‘ସୋଆ’ରେ ଏଆଇୟୁର ସାଧାରଣ ସଭା ଉଦ୍ଯାପିତ: କ୍ରୀଡ଼ା, ଶିଳ୍ପ, ଶିକ୍ଷାନୁଷ୍ଠାନରେ ସ୍ୱାୟତ୍ତତା ଜରୁରୀ

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ଗତ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଦ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍)ର ୯୩ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ସ୍ୱାୟତ୍ତତା’ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ତେବେ ଗତ ୯୩ ବର୍ଷର ଇତିହାସରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ସଭା କେବେ କୌଣସି ସରକାରୀ ବିଭାଗ ଦ୍ୱାରା ଆୟୋଜିତ ହୋଇନଥିଲା । ମାତ୍ର ସୋଆରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭାକୁ ଓଡ଼ିଶା ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗ ଅନ୍ୟ ବିଭାଗଗୁଡିକ ସହାୟତାର ହାତ ବଢାଇଥିଲେ ।

ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରକୁ ଉଚ୍ଚଶିକ୍ଷାର ହବ୍ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏଥି ପାଇଁ ସମସ୍ତ ସହାୟତାର ହାତ ବଢାଉଛନ୍ତି । ରାଜଧାନୀରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବା ସହିତ ପାଖାପାଖି ୨ଶହ କୁଳପତି ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି ଯୋଗ ଦେଇଥିଲେ । ଶିକ୍ଷାନୁଷ୍ଠାନ ଗୁଡିକ ଭାବନାତ୍ମକ ଓ ବୌଦ୍ଧିକତା ଭିତ୍ତିଭୂମି ଦ୍ୱାରା ସ୍ମରଣୀୟ ହୋଇ ରହିପାରିବ ବୋଲି କହିଥିଲେ । ଏହି ଅବସରରେ ପ୍ରଫେସର ଏସ୍ ରମାଦେବୀ ପାଣିଙ୍କ ଦ୍ୱାରା ସମ୍ପାଦିତ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସ୍ମରଣିକା ଓ ଡ. ଅରୁଣ୍ ନିଗାର୍ଭେକଙ୍କ ଦ୍ୱାରା ଲିଖିତ “ଡିସରପ୍ଟିଭ୍ ଇନୋଭେସନ୍ ଇନ୍ ହାୟର୍ ଏଜୁକେସନ୍ ପୁସ୍ତକ ଉନ୍ମୋଚିତ ହୋଇଥିଲା ।
ସଂଘର ସଭାପତି ପ୍ରଫେସର ସନ୍ଦିପ୍ ସଞ୍ଚେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ ଏନ୍ ଗୁପ୍ତା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ସ୍ୱତନ୍ତ୍ର ରାଜସ୍ୱ କମିଶନର୍ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସଚିବ ପ୍ରଫେସର ରଜନୀଶ ଜୈନ୍, ସଂଘର ମହାସଚିବ ପ୍ରଫେସର ଫୁରକାନ୍ କର୍ମା, ଡେପୁଟି ହେଡ୍ ଅଫ୍ ଡେଲିଗେସନ୍ ଅଫ ଦ ୟୁରୋପିଆନ୍ ୟୁନିୟନ୍ ଟୁ ଇଣ୍ଡିଆ ରାଇମୁଣ୍ଡ ମାଗିସ୍, ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।
