ସର୍ବଭାରତୀୟ ପୁଲିସ୍‌ ହକି ଚାମ୍ପିଅନସିପ୍‌ ଭୁବନେଶ୍ୱରରେ: ଭାଗ ନେବେ ୩୦ ଦଳ, ୬୦୦ ଖେଳାଳି

ଭୁବନେଶ୍ୱର, ୧୨ ।୯ (ବ୍ୟୁରୋ): ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ୬୮ତମ ସର୍ବଭାରତୀୟ ପୁଲିସ୍‌ ହକି ଚାମ୍ପିଅନସିପ୍‌ । ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭିତ୍ତିଭୂମି ରହିଥିବାରୁ ସର୍ବଭାରତୀୟ ପୁଲିସ୍‌ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ (ଏଆଇପିଏସ୍‌ସିବି) ଚଳିତ ବର୍ଷ ଚାମ୍ପିଅନସିପ୍‌ ଆୟୋଜନ ଅଧିକାର ଓଡ଼ିଶା ପୁଲିସ୍‌କୁ ପ୍ରଦାନ କରିଛି ।

କ୍ରୀଡ଼ା ଆୟୋଜନ ନେଇ ଆଜି ଭୁବନେଶ୍ୱର କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଓଡ଼ିଶା ପୁଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିବା ନେଇ ବିଭିନ୍ନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ କ୍ରୀଡ଼ା ବିଭାଗକୁ ଏ ବିଷୟରେ ବିଧିବଦ୍ଧ ଅନୁରୋଧ କରାଯାଇ କ୍ରୀଡ଼ାସୂଚୀ ଚୂଡ଼ାନ୍ତ କରାଯିବ ।

ଚାମ୍ପିଅନସିପ୍‌ରେ ସାରା ଦେଶର ରାଜ୍ୟ ପୁଲିସ୍‌ ଓ କେନ୍ଦ୍ରୀୟ ସୁରକ୍ଷା ବଳରୁ ମୋଟ୍‌ ୩୦ ଦଳ ଅଂଶ ଗ୍ରହଣ କରୁଥିବାରୁ ୬୦୦ରୁ ଊଦ୍ଧ୍ୱର୍ ଖେଳାଳିଙ୍କ ସମାବେଶ ଭୁବନେଶ୍ୱରରେ ହେବ । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରର ଖେଳାଳି ରହିଛନ୍ତି । ସେମିତି କ୍ରୀଡ଼ା ପରିଚାଳନା ପାଇଁ ୫୦ରୁ ଊଦ୍ଧ୍ୱର୍ ଅଫିସିଆଲ୍‌ ଆସିବେ । ଖେଳାଳି, କୋଚ୍‌ ଓ କ୍ରୀଡ଼ା ଅଧିକାରୀଙ୍କ ରହଣି ପାଇଁ ଉଚିତ ବ୍ୟବସ୍ଥା ଗ୍ରହଣ କରାଯିବ । ବିଭିନ୍ନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପରାମର୍ଶ କ୍ରମେ କମିଟି ଓ ଉପ କମିଟିମାନ ଗଠନ କରାଯାଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯିବ ।

ଡିଜିପି ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କମିଟିର ଉପାଧ୍ୟକ୍ଷ ଓ ଆଇ.ଜି ଅମିତାଭ ଠାକୁର କମିଟିର ସମ୍ପାଦକ ରହିବେ । ବିଭିନ୍ନ କମିଟି ଯଥା- ଅଭ୍ୟର୍ଥନା କମିଟି, ବ୍ୟବସ୍ଥାପନ କମିଟି, ପରିବହନ କମିଟି, ଗଣମାଧ୍ୟମ ଓ ପ୍ରଚାର କମିଟି, ସ୍ମରଣିକା କମିଟି ଓ ଅର୍ଥ କମିଟି ଗଠନ ହେବ । ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ଏହି ସବୁ କମିଟିର ଦାୟିତ୍ୱରେ ରହିବେ । ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଅତିରିକ୍ତ ପୁଲିସ କମିଶନର ସଂଜୟ ସିଂ, ଆଇ.ଜି ରେଖା ଲୋହାନୀ, ଅମିତାଭ ଠାକୁର, ଡିସିପି ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସହ ଅନ୍ୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ବେଶ୍‌ ସଫଳତାର ସହ ଆୟୋଜିତ ହୋଇ ସାରିଛି । ସଫଳ ଆୟୋଜନ ନେଇ ଓଡ଼ିଶା ସରକାରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ ମିଳିଛି । ତେଣୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନ ଭୁବନେଶ୍ୱରରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି ।

   ସମ୍ବନ୍ଧିତ ଖବର


IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ଜାନୁୟାରୀରେ ଭାରତ ଆସିବ ଇଂଲଣ୍ଡ ଟିମ୍, ଅହମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ …