ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ

ଅଲଓ୍ବର,୨୬।୧୦: ଦରମା ମାଗିବାରୁ କର୍ମଚାରୀକୁ ଜୀଅନ୍ତା ଜାଳି ହତ୍ୟା କଲା ମାଲିକ। ଏଭଳି ଏକ ନିର୍ମମ ଘଟଣା ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଘଟିଛି।  ଏକ ମଦ ଭାଟିରେ ଶନିବାର ରାତିରେ ନିଆଁ ଲାଗିଯିବା କାରଣରୁ ତା ଭିତରେ ଥିବା ଜଣେ ସେଲସମ୍ୟାନଙ୍କର ଜୀଅନ୍ତା ଜଳି ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୃତ ଯୁବକ କମଳ କିଶୋର ଦରମା ମାଗିଥିଲେ, କିନ୍ତୁ ଦୋକାନ ମାଲିକ ତାଙ୍କୁ ଟଙ୍କା ନଦେଇ ମଦ ଭାଟି ଭିତରେ ଥିବା ଫ୍ରିଜର ଭିତରେ ବନ୍ଦ କରିଦେଇଥିଲେ। ଏହାପରେ ଯୋଜନା ଅନୁସାରେ ଦୋକାନରେ ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଝଡକାର ବାସିନ୍ଦା ରୂପା ସିଂ ଖେରଥଲ ଥାନରେ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ କମଳ କିଶୋର(୨୨) ଏକ ମଦ ଦୋକାନରେ କାମ କରୁଥିଲେ। ଦୋକାନ ମାଲିକ ସୁଭାଷ ଓ ରାକେଶ ଯାଦବ ଶନିବାର ସନ୍ଧ୍ୟାରେ କମଳ କିଶୋରଙ୍କୁ ଡାକିକି ସାଙ୍ଗରେ ନେଇଯାଇଥିଲେ ଓ ରାତିରେ ପେଟ୍ରୋଲ ପକାଇ ଦୋକାନ ସହ ତାଙ୍କ ଭାଇକୁ ପୋଡି ଦେଇଥିଲେ।

ପୋଲିସ ମୃତକଙ୍କୁ ଖେରଥଲ ସାଟେଲାଇଟ୍ ହସ୍ପିଟାଲରେ ରଖିଛି। ପରିବାର ଲୋକ ମଦ ଦୋକାର ମାଲିକକୁ ଗିରଫ କରିବାର ଦାବି କରିଛନ୍ତି।  ବିବାଦ ଭିତରେ ପୋଲିସ ବୁଝାସଝା କରିବା ପରେ ମୃତକଙ୍କ ପୋଷ୍ଟମର୍ଟମ କରାଯାଇ ପରିବାର ଲୋକଙ୍କୁ ମୃତଦେହ ଅନ୍ତିମ ସଂସ୍କାର ପାଇ ଦିଆଯାଇଥିଲା।

ମୃତକଙ୍କ ଭାଇ କହିଛନ୍ତି କମଳ ପ୍ରାୟ ୫ ମାସ ହେବ ଏହି ମଦଦୋକାନରେ ସେଲସମ୍ୟାନ ଭାବରେ କାମ କରୁଥିଲେ। ଗତ ଦରମା ବାକି ଥିବାରୁ ସେ ଘରକୁ ଚାଲିଆସିଥିଲା।  ତେବେ ସନ୍ଧ୍ୟାରେ ଦୋକାନ ମାଲିକ ଓ ତା’ର ସାଙ୍ଗ ଘରକୁ ଆସି କମଳଙ୍କୁ ସାଙ୍ଗରେ ନେଇଯାଇଥିଲେ। ମଦ ଦୋକାନରେ ନିଆଁ ଲାଗିବା ଘଟଣା ପରେ ଦୋକାନ ମାଲିକ ସୁଭାଷ ଓ ସାଙ୍ଗ ରାକେଶ ଯାଦବ ଫେରାର ହୋଇଯାଇଛନ୍ତି। ଦୋକାନରେ ଲକ୍ଷାଧିକ ଟଙ୍କାର କ୍ଷତି ହେବାପରେ ବି ସେମାନେ ସାମନାକୁ ଆସିନାହାନ୍ତି। ଏପରିକି ହତ୍ୟା ଅଭିଯୋଗ ପରେ ବି ପୋଲିସ ତାଙ୍କୁ ଗିରଫ କରିନାହିଁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।ପୋଲିସର କହିବା ଅନୁସାରେ, ଘଟଣାସ୍ଥଳରେ ଏଫଏସଏଲ ଟିମ୍ ଡକାଇ ଯାଞ୍ଚ କରାଯିବ। ମାମଲାରେ ସାକ୍ଷୀ-ପ୍ରମାଣ ମିଳିବା ପରେ ସ୍ଥିତି ସ୍ପଷ୍ଟ ହୋଇପାରିବ।