ଆମାଜନର ନିର୍ମାଲ୍ୟ ବିକ୍ରି ମାମଲା: ପୁଲିସ କେସ୍‌ ପାଇଁ ପ୍ରଶାସନର ସୁପାରିସ

ପୁରୀ,୦୪/୧୨: ଇ-କର୍ମସ ୱେବସାଇଟ୍‌ରେ ଆମାଜନର ନିର୍ମାଲ୍ୟ ବିକ୍ରିକୁ କେନ୍ଦ୍ର କରି ବିବାଦ ତେଜିବାରେ ଲାଗିଛି। ଆମାଜନ୍‌ ବିରୋଧରେ ପୁଲିସ ମାମଲା କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପାରିସ କରିଛନ୍ତି। ଏହି ସୁପାରିସ ଆଧାରରେ ଶ୍ରୀମନ୍ଦିର ନୀତି ବିଭାଗ ଥାନାରେ ଏତାଲା ଦେବାକୁ ପ୍ରସ୍ତୁତି ଚଳାଇଛ। ଗୁରୁବାର ରାତି ୯ଟା ସୁଦ୍ଧା ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ବିରୋଧରେ କୌଣସି ଏତଲା ଦାଖଲ ହୋଇ ନଥିଲା । ଆଜି ଏହି ଏତଲା ଦାଖଲ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ରାତି ୯ଟା ସୁଦ୍ଧା ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦାଖଲ ହୋଇ ନଥିବା ଥାନାର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଆମାଜନ୍‌ ବିରୋଧରେ ଅଭିଯୋଗ ପତ୍ର ପ୍ରଶାସନ ପ୍ରସ୍ତୁତ କରିଛି । ଏହି ସଂସ୍ଥା ଭକ୍ତଙ୍କ ଧର୍ମଭାବନାକୁ ଆଘାତ ଦେଇ ଅନଧିକାର ନିର୍ମାଲ୍ୟ ପ୍ରସାଦକୁ ଅନ୍‌ଲାଇନରେ ବିକ୍ରି କରିବାକୁ ବିଜ୍ଞାପନ ଦେବା ଘଟଣା ଆଇନ ବିରୋଧୀ । ଆଜି କମ୍ପାନୀ ବିରୋଧରେ ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନଥାଇ ମହାପ୍ରଭୁଙ୍କ ନିର୍ମାଲ୍ୟ ପ୍ରସାଦକୁ ଅନଧିକାର ବିକ୍ରି କରୁଥିବା ଆମାଜନ ବିରୋଧରେ ଦୌରାବିଧି ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ଦାବି କରିବ ବୋଲି ଖବର ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ନିର୍ମାଲ୍ୟ, ମହାପ୍ରସାଦ ଆଦି ମହାପ୍ରଭୁଙ୍କ ପୂଜା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନର ନିଜସ୍ୱ ଅଧିକାରଭୁକ୍ତ ଦୁର୍ଲଭ ପ୍ରସାଦ । ଏହାକୁ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଆଇନଗତ ନିର୍ଦ୍ଧାରଣ ରହିଛି । ଅନ୍ୟପକ୍ଷରେ ସୁପକାର ନିଯୋଗ ଅଭିଯୋଗ କରିଛି ଅନ୍‌ଲାଇନରେ ନକଲି ନିର୍ମାଲ୍ୟ ବିକ୍ରି ହେଉଛି । ସୁପକାର ନିଯୋଗ ଏହି ଗୁରୁତର ଅଭିଯୋଗ ଉପରେ ମଧ୍ୟ ତଦନ୍ତ କରିବାକୁ ପ୍ରଶାସନିକ ପ୍ରସ୍ତୁତି ଚାଲିଛି ।

ବୁଧବାର ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ୱାର ଥାନାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ମାମଲା ହୋଇଛି । ନିଯୋଗ ପକ୍ଷରୁ ଅନଧିକାର ନିର୍ମାଲ୍ୟ ବିକ୍ରି କରୁଥିବା ଆମାଜନ୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦିଆଯାଇଛି । ଏହା ପୂର୍ବରୁ ଜଣେ ଛାମୁ ଖୁଣ୍ଟିଆ ସେବକ ଶମ୍ଭୁନାଥ ଖୁଣ୍ଟିଆ ମଧ୍ୟ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଏନେଇ କହିଥିଲେ ଘଟଣାର ତଦନ୍ତ ହେବ । ତଦନ୍ତରୁ ମିଳିବା ତଥ୍ୟ ଆଧାରରେ ପୁଲିସ ଥାନାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ ।

ସୁଆର ମହାସୁଆର ନିଯୋଗ ଗୁରୁତର ଅଭିଯୋଗ ଆଣିଛି । ଇ-କମର୍ସ କମ୍ପାନୀମାନେ ଭକ୍ତଙ୍କ ଧର୍ମ ଭାବନା ସହ ଖେଳୁଥିବାର ଅଭିଯୋଗ କରିଛି । ନକଲି ନିର୍ମାଲ୍ୟ, ନକଲି ଅବଢ଼ା ଅନଲାଇନରେ ବିକି ଭକ୍ତଙ୍କୁ ଠକା ଯାଉଛି । ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରୀ (କାଳିଆ) କହିଛନ୍ତି ଭକ୍ତ ନଥିବାରୁ ଏବେ ଶ୍ରୀମନ୍ଦିରରେ ସୀମିତ ମହାପ୍ରସାଦ ପ୍ରସ୍ତୁତ ହେଉଛି । ତେଣୁ ଅବଢ଼ା ବଳିବାର ନାହିଁ । କିଛି ଖଳ ପ୍ରକୃତିର ଲୋକ କୌଣସି ମଠ କିମ୍ବା ମନ୍ଦିରରେ ପ୍ରସାଦ ରୋଷେଇ କରି ନିର୍ମାଲ୍ୟ ନାମରେ ଅନଲାଇନରେ ବିକ୍ରି କରୁଛନ୍ତି । ଏହି କାରଣରୁ ଅନଲାଇନରେ ବିକ୍ରି ହେଉଥିବା ନିର୍ମାଲ୍ୟ ‘ନକଲି’ । ଏହା ମହାପ୍ରସାଦ ପ୍ରତି ଅବମାନନା ହୋଇଛି ବୋଲି ଶ୍ରୀ ପଢ଼ିଆରୀ ପ୍ରକାଶ କରିଛନ୍ତି ।