ର ଜଣେ ଠିକା ଡାକ୍ତରଙ୍କ ଦ୍ୱାରା ଚାଲୁଛି । ଏମ୍‌ସ ଭଳି ଅନୁଷ୍ଠାନରେ ପ୍ରଫେସର, ଅତିରିକ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ମିଳୁ ନାହାନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଏହିସବୁ ପଦବି ମଞ୍ଜୁର ହୋଇଥିବା ବେଳେ ଏମ୍‌ସ ପକ୍ଷରୁ ବି ଏଥିପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି । ହେଲେ ଏହି ପଦବିଗୁଡ଼ିକ ଲାଗି ଯୋଗ୍ୟ ପ୍ରାର୍ଥୀ ଆବେଦନ କରୁନଥିବାରୁ ପଦବି ପୂରଣ ହୋଇପାରୁନି । ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପ୍ରଫେସର ଓ ସହକାରୀ ପ୍ରଫେସର ପଦବି ଲାଗି ଦରଖାସ୍ତ ପଡ଼ିନଥିବା ବେଳେ ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଏବେ ଠିକାରେ ଡାକ୍ତର ନେଇ କାମଚଳା ଭାବେ ବିଭାଗ ଆରମ୍ଭ କରିଛନ୍ତି ଏମ୍‌ସ କର୍ତ୍ତୃପକ୍ଷ ।

ଖାଲି ଡାକ୍ତର ନୁହେଁ, ଏତ ବର୍ଷ ପରେ ମଧ୍ୟ କାଥ୍‌-ଲାବୋରେଟୋରୀ, ଡାୟାଲିସିସ୍‌ କେନ୍ଦ୍ର ପାଇଁ ବି ବୈଷୟିକ ପଦବି ଖାଲି ଅଛି । ପାଖାପାଖି ୩୦ଟି ପଦବି ଖାଲି ପଡ଼ିଥିବାରୁ ରୋଗୀମାନେ ନେଫ୍ରୋଲୋଜି ବିଭାଗରେ ଠିକଣା ଭାବେ ସେବା ପାଇପାରୁନାହାନ୍ତି । ଏମ୍‌ସ ଭୁବନେଶ୍ୱରର ଅଧିକାରୀମାନେ ବାରମ୍ବାର ଏହି ପ୍ରସଙ୍ଗ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନିକଟରେ ଉଠାଉଛନ୍ତି । ମନ୍ତ୍ରାଳୟ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ ମଧ୍ୟ ଏ ସଂକ୍ରାନ୍ତୀୟ ଫାଇଲ୍‌ ଦୀର୍ଘଦିନ ଧରି ପଡ଼ି ରହୁଥିବାରୁ ସ୍ଥିତି ଜଟିଳ ହେବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଏମ୍‌ସ ଭୁବନେଶ୍ୱରରେ ଟ୍ୟୁଟର୍‌ ଓ ଡେମୋନ୍‌ଷ୍ଟ୍ରେଟର୍‌ ଆଦି ପଦବି ପୂରଣ ହୋଇପାରୁନାହିଁ । ଏଥିଯୋଗୁ ଦେଶର ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଗୁରୁତର ସମସ୍ୟା ଦେଖାଦେଇଛି । ରାଜ୍ୟରେ ଏବେ ଜିଲ୍ଲା ହସ୍ପିଟାଲରେ ଡାୟାଲେସିସ୍‌ ସୁବିଧା ମିଳିଲାଣି । ହେଲେ ଏମ୍‌ସ ଭଳି ଅନୁଷ୍ଠାନରେ ମେସିନ୍‌ ଆସିବା ପରେ ମଧ୍ୟ ଏହା ରୋଗୀଙ୍କ କାମରେ ଲାଗୁନି । ଏ ନେଇ ଏମ୍‌ସ ଅଧୀକ୍ଷକ ଡାକ୍ତର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ୍‌ ଉଠାଇନଥିଲେ ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି