ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

nagarjuna besha

ଅକ୍ଷତ, ଅକ୍ଷୁଣ୍ଣ ଅରୁଆ ଚାଉଳକୁ ଗୋଟି ଗୋଟି କରି ଦୁଇ ମାସ ଧରି ବଛାଯାଉଥିଲା । ହବିଷ୍ୟାନ୍ନରେ ରହି ଏହି ଚାଉଳ ଗଣତି ଆଉ ବଛା ଚାଲିଥିଲା । ଏହି ଚାଉଳରେ  ନାଗାର୍ଜୁନ ବେଶ ଦିନ କ୍ଷୀରି ରୋଷଘର ଚୂଲାରେ ପ୍ରସ୍ତୁତ ହୋଇଥିଲା । ପ୍ରଥମ ଭଅଣ୍ଡରେ ଏହି ଭୋଗକୁ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନାଗାର୍ଜୁନ ବେଶ ଯଜମାନ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ପରିବାର ପକ୍ଷରୁ ସ୍ୱତନ୍ତ୍ର ଅନୁମତି ମଗାଯାଇଥିଲା ।

ଦୁଇ ମାସ ଧରି ବଛା ଯାଇଥିବା ଅରୁଆ ଅକ୍ଷତ ଚାଉଳକୁ ଆଜି ଭୋଗମଣ୍ଡପ ଭୋଗ ପାଇଁ କୋଠ ଭୋଗ ଚୂଲାରେ କ୍ଷୀରି ପ୍ରସ୍ତୁତ ହୋଇଥିଲା  । ଯଜମାନ ପରିବାର ବରିଷ୍ଠ ସଦସ୍ୟଙ୍କ ମନସ୍କାମନା ପୂରଣ ପାଇଁ ଏହି ନିବେଦନ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଥିଲା । ଏହି ସେବା ପଛରେ ପ୍ରମୁଖ ଭୂମିକା ନେଇଥିଲେ ଯଜମାନ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଧର୍ମପତ୍ନୀ ଶ୍ରୀମଣି ଖୁଣ୍ଟିଆ । ଦଶହରା ତିଥିରୁ ଶ୍ରୀମଣି ନିଷ୍ଠାରେ ହବିଷ୍ୟାନ୍ନ ସହ କ୍ଷୀରି ପାଇଁ ଚାଉଳ ନିଜେ ବାଛିଥିଲେ ।

ତାଙ୍କର ନିଷ୍ଠା ବଳରେ ପ୍ରଭୁଙ୍କ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି ପ୍ରୟାସ ସଫଳ ହୋଇଥିଲା ।  ଏହି ନିଷ୍ଠା ବଦଳରେ ଯଜମାନ ଶ୍ରୀ ଖୁଣ୍ଟିଆ ତାଙ୍କର ଧର୍ମପତ୍ନୀ ଶ୍ରୀମଣିଙ୍କୁ ଶ୍ରୀମନ୍ଦିରରେ ପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ ପାଇଁ ସୁଯୋଗ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ନିବେଦନ କରିଥିଲେ । କିନ୍ତୁ ପ୍ରଶାସନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଅନୁମତି ନ ଦେବାରୁ ଶ୍ରୀମଣିଙ୍କ ମନରେ ଦୁଃଖ ରହିଗଲା । ପ୍ରଭୁଙ୍କ ଇଚ୍ଛାରୁ ସବୁ ହେଲା କିନ୍ତୁ ଦର୍ଶନ ଅଭିଳାଷଟି ଅଟକିଗଲା ।