ସମ୍ମିଳନୀର ଦୁଇଦିନରେ ‘ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ସ୍ୱାୟତ୍ତତା’ ବାବଦରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିଭିନ୍ନ ଟେକ୍ନିକାଲ୍ ଓ ବିଜନେସ୍ ସେସନ୍ ମଧ୍ୟ ଆୟୋଜିତ ହୋଇଥିଲା । ତୃତୀୟ ଦିନରେ ସମ୍ମିଳନୀର ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ପ୍ରଥମ ଟେକ୍ନିକାଲ୍ ସେସନ୍ରେ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଗ ଦେଇ କିଭଳି ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ଆହ୍ୱାନଗୁଡିକୁ ମୁକାବିଲା କରାଯାଉଛି ସେ ସମ୍ପର୍କରେ କହିଥିଲେ । ରାଜ୍ୟରେ କିଭଳି ଆଦିବାସୀ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଡିଜିଟାଲ୍ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ପ୍ରଫେସର ରଜନୀଶ ଜୈନ ୟୁଜିସି ତରଫରୁ କରାଯାଇଥିବା ବିଭିନ୍ନ ଗୁଣାତ୍ମକ କାର୍ଯ୍ୟକ୍ରମଗୁଡିକ ବାବଦରେ କହିଥିଲେ । ଛାତ୍ରମାନଙ୍କ ପାଇଁ ଇଣ୍ଡକସନ୍ କାର୍ଯ୍ୟକ୍ରମ, ଫାକଲଟି ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଆଦି ବାବଦରେ ମଧ୍ୟ କହିଥିଲେ । ଏହି ସେସନରେ କାଉନସିଲ୍ ଅଫ୍ ଆର୍କିଟେକଚରର ପ୍ରଫେସର ବିଜୟ ଗର୍ଗ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଉପସଭାପତି ପ୍ରଫେସର ଏମ ଏମ ସାଲୁଙ୍କେ ବକ୍ତବ୍ୟ ରଖିଥିଲେ ।

ଦ୍ୱିତୀୟ ଟେକ୍ନିକାଲ୍ ସେସନରେ ପ୍ରଫେସର ସଞ୍ଚେତି, ବ୍ରିଟିଶ୍ କାଉନସିଲର ପ୍ରଫେସର ମଞ୍ଜୁଳା ରାଓ, କମନୱେଲ୍ଥ ୟୁନିଭର୍ସିଟିଜ୍ର ପ୍ରତିନିଧି ଆଦିତ୍ୟ ମଲକାନି, ତାଇୱାନ୍ ଏମ୍ବାସିର ଶିକ୍ଷା ବିଭାଗ ନିର୍ଦ୍ଦେଶକ ପ୍ରଫେସର ପିଟର୍ ଚେନ୍, ମାଲେସିଆର ପ୍ରଫେସର ଅମୀୟ ଭୌମିକ୍ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଥିବା ପ୍ଲେନାରି ସେସନ୍ରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡ଼ାକୁ ଗୁରୁତ୍ୱ ଦେବା ବାବଦରେ ଆଲୋଚନା ହୋଇଥିଲା । ସେହିପରି ଚତୁର୍ଥ ଶିଳ୍ପ ବିପ୍ଳବ ବାବଦରେ ମଧ୍ୟ ଆଲୋଚନା କରାଯାଇଥିଲା । ଉଦଯାପନୀ ଉତ୍ସବରେ କମନୱେଲ୍ଥ ୟୁନିଭର୍ସିଟିଜ୍ର ସଦସ୍ୟତା ଉନ୍ନୟନ ବିଭାଗ ମୁଖ୍ୟ କନସୋଲା ଏଭାନ୍ସ୍ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଫେସର ସଞ୍ଚେତି, ପ୍ରଫେସର ସାଲୁଙ୍କେ, ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର କୁମାର୍, ଡ. ମମତା ରାଣୀ ଅଗ୍ରୱାଲ୍ ପ୍ରମୁଖ ଯୋଗ ଦେଇଥିଲେ ।
ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତ୍ତତା ହିତାଧିକାରୀଙ୍କ ବିଜୟ
