ଓଡ଼ିଆ ଭାଷାକୁ ଅପମାନ: ଆମାଜନ୍‌ ପ୍ରାଇମ୍‌ ଭିଡିଓରୁ ବାଦ୍ ପଡିଲା ଓଡ଼ିଆ ଫିଲ୍ମ ‘କ୍ଷଣିକା’

ପ୍ଲାଟ୍‌ଫର୍ମରେ ହୋଇଥିଲା ୨ ଦିନ ଷ୍ଟ୍ରିମିଂ

ଭୁବନେଶ୍ୱର,୩୦/୦୬: ଓଟିଟି ପ୍ଲାଟ୍‌ଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ ଦେଖିବାକୁ ମିଳିବ । ଏହା ଶୁଣିବା ପରେ ଓଡ଼ିଆଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ହେଲେ ଷ୍ଟ୍ରିମିଂ ହେବାର ଦୁଇ ଦିନ ପରେ ଓଡ଼ିଆ ଫିଲ୍ମ କହି ଫିଲ୍ମକୁ ଉକ୍ତ ପ୍ଲାଟ୍‌ଫର୍ମରୁ ହଟାଇ ଦିଆଯାଇଛି । ଯାହା ଫିଲ୍ମ ନିର୍ମାଣଧୀନ ଟିମ୍‌ ସାଙ୍ଗକୁ ଓଡ଼ିଆ ସିନେପ୍ରେମୀଙ୍କୁ ଆଘାତ ଦେଇଛି ।ଭାରତର ଅନ୍ୟତମ ଶାସ୍ତ୍ରୀୟ ଭାଷା ଭାବେ ଲୋକପ୍ରିୟତା ହାସଲ କରିଥିବା ଓଡ଼ିଆ ଭାଷା ପ୍ରତି ଏଭଳି ଅପମାନକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ସାଂସଦ ଡ. ଅମର ପଟ୍ଟନାୟକ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ଓଡ଼ିଆ ଭାଷା ପ୍ରତି ଏହା ଏକ ବଡ଼ ଅପମାନ । ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଫିଲ୍ମଟି ସଫଳତା ପାଇଥିବାବେଳେ ରାଜ୍ୟରେ ବି ପୁରସ୍କାର ପାଇଛି । ବାସ୍ତବରେ ଏହା ଓଡ଼ିଶାର ସମୃଦ୍ଧ ତଥା ଜୀବନ୍ତ ସଂସ୍କୃତି ପ୍ରତି ତୁଚ୍ଛ ମନୋଭାବ । ଆଶା କରୁଛି ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କ ନିଷ୍ପତ୍ତି ଉପରେ ସମୀକ୍ଷା କରିବେ । ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ଏବଂ ପୂରା ଟିମ୍‌ ଏହାକୁ ପୁଣିଥରେ ଷ୍ଟ୍ରିମିଂ କରାଯାଉ ବୋଲି ଦାବି କରିଛନ୍ତି ।

ଆମାଜନ୍‌ ପକ୍ଷରୁ କୁହାଯାଇଛି, ସେମାନେ କେବଳ ୯ଟି ଭାରତୀୟ ଭାଷାର ଚଳଚ୍ଚିତ୍ରକୁ ଷ୍ଟ୍ରିମିଂ କରିପାରିବେ । ବିତରକମାନଙ୍କ ଦ୍ୱାରା ଅଜାଣତରେ ଏହା ଓଟିଟି ପ୍ଲାଟ୍‌ଫର୍ମରେ ଉପଲବ୍ଧ ହୋଇଥିଲା । ଏଥିପାଇଁ ସଂସ୍ଥା ଭୁଲ୍‌ ମାଗିବା ସହ ଘଟଣାରେ ପୂର୍ଣ୍ଣଛେଦ ଟାଣିବାକୁ ଚେଷ୍ଟା କରିଛି ।

ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା- ଦ ଲଷ୍ଟ ଆଇଡିଆ’ ବିଶ୍ୱର ୧୪ଟି ଦେଶରେ ପ୍ରଦର୍ଶିତ ହୋଇଥିଲାବେଳେ ୩୦ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି । ଗୋଆରେ ଅନୁଷ୍ଠିତ ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ)ର ଇଣ୍ଡିଆନ ପାନୋରାମା ସେକ୍ସନ୍‌ରେ ଏହା ମନୋନୀତ ହୋଇଥିଲା । ୨୬ଟି ଚଳଚ୍ଚିତ୍ର ମଧ୍ୟରେ ଏହା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇଥିଲା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଫିଲ୍ମର ଏଡିଟିଂ ପାଇଁ ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଏଡିଟିଂ ପୁରସ୍କାର ପାଇଛନ୍ତି । ଦେଶ, ବିଦେଶରେ ଆୟୋଜିତ ଚଳଚ୍ଚିତ୍ର ଉତ୍ସବରେ ଫିଲ୍ମଟି ଉଚ୍ଚ ପ୍ରଶଂସିତ ହୋଇପାରିଛି ।

୮୯ମିନିଟ୍‌ ଅବଧିର ଏହି ଫିଲ୍ମରେ ଅମ୍ରିତା ଚୌଧୁରୀ, ସୁଶାନ୍ତ ମିଶ୍ର, ଚୌଧୁରୀ ବିକାଶ ଦାସ, ହୃଷିକେଶ ଭୋଇ, ଦ୍ୱିପନ୍ୱୀତ ଦାଶମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ଭସ୍ୱତୀ ବସୁ ପ୍ରମୁଖ ଅଭିନୟ କରିଛନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ଏକ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ଏହାର ମୁଖ୍ୟ ବିଷୟ ଜଣେ ଚିତ୍ରକର ଓ ଜଣେ କବିଙ୍କ କାହାଣୀ ଉପରେ ଆଧାରିତ ରହିଛି ।

   ସମ୍ବନ୍ଧିତ ଖବର


ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

ବଲିଉଡ ପାଇଁ କଳାଦିନ : ୭୬ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଫିଲ୍ମ ନିର୍ମାତା ହରିଶ ଶାହ

‘ଚକ୍ରବ୍ୟୂହ’ରେ ଓଲିଉଡ ଅଭିନେତ୍ରୀ ଦୀପିକା

ଜୁଲାଇରେ ବସିବନି ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ

କ୍ୟାପିଟାଲ ହସ୍ପିଟାଲରେ କରୋନା ଆତଙ୍କ, କ୍ୱାରେଣ୍ଟାଇନ୍‌ରେ ୧୫ କର୍ମଚାରୀ

ଟୁଇନ୍‌ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ଗୃହ ବିଭାଗକୁ ପ୍ରସ୍ତାବ ଦେଲେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