ବୈଜ୍ଞାନିକଙ୍କୁ ମିଳିଲା ଟାୟରାନୋସୋରର ନୂତନ ପ୍ରଜାତି

ଓ୍ବାଶିଂଟନ୍,୨୫।୨: ବୈଜ୍ଞାନିକମାନେ ଛୋଟ ଟାୟରାନୋସୋର ଏକ ନୂଆ ପ୍ରଜାତିର ସନ୍ଧାନ କରିଛନ୍ତି। ଯାହାଦ୍ବାରା ଟି-ରେକ୍ସର ବିକାଶ ସମ୍ପର୍କରେ ମହତ୍ତ୍ବପୂର୍ଣ୍ଣ ସୂଚନା ଜଣାପଡିବ। ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ କିଭଳି ଭାବରେ ଏହି ଛୋଟ, କ୍ଷୀପ୍ର ଓ ବିପଦଜନକ ଶିକାରୀର ବିକାଶ ହୋଇଛି। ଏହି ନୂଆ ପ୍ରଜାତିର ନାମ ମୋରେସ୍ ଇଣ୍ଟ୍ରିପେଡସ୍ ଯାହାକି ୯କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ରହୁଥିଲେ। କମ୍ୟୁନିକେସନ୍ ବାୟୋଲୋଜି ଜର୍ନାଲରେ ଟାୟରାନୋସେନାର ଏହି ନୂତନ ପ୍ରଜାତିର ବିଶ୍ଳେଷଣ କରାଯାଇଛି। ଟି-ରେକ୍ସ ତୁଳନାରେ ମୋରସ୍ ଛୋଟ ଥିଲା। ଟାୟରାନୋସୋର ଡାଇନୋସର ବଂଶର ଜୀବ ଅଟେ। ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ। ଏହାର ଜୀବାଶ୍ମ ଏବଂ ଅବଶେଷ ଉତ୍ତର ଆମେରିକାରୁ ମିଳିଥିଲା। ଏହା କ୍ରେଟାସିଅସ୍ ଯୁଗରେ ବାସ୍ କରୁଥିଲା।
ଉତ୍ତର ଆମେରିକାରେ କୋଟିୟସ୍ ଟାୟରାନୋସୋରର ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ ଆବିଷ୍କାର ଏବଂ ସବୁଠାରୁ ପୁରୁଣା ପ୍ରଜାତି। ଆମେରିକାର ଉତ୍ତର କାରୋଲିନା ଷ୍ଟେଟ୍ ୟୁନିଭର୍ସିଟିର ଜୀବାଶ୍ମ ବିଜ୍ଞାନୀ ଲିଣ୍ଡସେ ଜାନେ କହିଛନ୍ତି ମିଳିଥିବା ଜୀବାଶ୍ମରୁ ଜଣାପଡୁଛି ୧୫ କୋଟି ବର୍ଷ ପୂର୍ବେ ଉତ୍ତର ଆମେରିକାରେ ମଧ୍ୟମ ଆକାରର ଆଦିମ ଟାୟରାନୋସୋର ଥିଲା। ସେଭଳି ୮ କୋଟି ବର୍ଷ ପୂର୍ବେ ଏହି ଟାୟରାନୋସୋର ବିଶାଳ ଓ ସର୍ବଶ୍ରେଷ୍ଠ ଶିକାରୀ ହୋଇଥିଲା। ମଝିରେ ଥିବା ୭ କୋଟି ବର୍ଷର ଯେଉଁ ଇତିହାସ ରହିଛି ସେଥିରେ ଟାୟରନୋସୋରରେ ଅଦ୍ଭୁତପୂର୍ବ ବିକାଶ ହୋଇଥିଲା। ଜୀବାଶ୍ମ ବିଜ୍ଞାନୀ ଏପର୍ଯ୍ୟନ୍ତ ସେ ସମ୍ପର୍କରେ ଜାଣିନଥିଲେ। ଜୋନୋ କହିଛନ୍ତି ଲୁଚି ଲୁଚି ଶିକାର କରୁଥିବା ଟାୟରାନୋସୋର ଏତେ ବର୍ଷ ଭିତରେ କିଭଳି ଦୁର୍ଦାନ୍ତ ଶିକାରୀ ପାଲଟିଗଲା? ଏହି ପ୍ରଶ୍ନ ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି। ବିଶେଷଜ୍ଞମାନେ ଏକ ଦଶକ ପର୍ଯ୍ୟନ୍ତ ସନ୍ଧାନ କରିବା ପରେ ଟାୟରାନୋସୋରର କିଛି ଦାନ୍ତ ଓ ଶରୀରର କିଛି ଅଂଶ ପାଇଥିଲେ।