ସିସିଟିଭି ଫୁଟେଜ୍‌ରୁ ଜଣାପଡିଲା ସତ: ୮୦ ନୁହେଁ, ୨୫ ମିନିଟ୍‌ରେ ପହଞ୍ଚିଛି ଆମ୍ବୁଲାନ୍ସ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ସୋମବାର ସକାଳେ ଆମ୍ବୁଲାନ୍ସ ଭିଡ଼ରେ ଫସିବାରୁ ଶିଶୁ ଜୀବନ ଯିବା ଘଟଣା ଆଜି ଭିନ୍ନ ମୋଡ ନେଇଛି । ମୃତ ଶିଶୁର ପରିବାର ଲୋକଙ୍କ କହିବା ଅନୁସାରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କିମ୍ସ ଯିବାକୁ ୧ ଘଣ୍ଟା ୨୦ ମିନିଟ୍‌ ଲାଗିଥିଲା । ତେବେ ବିଭିନ୍ନ ଛକରେ ଲାଗିଥିବା ସିସିଟିଭି କିନ୍ତୁ ଅଲଗା କଥା କହୁଛି । ରାଜଭବନରୁ କିମ୍ସ ହସ୍ପିଟାଲ ପହଞ୍ଚିବାକୁ ମାତ୍ର ୨୦ ମିନିଟ୍‌ ଲାଗିଛି ଆମ୍ବୁଲାନ୍ସକୁ । ତେବେ ଏହାକୁ କାହିଁକି କିଏ ଅତିରଞ୍ଜିତ କଲା, ତାକୁ ନେଇ ଏବେ ତଦନ୍ତ କରୁଛି କମିଶନରେଟ୍‌ ପୁଲିସ୍‌ ।

ମିଳିଥିବା ସୂଚନା ମୁତାବକ, ରାଜଭବନ ଛକରେ ଲାଗିଥିବା ସିସିଟିଭିରେ ଆମ୍ବୁଲାନ୍ସ (ଓଡ଼ି ୩୩ ୱାଇ ୬୦୧୯) ସୋମବାର ୧୦ଟାରେ ଅତିକ୍ରମ କରୁଥିବାର ଦେଖାଯାଇଛି । ତେବେ ଆମ୍ବୁଲାନ୍ସକୁ ପୂର୍ବରୁ ଏଜି ଛକ କ୍ୟାମେରାରେ ଦେଖିବାକୁ ମିଳିନି । କାରଣ ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲ ରାସ୍ତାରୁ ବାହାରି ଭୁବନେଶ୍ୱର କ୍ଲବ୍‌ ରାସ୍ତାରେ ଦେଇ ରାଜଭବନ ଆସିଛି । ଭାୟା ଜୟଦେବ ବିହାର ଦେଇ କିମ୍ସରେ ପହଞ୍ଚଛି । ଆମ୍ବୁଲାନ୍ସ ରାସ୍ତାରେ ଯିବା ସମୟରେ ନାଲକୋ ଛକ, ଚନ୍ଦ୍ରଶେଖରପୁର ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି । ଏମିତିକି ଆମ୍ବୁଲାନ୍ସ ନାଲକୋ ଛକଠାରେ ବାଇକ୍‌କୁ ଧକ୍କା ଦେଇଥିବାର ଚିତ୍ର ମଧ୍ୟ ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ଆମ୍ବୁଲାନ୍ସ ସେଠାରେ

