ମୁମ୍ବାଇରେ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୫ ।୨(ବ୍ୟୁରୋ): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଏବଂ ଅନନ୍ୟ ବସ୍ତ୍ରଶିଳ୍ପର ଆକର୍ଷଣୀୟ ସମ୍ଭାରକୁ ନେଇ ମୁମ୍ବାଇରେ ଦୁଇ ଦିନିଆ ବିଶାଳ କାର୍ଯ୍ୟକ୍ରମ ‘ଆମ ଉତ୍କର୍ଷ ଓଡ଼ିଶା’ ରବିବାର ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ଓଡ଼ିଆ ସମ୍ପ୍ରଦାୟ ପକ୍ଷରୁ ନାଭି ମୁମ୍ବାଇର ସିଡକୋ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଅନନ୍ୟ ତଥା ବିରଳ କଳା ପରମ୍ପରାର ପ୍ରଦର୍ଶନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ଦୌପଦୀ ମୁର୍ମୁ ଯୋଗଦେଇ କହିଥିଲେ, ‘ଓଡ଼ିଶା କହିଲେ ଶ୍ରୀ ଜଗନ୍ନାଥ³ ଶ୍ରୀ ଜଗନ୍ନାଥ କହିଲେ ଓଡ଼ିଶା । ଜଗନ୍ନାଥ ହିଁ ଓଡ଼ିଆମାନଙ୍କୁ ସହନଶୀଳତା, ଭାତୃଭାବ ଓ ଅହିଂସା ଶିଖାଇଛନ୍ତି । ତା’ ସହିତ ଆମ ଭାଷା, ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ବେଶ ପୋଷାକ ପାଇଁ ଓଡ଼ିଆମାନେ ଅନ୍ୟମାନଙ୍କଠାରୁ ନିଆରା । ତେଣୁ ମୁମ୍ବାଇରେ ବାସ କରୁଥିବା ଓଡ଼ିଆମାନେ ଏକାଠି ହୋଇ ଆମ ଭାଷା, ସଂସ୍କୃତିର ଯେଉଁ ମହାକୁମ୍ଭ ସୃଷ୍ଟି କରିଛନ୍ତି ତାହା ଗର୍ବର ବିଷୟ ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭରେ ମହାରାଷ୍ଟ୍ର ଓଡ଼ିଆ ୱେଲଫେୟାର୍ ଆସୋସିଏସନ୍ର ସଭାପତି ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଭଗବାନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ୪ ଜଣ ବିଶିଷ୍ଟ ଓଡ଼ିଆ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ଶିଶିର ମିଶ୍ର, ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ପ୍ରବାସୀ ଶିଳ୍ପଦ୍ୟୋଗୀ ସଞ୍ଜୟ ଦାସଙ୍କୁ ‘ଓଡ଼ିଶାର ବରପୁତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ପରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ସୂର୍ଯ୍ୟ ମନ୍ଦିର’, ଶିବୁ ପୃଷ୍ଟିଙ୍କ ‘ଲଡ ଅଫ୍ ଦ ୟୁନିଭର୍ସ’, ବିଶ୍ୱନାଥ ରଥଙ୍କ ‘କୋଟପାଡ ଉଇଭିଙ୍ଗ’, ସୁବାସ ସାହୁଙ୍କ ‘ସେବ ବୋଉ’ ଏବଂ ହିମାଂଶୁ ଖଟୁଆଙ୍କ ‘କ୍ରାନ୍ତି ଧାରା’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।