ଓଡ଼ିଶା ବିଧାନସଭା ପ୍ରାର୍ଥୀଙ୍କ ରିପୋର୍ଟ କାର୍ଡ: ୩୦% ପ୍ରାର୍ଥୀ ଦାଗୀମାର୍କା

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଓଡ଼ିଶା ରାଜନୀତିରେ ଅଭିଯୁକ୍ତଙ୍କ ହାର ବଢ଼ିବାରେ ଲାଗିଛି । ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୦% ପ୍ରାର୍ଥୀ ଦାଗୀମାର୍କା ଅର୍ଥାତ୍‌ ସେମାନଙ୍କ ନାମରେ ଫୌଜଦାରୀ ମାମଲା ରହିଛି । ଏହି ହାର ୨୦୦୯ ଓ ୨୦୧୪ ନିର୍ବାଚନରେ ଫୌଜଦାରୀ ମାମଲା ଥିବା ପ୍ରାର୍ଥୀଙ୍କ ତୁଳନାରେ ୭% ଅଧିକ ।

ବିଧାନସଭା ଆସନ ହାତେଇବାକୁ ୨୦୧୯ରେ ମୋଟ୍‌ ୧,୧୩୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଲମ୍ଫ ଦେଇଛନ୍ତି । ସେମାନଙ୍କ ଦ୍ୱାରା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରୁ ୧,୧୨୧ଟିକୁ ବିଶ୍ଳେଷଣ କରି ଓଡ଼ିଶା ଇଲେକ୍ସନ ୱାଚ୍‌ ଓ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ଏହି ରିପୋର୍ଟ ପ୍ରସ୍ତୁତ କରିଛି ।

ରିପୋର୍ଟ ଦର୍ଶାଇଛି, ୨୦୧୪ ନିର୍ବାଚନ ତୁଳନାରେ ଏଥର ବିଧାନସଭା ପ୍ରାର୍ଥୀଙ୍କ ସଂଖ୍ୟା କମିଛି । ପୂର୍ବ ନିର୍ବାଚନରେ ୧,୪୨୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ୨୦୧୯ରେ ସେମାନଙ୍କ ସଂଖ୍ୟା ୧,୧୩୭କୁ ଖସିଛି । ଚଳିତ ନିର୍ବାଚନରେ ସତ୍ୟପାଠ ବିଶ୍ଳେଷଣ ହୋଇଥିବା ୧,୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣ ବା ୩୦%ଙ୍କ ବିରୋଧରେ ଫୌଜଦାରୀ ମାମଲା ଅଛି । ୨୦୧୪ରେ ୩୩୩ ଜଣ ବିଧାୟକ ପ୍ରାର୍ଥୀ ବା ୨୩% ବିରୋଧରେ ଫୌଜଦାରୀ ମାମଲା ଥିଲା । ସେହିଭଳି ୨୦୦୯ରେ ୧,୨୬୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୯୨ (୨୩%) ଜଣ ନିଜ ନାମରେ ଫୌଜଦାରୀ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଇଥିଲେ । ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୫୯%(୮୬ ଜଣ) ପ୍ରାର୍ଥୀଙ୍କ ନାମରେ ମାମଲା ରହିଛି । ସେହିଭଳି କଂଗ୍ରେସର ୪୬% (୬୪ ଜଣ) ଓ ବିଜେଡିର ୪୦% (୫୮ ଜଣ) ପ୍ରାର୍ଥୀଙ୍କ ନାମରେ ଫୌଜଦାରୀ ମାମଲା ରହିଛି ।

ଚଳିତ ନିର୍ବାଚନରେ ୨୫୭ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଧର୍ଷଣ, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗୀନ ଦଫା ଲାଗିଛି । ୭ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଚାଲିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।
୯ ପ୍ରାର୍ଥୀ କହିଛନ୍ତି, ସେମାନଙ୍କ ବିରୋଧରେ ହତ୍ୟା ମାମଲା (ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୨) ରହିଛି । ୬୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ (ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୭) ମାମଲା ଚାଲିଛି । ମୋଟ୍‌ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧିକ ମାମଲା ଥିବା ବେଳେ ସେମାନଙ୍କ ଭିତରୁ ୨ ଜଣ ଧର୍ଷଣ ମାମଲା ରହିଥିବା ସତ୍ୟପାଠରୁ ଜଣାପଡ଼ିଛି ।

ଅପରପକ୍ଷରେ ଓଡ଼ିଶା ଇଲେକ୍ସନ ୱାଚ୍‌ ରିପୋର୍ଟ କହୁଛି, ଏଥର ନିର୍ବାଚନରେ କୋଟିପତି ବିଧାୟକ ପ୍ରାର୍ଥୀଙ୍କ ପରିମାଣ ୧୦% ବଢ଼ିଛି । ୨୦୧୪ ନିର୍ବାଚନରେ ୧୭% (୨୪୪ ଜଣ) କୋଟିପତି ପ୍ରାର୍ଥୀ ବିଧାନସଭା ନିର୍ବାଚନ ଲଢ଼ୁଥିଲେ । କିନ୍ତୁ ଏଥର କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୭% ବା ୩୦୪ରେ ପହଞ୍ଚିଛି । ଏ କୋଟିପତି ନେତାଙ୍କ ମଧ୍ୟରୁ ୯୬ ଜଣ ବିଜେଡି ଟିକେଟ୍‌ରୁ ନିର୍ବାଚନ ଲଢ଼ୁଥିବା ବେଳେ ୭୫ ଜଣ ବିଜେପି ଓ ୭୩ ଜଣ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ଚଳିତ ବିଧାନସଭା ନିର୍ବାଚନରେ ୫୯୮ ଜଣ ପ୍ରାର୍ଥୀ ଉଚ୍ଚଶିକ୍ଷତ ଅର୍ଥାତ୍‌ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ । ୪୭୨ ଜଣ ପ୍ରାର୍ଥୀ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ଅନ୍ୟ ୮ ଜଣ ବିଧାୟକ ପ୍ରାର୍ଥୀ ନାମମାତ୍ର ଶିକ୍ଷିତ ବୋଲି ନିଜ ସତ୍ୟପାଠରେ ଦର୍ଶାଇଥିବା ଏଡିଆର୍‌ ନିଜ ରିପୋର୍ଟରେ କହିଛି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା