ପ୍ରମୂଖ ଖବର
  • ‘କର ବା ମର’ ମ୍ୟାଚ୍‌ରେ କାନାଡାକୁ ମାତ୍ ଦେଲା ପାକିସ୍ତାନ
  • ||
  • ୧୨ରେ ନୂଆ ସରକାର ଶପଥ ଗ୍ରହଣ, ବିଏମ୍‌ସି ଅଞ୍ଚଳରେ ଅଧା ଦିନ ଛୁଟି
  • ||
  • କୋରାପୁଟ: ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା
  • ||
  • ଭାରତ-ପାକ୍‌ ମ୍ୟାଚ୍‌ରେ ଚାଲିଥିବା ବେଳେ ଆଖି ବୁଜିଲେ ଏମ୍‌ସିଏ ସଭାପତି, ମୃତ୍ୟୁ ବେଳକୁ ହୋଇଥିଲା ୪୭ ବର୍ଷ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ
  • ||
  • ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ
  • ||
  • ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ
  • ||

‘ମୁଁ କାହାକୁ ଦେବି ଭୋଟ୍‌...’ ରାଜ୍ୟରେ ଚହଳ ପକାଇଛି ୪୭ ବର୍ଷ ତଳର ଅକ୍ଷୟ ମହାନ୍ତିଙ୍କ ଗୀତ, ପୁରୁଣା ସ୍ମୃତିକୁ ସତେଜ କରୁଛି

ଭୁବନେଶ୍ୱର,୧୬/୦୫(ମନୋରଞ୍ଜନ ମହାନ୍ତି): ‘ସାହିର ପିଲେ ସକାଳୁ କଲେ କବାଟ ଖଟ ଖଟ । ଅଜା ତ ଉଠି ଖୋଲିଲେ ଯାଇ, ଦରଜା ଚଟପଟ । ବୁଝିଲେ ପିଲା ଅଜା ହେ ତମେ କାହାକୁ ଦେବ ଭୋଟ୍‌ । ବିଗିଡ଼ି ଯାଇ, ଅଜା କହିଲେ, ଆରେ ହଟ୍‌ ହଟ୍‌ । ହଁ... ମୁଁ କାହାକୁ ଦେବି ଭୋଟ୍‌... ।’ 

ରାଜ୍ୟରେ ଚହଳ ପକାଇଛି ୪୭ ବର୍ଷ ତଳର ଏହି ଗୀତ । ୧୯୭୭ ମସିହାରେ ଓଡ଼ିଶା ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଗୀତ, ସଙ୍ଗୀତ ଓ ସ୍ୱରର ମୂର୍ଚ୍ଛନାରୁ ଜନ୍ମ ନେଇଥିଲା ଏହି ଗୀତ । କ୍ୟାସେଟ୍‌ ଆକାରରେ ରେକର୍ଡ ହୋଇଥିଲା । ଯାହା ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । କିଏ ଷ୍ଟାଟସ୍‌ରେ ୟାକୁ ରଖୁଛି ତ ଆଉ କିଏ ରିଙ୍ଗ୍‌ ଟୋନ୍‌ ତ ପୁଣି କିଏ ହେଲୋ ଟ୍ୟୁନ୍‌ରେ ଏହାକୁ ରଖୁଛି । କିଏ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଏବଂ ‘ଏକ୍ସ’ରେ ପୋଷ୍ଟ୍‌ କରି ଚାଲିଛି । ଏହି ଗୀତକୁ ନେଇ ସବୁଠି ଚର୍ଚ୍ଚା । ସବୁରି ମୁହଁରେ ଗୋଟିଏ କଥା ‘ମୁଁ କାହାକୁ ଦେବି ଭୋଟ୍‌...’ । 

ରାଜନୀତିକୁ ନେଇ ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ ବହୁ ସୁନ୍ଦର ସୁନ୍ଦର ଗୀତ ରହିଛି । ଓଡ଼ିଆରେ ବି ଏମିତି ଅନେକ ଚମତ୍କାର ଗୀତ ରହିଛି । ଯେତେବେଳେ ଶୁଣିଲେ ବି ମଧୁର ଲାଗେ । ମନ, ପ୍ରାଣକୁ ଛୁଇଁଯାଏ । ସମାଲୋଚନା ପାଇଁ ଖୋରାକ ଯୋଗାଏ । ସେଥିମଧ୍ୟରୁ ଭାଇରାଲ୍‌ ହେଉଥିବା ଅକ୍ଷୟ ମହାନ୍ତିଙ୍କ ଏହି ଗୀତ ଅନ୍ୟତମ, ଯାହାକି ପୁରୁଣା ସ୍ମୃତିକୁ ସତେଜ କରିଦେଉଛି । 