୨ରୁ ୩ ମିନିଟ୍‌ ଯାଏ ଅଟକିଥିଲା । ନାଲକୋ ଛକରେ ଆମ୍ବୁଲାନ୍ସ ପହଞ୍ଚିବା ବେଳେ ସମୟ ସକାଳ ୧୦ଟା ୧୦ ହୋଇଥିଲା । ଏହାପରେ ଆମ୍ବୁଲାନ୍ସ କିମ୍ସ ହସ୍ପିଟାଲରେ ପହଞ୍ଚିବା ବେଳେ ସମୟ ହୋଇଥିଲା ୧୦ଟା ୧୯ । ଏ ସମ୍ପର୍କରେ ପୁଲିସ୍‌କୁ ପଚରା ଯାଇଥିଲେ ମଧ୍ୟ ମୁହଁ ଖୋଲିନି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆଜି ପୁଲିସ୍‌ ଆମ୍ବୁଲାନ୍ସ ଡ୍ରାଇଭରକୁ ଡାକି ପଚରାଉଚୁରା କରିଛି । ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲରୁ କିମ୍ସରେ ପହଞ୍ଚିବାକୁ ୪୦ ମିନିଟ୍‌ ଲାଗିଥିବାର ସ୍ୱୀକାର କରିଛି । ବାସ୍ତବରେ ୨୫ ମିନିଟ୍‌ ନା ୪୦ ମିନିଟ୍‌ ଲାଗିଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ରାଜଭବନରୁ କିମ୍ସକୁ ୧୮ ମିନିଟ୍‌ ଲାଗିଥିବା ବେଳେ ହସ୍ପିଟାଲରୁ ରାଜଭବନକୁ କ’ଣ ସତରେ ୨୨ ମିନିଟ୍‌ ଲାଗିଥିଲା? ରାସ୍ତାର ରୁଟ୍‌ ଯାହା କହୁଛି, ଆମ୍ବୁଲାନ୍ସ ହସ୍ପିଟାଲ ଆହାର ନିକଟସ୍ଥ ଗେଟ୍‌ରୁ ବାହାରି ସିଧା ଭୁବନେଶ୍ୱର କ୍ଲବ୍‌ ନିକଟ ରାସ୍ତାରେ ମିଶିଛି । ଏଠୁ ଆମ୍ବୁଲାନ୍ସ ରାଜଭବନ ଆଡକୁ ଯାଇଛି । ଏହା ଭିତରେ କେଉଁଠି ଟ୍ରାଫିକ୍‌ ମଧ୍ୟ ନାହିଁ । ତେଣୁ ବାସ୍ତବରେ ଆମ୍ବୁଲାନ୍ସ ପହଞ୍ଚିବାକୁ ୧ ଘଣ୍ଟା ୨୦ ମିନିଟ୍‌ ଲାଗିଛି ନା’ କିଏ କାହିଁକି ଘଟଣାକୁ ଅତିରଞ୍ଜିତ କରିଛି । ଏହାକୁ ଏବେ ତଦନ୍ତ କରୁଛି ପୁଲିସ୍‌ । ପୁଲିସ୍‌ କ୍ୟାପିଟାଲ ହସ୍ପିଟାଲରେ ରେଫର୍‌ ଟିକେଟ୍‌ ସହ ହସ୍ପିଟାଲରେ ଲାଗିଥିବା କ୍ୟାମେରାକୁ ମଧ୍ୟ ଯାଞ୍ଚ କରିବା ସହ କିମ୍ସରେ ମୃତଦେହ ଗ୍ରହଣ କରିବାର ସମୟ କ’ଣ ରହିଥିଲା ସେ ଦିଗକୁ ମଧ୍ୟ ପରିସରଭୁକ୍ତ କରିଛି ।

   ସମ୍ବନ୍ଧିତ ଖବର


ରାଜଧାନୀରୁ ବ୍ରାଉନ ସୁଗାର ଜବତ, ୨ ଗିରଫ

ଜମି କିଣା ବିକାରେ ୩୫ ଲକ୍ଷ ଟଙ୍କା ଠକେଇ: ଭାଇ ଜମିକୁ ଭାଇକୁ ବିକି ଗିରଫ ହେଲେ ଯୁବକ

ଚିଲିକାରେ ୧୪୬ଟି ଇରାୱାଡ଼ି ପ୍ରଜାତିର ଓ ୧୭ଟି ବଟଲନୋଜ୍‌ ପ୍ରଜାତିର ଡଲଫିନ୍‌

ସିଲ୍ ହେଲା ପଟିଆ ବିଗ୍ ବଜାର