ଭୁବନେଶ୍ୱର,୨୧ା୨(ବ୍ୟୁରୋ): ଶିକ୍ଷାନୁଷ୍ଠାନଗୁଡିକର ସ୍ୱାୟତ୍ତତା ହିଁ ହିତାଧିକାରୀଙ୍କ ବିଜୟ । ଏହା କହିଥିଲେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଦ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍)ର ସଭାପତି ପ୍ରଫେସର ସନ୍ଦିପ୍ ସଞ୍ଚେତି । ସୋଆରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭା ଅବସରରେ ପ୍ରଫେସର ସଞ୍ଚେତି କହିଥିଲେ, ଶିକ୍ଷାନୁଷ୍ଠାନଗୁଡିକୁ ସ୍ୱାୟତ୍ତତା ମିଳିଲେ ଛାତ୍ର, ଅଧ୍ୟାପକ ଓ କର୍ମଚାରୀ ସମସ୍ତେ ଲାଭବାନ ହୋଇପାରିବେ । ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରମାନଙ୍କୁ କ୍ଲାସ୍ କରିବାର ସ୍ୱାଧୀନତା ଦିଆଯାଇଥାଏ । ସେମାନଙ୍କ ନିକଟରେ ଦକ୍ଷତା ବିକାଶ ପାଇଁ ପ୍ରବଳ ସମୟ ମିଳିଥାଏ । ଉଦ୍ୟୋଗୀମାନଙ୍କ ସହ ମିଶି ଉଦ୍ଭାବନ କରିବାର ସୁଯୋଗ ରହିଛି । ସେହିପରି ଶିକ୍ଷାନୁଷ୍ଠାନଗୁଡିକୁ ଉତ୍କର୍ଷତା ବୃଦ୍ଧି କରି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ର୍ୟାଙ୍କିଂରେ ରହିବାର ମଧ୍ୟ ବ୍ୟାପକ ସୁଯୋଗ ରହିଛି ବୋଲି ପ୍ରଫେସର ସଞ୍ଚେତି କହିଥିଲେ ।
ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୩ତମ ବାର୍ଷିକ ସାଧାରଣ ସଭା ସହିତ ‘ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ସ୍ୱାୟତ୍ତତା’ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇ ପ୍ରଫେସର ସଞ୍ଚେତି କହିଥିଲେ, ଯୁବକମାନେ ନିଜ ଦେଶରେ ରହି କ୍ୟାରିୟର୍ ଗଢିଲେ ତାହା ଶିକ୍ଷାନୁଷ୍ଠାନଗୁଡିକର ଦକ୍ଷତା ପ୍ରମାଣିତ କରିପାରିବ । ତେବେ ସ୍ୱାୟତ୍ତତାର ଅର୍ଥ ସମସ୍ତ ଉପଭୋକ୍ତାଙ୍କୁ ସାମିଲ କରିବା । ଅପରପକ୍ଷେ ସରକାର ୨୦୧୮ରେ କିଛି ଶିକ୍ଷାନୁଷ୍ଠାନକୁ ସ୍ୱାୟତ୍ତତା ଦେବା ବାବଦରେ ସ୍ଥିର କରିଛନ୍ତି । କିଛି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ସ୍ୱାୟତ୍ତତା ସପକ୍ଷରେ ଯୁକ୍ତି ବାଢିଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତ୍ତତା ବାବଦରେ କିଛି କୁଳପତି, ବରିଷ୍ଠ ପ୍ରଶାସକ ଓ ଶିକ୍ଷାବିତଙ୍କୁ ନେଇ ଆଲୋଚନା ହୋଇଥିଲା । ସେଥି ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଶିକ୍ଷାନୁଷ୍ଠାନଗୁଡ଼ିକର ଉତ୍କର୍ଷତା ପାଇଁ ସ୍ୱାୟତ୍ତତା ଦେବାକୁ କହିଥିଲେ । ଯଦିବା ଆମ ଦେଶରେ ୯୫୦ରୁ ଅଧିକ ବିଶ୍ୱବିଦ୍ୟାଳୟ, ୪୦ହଜାର ମହାବିଦ୍ୟାଳୟ ରହିଛି, ମାତ୍ର ସେଗୁଡିକ ମଧ୍ୟରୁ ହାତଗଣତି କିଛି ଶିକ୍ଷାନୁଷ୍ଠାନକୁ ବାଦ୍ ଦେଲେ ଅନ୍ୟଗୁଡିକ ବିଶ୍ୱର ଶ୍ରେଷ୍ଠ ୩ଶହ ମଧ୍ୟରେ ସ୍ଥାନ ପାଉନାହାନ୍ତି । ଅପରପକ୍ଷେ ଏସିଆ ମହାଦେଶର ସିଙ୍ଗାପୁର ଭଳି ଏକ ଛୋଟ ଦେଶର ଶିକ୍ଷାନୁଷ୍ଠାନଗୁଡିକ ବିଶ୍ୱ ର୍ୟାଙ୍କିଂରେ ଭଲ ପ୍ରଦର୍ଶନ କରିପାରିଛି ।