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ବାକି ପର୍ଯ୍ୟାୟରେ କାହାକୁ ଭୋଟ୍‌ ଦେବେ, ସେ ନେଇ ଏହି ଗୀତ ମନେପକାଇ ଦେଉଛି । ଏହାର ରଚନା, ସ୍ୱର ସଂଯୋଜନା ବି ଏମିତି ହୋଇଛି ଯେ, ସମସ୍ତଙ୍କୁ ପସନ୍ଦ ଆସୁଛି । 

ବଡ଼ କଥା ହେଲା ଓଡ଼ିଆରେ ଉଭୟ ସିନେମା ଓ ଆଧୁନିକତାରେ ବ୍ୟଙ୍ଗ ରାଜନୀତି ଗୀତରେ ସ୍ୱରୂପ ଦା’ ଓ ଶ୍ରୀକାନ୍ତ ଦାସଙ୍କ ଯୋଡ଼ିକୁ ଭୁଲି ହେବନି । ଏହାବାଦ୍‌ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କର ବି ଚିରକାଳ ଓଡ଼ିଆଙ୍କ ପ୍ରାଣ ସ୍ପନ୍ଦନରେ ରହିବେ । ସୀମିତ ସଂଖ୍ୟକ ହେଲେ ବି ବାସୁଦେବ ରଥ ଓ ଅମରେନ୍ଦ୍ର ମହାନ୍ତିଙ୍କୁ ବି ଏ ମାଟି ପ୍ରଣାମ କରିବ । ଓଡ଼ିଆରେ ରାଜନୀତି ଗୀତକୁ ରୂପ ଦେବାକୁ ସମସ୍ତ ଓଡ଼ିଆ ସଙ୍ଗୀତ ଶିଳ୍ପୀଙ୍କ ଅବଦାନ ଅତୁଳନୀୟ । ସେଇଥିପାଇଁ ତ ଆଜି ଏତେ ସାରା ଗୀତ ପରେ ବି ଶ୍ରୋତା ଏବଂ ଦର୍ଶକ ୪୦-୫୦ ବର୍ଷ ତଳକୁ ଫେରୁଛନ୍ତି। ସେଇ ଗୀତକୁ ମନେପକାଇ ଗୁଣୁଗୁଣୁ ହେଉଛନ୍ତି । ଯେତେ ନୂଆ ଗୀତ ଆସୁ, ପୁରୁଣା ଆଗରେ ସବୁ ଫିକା । କିନ୍ତୁ ୟା ଭିତରେ ଏକ ରୋଚକ କଥା ବି ଅଛି ଯେ, ଜୀବନରେ ଥରେ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କର ନିର୍ବାଚନ ଲଢ଼ି ହାରିଥିଲେ । 

ଏହାଛଡ଼ା ଚଳିତ ବର୍ଷ ଫେବ୍ରୁଆରୀ ୨୩ ତାରିଖରେ ପ୍ରେକ୍ଷାଳୟକୁ ଆସିଥିଲା ଓଡ଼ିଆ ସିନେମା ‘ଭୋଟ୍‌’ ଯାହାର କାହାଣୀ ସହ ଗୀତକୁ ନେଇ ବହୁ ଚର୍ଚ୍ଚା, ଆଲୋଚନା ହୋଇଥିଲା । 

