୨୯ରେ ଆସିବେ ଶାହ, ସାଲେପୁରରେ ହେବ ସଭା

ଭୁବନେଶ୍ୱର,୨୩ ।୧ (ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ୨୯ରେ ଓଡ଼ିଶା ଗସ୍ତରେ ଆସିବେ । ୧୮ରେ ତାଙ୍କ ଗସ୍ତ ସ୍ଥିର ହୋଇଥିଲା ବେଳେ ସେ ସ୍ୱାଇନ ଫ୍ଲୁରେ ପୀଡ଼ିତ ହେବାରୁ ଏହା ବାତିଲ୍‌ ହୋଇଥିଲା । ମାତ୍ର ସେ ୨୯ରେ ଆସି କଟକ ସାଲେପୁର କୁଳିଆଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଭୋଟ ମନ୍ତ୍ର ପଢ଼ାଇବେ । ବିଜେପି ସାଧାରଣ ସଂପାଦକ ପଥ୍ୱୀରାଜ ହରିଚନ୍ଦନ ଏ ସୂଚନା ଦେଇଛନ୍ତି ।
ବିଜେପିର ‘ଲୁକ୍‌ଇଷ୍ଟ’ ଫର୍ମୁଲା ଅନୁସାରେ ଏବେ ଓଡ଼ିଶା ହେଉଛି ଦଳର ପ୍ରଥମ ଟାର୍ଗେଟ୍‌ । ଓଡ଼ିଶା ଗାଦି ଦଖଲ କରିବାକୁ ବିଜେପି ଅଭିଯାନକୁ ଜୋରଦାର କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଖୋର୍ଦ୍ଧା, ବାରିପଦା ଓ ବଲାଙ୍ଗୀର ଗସ୍ତରେ ଆସି ବିକାଶ ପେଡ଼ି ଖୋଲିବା ସହ ଭୋଟଭିକ୍ଷା କରିଛନ୍ତି । କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ କେତେ ଫୋକସ୍‌ କରୁଛି ପ୍ରଧାନମନ୍ତ୍ରୀ ତା’ର ସ୍ପଷ୍ଟ ଚିତ୍ର ରଖିବା ସହ ବିଜେପିକୁ ଓଡ଼ିଶାରେ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ୨୯ ରେ ଶାହଙ୍କ ଗସ୍ତ ଧାର୍ଯ୍ୟ ହେବା ପରେ ବିଜେପି ମହଲରେ ଉତ୍ସାହ ପ୍ରକାଶ ପାଇଛି । ଏହାଛଡ଼ା ଆସନ୍ତା ଫେବ୍ରୁଆରୀ ୨/୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଅନୁସୂଚିତ ଜନଜାତି ମହାଅଧିବେଶନରେ ମଧ୍ୟ ଶାହ ଯୋଗଦେବାକୁ ସ୍ଥିର ହୋଇଛି ।