ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସର୍ଭିସ୍

ନୂଆଦିଲ୍ଲୀ ୧୪/୧: ଭାରତରେ ପ୍ରଥମ  ଥର ଏୟାର ଟ୍ୟାକ୍ସି ସେବା ଆଜିଠୁ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚଣ୍ଡୀଗଡରୁ ହିସାର ମଧ୍ୟରେ ଏହି ସେବା ଆରମ୍ଭ କରିଛନ୍ତି । ଏହି ଟ୍ୟାକ୍ସି ପ୍ରାୟ ୫୦ ମିନିଟରେ ଚଣ୍ଡୀଗଡ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହିସାର ଏୟାରପୋର୍ଟରେ ପହଞ୍ଚିଯିବ । ଅର୍ଥାତ୍ ଆପଣଙ୍କ ୪ ଘଣ୍ଟାର ଯାତ୍ରା ଏବେ ୫୦ ମିନିଟରେ ପୂରା ହୋଇପାରିବ ।

ଖାସ୍ କଥା ହେଉଛି ଏହି ଟ୍ୟାକ୍ସିର ଭଡା ରାସ୍ତାରେ ଗଡୁଥିବା ଟ୍ୟାକ୍ସି ଭଡା ସହିତ ପ୍ରାୟ ସମାନ ରହିବ । ଏହି ଏୟାର ଟ୍ୟାକ୍ସିରେ ମଧ୍ୟ ୪ ଜଣ ଯାତ୍ରୀ ବସିପାରିବେ । ହରିୟାଣାରୁ ଚଣ୍ଡୀଗଡ ପର୍ଯ୍ୟନ୍ତ ଭଡା ପ୍ରତି ବ୍ୟକ୍ତି ପିଛା ୧୭୫୫ ଟଙ୍କା ରହିଛି । ଏହି ଭଡା ସାଧାରଣ ଫ୍ଲାଇଟରୁ କମ୍ । ନର୍ମଲ ଫ୍ଲାଇରେ ଆପଣଙ୍କୁ ୨  ହଜାରରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିଥାଏ । ଏହା ବ୍ୟତୀତ ଚେକ୍ ଇନ୍ ସମୟରେ ମଧ୍ୟ ପ୍ରାୟ ୧ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ଏୟାର ଟ୍ୟାକ୍ସିରେ ଆପଣ ସମୟ ସହିତ ଟଙ୍କା ମଧ୍ୟ ବଞ୍ଚାଇ ପାରିବେ ।

୨୬ ରୁଟ୍ସରେ ଚାଲିବ ଏୟାର ଟ୍ୟାକ୍ସି
ଏୟାର ଟ୍ୟାକ୍ସି ପ୍ରଥମ ପର୍ଯ୍ୟାୟରେ ଚଣ୍ଡୀଗଡ-ହିସାର ମଧ୍ୟରେ ସେବା ଆରମ୍ଭ ହୋଇଯାଇଛି । ଖୁବ ଶୀଘ୍ର ଏହି ସେବା ଦେଶର ଅଲଗା ଅଲଗା ୨୬ ରୁଟ୍ସରେ ଆରମ୍ଭ କରିଦିଆଯିବ । ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ରିଜନଲ କନେକ୍ଟିଭିଟି ସ୍କିମ ଅନୁସାରେ ୧୧ ରୁଟ୍ସରେ ଏହି ଟ୍ୟାକ୍ସିକୁ ଚଳାଇବା ଅନୁମତି ମଧ୍ୟ ଦେଇଛନ୍ତି । ଏୟାର ଟ୍ୟାକ୍ସି ପାଣିପାଗ ଉପରେ ନିର୍ଭର କରିବ । ଅର୍ଥାତ୍ ଯଦି ପାଣିପାଗ ସଫା ହେଲା ତେବେ ଯାତ୍ରୀ ଏହାର ଫାଇଦା ନେଇପାରିବେ । କିନ୍ତୁ ପାଣିପାଗ ଖରାପ ହେଲେ ଯାତ୍ରୀ ଉଡାଣ ଭରିପାରିବେ ନାହିଁ ।