ଜୁଆ ଆଡ୍ଡାରେ ଚଢଉ ବେଳେ ପୋଲିସ ଉପରେ ଆକ୍ରମଣ- ମହିଳା ଅଧିକାରୀଙ୍କ ସହ ୫ ଆହତ

ପାରଳାଖେମୁଣ୍ଡି- ପୋଲିସ ଉପରେ ଆକ୍ରମଣ । ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇ ଚଢଉ କରିବା ବେଳେ ପୋଲିସ କର୍ମୀଙ୍କୁ ଆକ୍ରମଣ କଲେ ଜୁଆଡି । ଏପରି ଘଟଣା ଗଜପତି ଜିଲ୍ଲା ଗୁରାଣ୍ଡି ଅଞ୍ଚଳରେ ଘଟିଛି ।

ଗୁରାଣ୍ଡିରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଏହା ଉପରେ ଚଢଉ ପାଇଁ ଯାଇଥିଲା । ଗୁରାଣ୍ଡିର ଖରସଣ୍ଢା ଗ୍ରାମରେ ଏହି ଘଟଣା ଘଟିଛି । ଥାନା ଅଧିକାରୀ ମମତା ପଣ୍ଡାଙ୍କ ସହ ୫ ଜଣ ଚଢଉ ପାଇଁ ଜୁଆ ଆଡ୍ଡାକୁ ଯାଇଥିଲେ । ହେଲେ ପାଲଟା ଆକ୍ରମଣର ଶିକାର ହୋଇଥିଲେ ।

ପୋଲିସ ଟିମ୍‌ ଆଡ୍ଡା ନିକଟରେ ପହଞ୍ଚିବା ପରେ ଚଢଉ କରିଥିଲେ । ହେଲେ ପୋଲିସ ଟିମ୍ ଉପରକୁ ଢେଲା ପଥର ମାଡ କରାଯାଇଥିଲା । ଢେଲା ପଥର ମାଡରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।