୧୦୦ ଟଙ୍କାରେ କିଣିଥିଲେ ଅଦରକାରୀ ପ୍ଲେନ୍, ଏବେ ସେଥିରୁ ଆୟ କରୁଛନ୍ତି କୋଟି କୋଟି ଟଙ୍କା

ଲଣ୍ଡନ ୨୪/୧: ଲୋକମାନେ ନିଜ ବିମାନଯାତ୍ରାକୁ ମଜାଦାର କରିବାକୁ ଚାହାଁନ୍ତି ଏବଂ ଏଥିପାଇଁ ବିଜନେସ୍ କ୍ଲାସରେ ଯାତ୍ରା କରନ୍ତି । କିନ୍ତୁ ବ୍ରିଟେନରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ବିମାନକୁ ନଉଡାଇ ମଧ୍ୟ ଲୋକମାନଙ୍କୁ ମଜା ଦେଉଛନ୍ତି । ସେ ଏମିତି ଏକ ଉପାୟ ବାହାର କରିଛନ୍ତି ଯେଉଁଥିରେ ଲୋକମାନେ ପ୍ଲେନରେ ମଜା ନେଉଛନ୍ତି । ଏହା ଏମିତି ଏକ ପ୍ଲେନ୍ ଯାହା ଜରାଜୀର୍ଣ୍ଣ ହୋଇ ପଡିଥିଲା । କିନ୍ତୁ ଏବେ ଏହା ମଉଜ୍ ମଜଲିସ୍ କରିବାର ଏକ ଭଲ ସ୍ଥାନ ପାଲଟିଯାଇଛି । ଏହାର ମାଲିକ ଏହାକୁ ବ୍ରିଟିଶ୍ ଏୟାରଲାଇନରୁ ମାତ୍ର ୧୦୦ ଟଙ୍କାରେ କିଣିଥିଲେ ଏବଂ ଏହାର ରୂପ ରେଖ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ।
‘ଦ ସନ୍’ର ଖବର ଅନୁସାରେ ଏକ ଅଦରକାରୀ ପ୍ଲେନରୁ ଏବେ କୋଟିକୋଟି ଟଙ୍କା ଆୟ କରୁଛନ୍ତି ସୁଜତ୍ରାହ ହାର୍ଭେ ନାମକ ଏହି ବ୍ୟକ୍ତି । ଅଦରକାରୀ ହୋଇପଡିଥିବା ଏହି ପ୍ଲେନକୁ ୨୦୨୦ ମସିହାରେ ମାତ୍ର ଏକ ପାଉଣ୍ଡ ଅର୍ଥାତ୍ ୧୦୦ ଟଙ୍କାରେ ସେ ଏହାକୁ କିଣିଥିଲେ । ପରେ ସେ ଏହାକୁ ଏକ ବାରରେ ପରିଣତ କରିଦେଇଥିଲେ । ଏବଂ ଏଥିରେ ସେ ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏବେ ସେ ଏହା ମାଧ୍ୟମରେ ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି ।
ପ୍ରତି ଘଣ୍ଟାର ଭଡା ୧ ଲକ୍ଷ
ପ୍ଲେନରେ ପାର୍ଟି କରିବାକୁ ଇଚ୍ଛୁକ ଲୋକମାନେ ଏହାକୁ ଭଡାରେ ନିଅନ୍ତି ଏବଂ ଏହି ବାରରେ ମଉଜ କରନ୍ତି । ଏଥିପାଇଁ ହାର୍ଭେ ପ୍ରତି ଘଣ୍ଟାକୁ ଲକ୍ଷେ ଟଙ୍କା ଅନୁସାରେ ଚାର୍ଜ କରନ୍ତି । ଏବଂ ଲୋକମାନେ ମଧ୍ୟ ଅତି ଆନନ୍ଦରେ ଦେବା ପାଇଁ ରାଜି ହୋଇଯାଆନ୍ତି ।
ଏହି ପ୍ଲେନରେ ବର୍ଥଡେଠୁ ଆରମ୍ଭ କରି କର୍ପୋରେଟ୍ ଓ ପ୍ରଡକ୍ଟ ଲଞ୍ଚିଂ ପାର୍ଟି ଆୟୋଜିତ ହୋଇଥାଏ । ଏହାକୁ ଅତି ସୁନ୍ଦର ଡେକୋରେସନ କରାଯାଇଥିବାରୁ ସମସ୍ତେ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି । ଏହାର ଭିତର ପଟୁ ଲାଗିବନି ଯେ ଆପଣ ଏକ ପ୍ଲେନ୍ ଭିତରେ ବସି ପାର୍ଟି କରୁଛନ୍ତି । କହିରଖୁଛୁ ବ୍ରିଟିଶ୍ ଏୟାରୱେଜର ଏହି ପ୍ଲେନ୍ ଏପ୍ରିଲ ୨୦୨୦ରେ ଶେଷ ଥର ପାଇଁ ଉଡାଣ ଭରିଥିଲା । ଏହାକୁ ୧୯୯୪ରେ ଏୟାରଲାଇନରେ ସାମିଲ କରାଯାଇଥିଲା ।