 ଓଲ୍ଡ ଇଜ୍‌ ଗୋଲ୍ଡ

ଆଗରୁ ଆମେ ହିଁ ଗୀତ କରୁଥିଲୁ, ମଞ୍ଚରେ ଗାଉଥିଲୁ । କାହିଁ କେହି ଖୋଜୁନଥିଲେ କି ପଚାରୁନଥିଲେ । ବର୍ତ୍ତମାନ ଟେକ୍ନୋଲୋଜିର ଗୁରୁତ୍ୱ ବଢ଼ିଛି । ଆଜିର ଏ ପରିବର୍ତ୍ତନ ପାଇଁ ସେ ଟେକ୍ନୋଲୋଜି ହିଁ ଦାୟୀ । ବିଶେଷକରି ଅଡିଓ ଟେକ୍ନୋଲୋଜି ପ୍ରଭାବ ବଢ଼ିଛି । ଜଣେ ଲଣ୍ଡନରେ ଗୀତ କରୁଛି, ଆମେ ଏଠି ଶୁଣୁଛେ । ଗୀତ ଖୁବ୍‌ ଶୀଘ୍ର ଭାଇରାଲ୍‌ ହୋଇଯାଉଛି । ସେଥିପାଇଁ ଗୀତକୁ ନେଇ ଚର୍ଚ୍ଚା ହେଉଛି । ସମୟ ଅନୁସାରେ ସବୁ ବଦଳେ । କିନ୍ତୁ ଓଲ୍ଡ ଇଜ୍‌ ଗୋଲ୍ଡ । - ଶ୍ରୀକାନ୍ତ ଦାସ, ପ୍ରଥିତଯଶା କଣ୍ଠଶିଳ୍ପୀ ଓ ସଙ୍ଗୀତକାର 

ନୀତି ହୀନ ରାଜନୀତି ପରି ଗୀତ  

ସେତେବେଳେ ପ୍ରକୃତ ଗୀତ ଲେଖା ହେଉଥିଲା । ବହୁତ ପରିଶ୍ରମ କରିବାକୁ ପଡ଼ୁଥିଲା, କିନ୍ତୁ ପଇସା କମ୍‌ ଥିଲା । ଆଜି ତାହା ଓଲଟା । ପ୍ରକୃତ ରାଜନୀତି ନାହିଁ କି ରାଜନେତା ନାହାନ୍ତି । ଭୋଟ୍‌ର ବି ପ୍ରକୃତ ଭୋଟ୍‌ର ନୁହନ୍ତି । ଏଭଳି ସ୍ଥିତିରେ ପ୍ରକୃତ ଗୀତ କୁଆଡ଼ୁ ଆସିବ । ଗୀତ ନ ଜାଣିଥିବା ବହୁତ ଲୋକ ଲେଖୁଛନ୍ତି । ପ୍ରତି ସାହିରେ, ଗଳିରେ ଗୀତିକାର, ସଙ୍ଗୀତକାର, କଣ୍ଠଶିଳ୍ପୀ ଭର୍ତ୍ତି । ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ଗୀତ । କେବଳ ନାଁ ଓ ଚିହ୍ନ ଅଲଗା । ତାହା ପୁଣି ହିନ୍ଦୀ କିମ୍ବା ଓଡ଼ିଆ ଗୀତର କପି । ଏବେ ଯେମିତି ନୀତିହୀନ ରାଜନୀତି ଚାଲିଛି, ସେମିତି ଗୀତ ହେଉଛି । -ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ବିଶିଷ୍ଟ ଗୀତିକାର

ଓଡ଼ିଆର ବାସ୍ନା ନାହିଁ

ଗୀତ କରିବା କଥା ବୋଲି କରୁଛନ୍ତି । ତେବେ ସେଥିରେ ବ୍ୟଙ୍ଗାତ୍ମକ ଏବଂ ସାମାଜିକ ବାର୍ତ୍ତା ନାହିଁ । ନେତା ଓ ତାଙ୍କ ନୀତି କଥା ବି ରହୁନି । ଏ ବିଷୟରେ କେହି ଚିନ୍ତା କରିବା ଲୋକ ନାହାନ୍ତି କି କରୁନାହାନ୍ତି । ସେଥିପାଇଁ ସିନେମାରେ ସେଭଳି ଗୀତ ଆସୁନି । ଆଉ ରେକର୍ଡ କଥା ନ କହିବା ଭଲ । ଗୀତଗୁଡ଼ିକ ବି ଶ୍ରୁତି ମଧୁର ହେଉନି କି ସେଥିରେ ଓଡ଼ିଆ ବାସ୍ନା ନାହିଁ । ତା’ପରେ ଅକ୍ଷୟ ମହାନ୍ତି ଏବଂ ସ୍ୱରୂପ ନାୟକଙ୍କ ଭଳି ମାଷ୍ଟର୍‌ମାନେ ବି ନାହାନ୍ତି । କିନ୍ତୁ ଏହା ନିଶ୍ଚିତ ଯେ, ଏ ସମୟ ବି ରହିବନି । - ଦେବାଶିଷ ମହାପାତ୍ର, ପ୍ରତିଷ୍ଠିତ କଣ୍ଠଶିଳ୍ପୀ

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.