ଅମରେଶ ହତ୍ୟାକାଣ୍ଡ ମାମଲାରେ ପୁଲିସ୍‌ ପଞ୍ଝାରେ ୩ ଅଭିଯୁକ୍ତ: କୋଲକାତାରୁ ୨ ଏବଂ ଜଟଣୀରୁ ଜଣେ ଗିରଫ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଅମରେଶ ନାୟକ ହତ୍ୟାକାଣ୍ଡରେ ଏୟାରଫିଲ୍ଡ ଥାନା ପୁଲିସ୍‌ ପଞ୍ଝାରେ ପଡି଼ଛନ୍ତି ୩ ଅଭିଯୁକ୍ତ । ପୁଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି । ସେମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି କି ନାହିଁ ତାହାର ଖୋଜଖବର ନେଉଛି । ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ପୁଲିସ କୋଲକାତାରୁ ଧରିଥିବା ବେଳେ ଅନ୍ୟ ଜଣଙ୍କୁ ଜଟଣୀ ପାଖରୁ ଉଠାଇଥିବା ପୁଲିସ କହିଛି । ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି ।
  

ମିଳିଥିବା ସୂଚନା ମୁତାବକ, ପୁଲିସ ଧରିଥିବା ୩ଜଣଙ୍କ ଘର ସୁନ୍ଦରପଦା ଓ କପିଳପ୍ରସାଦ ମୌଜାରେ । ସେମାନଙ୍କ ନାଁ ହେଉଛି ରଘୁନାଥ ବାରିକ ଓରଫ୍‌ ରଘୁଆ, ବିକାଶ ରାଉତରାୟ ଓରଫ ଉଙ୍କା ଓ ରାଜେଶ ନାୟକ ଓରଫ ବବୁଲୁ । ହତ୍ୟାକାଣ୍ଡରେ ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବାକୁ ପୁଲିସ୍‌ର ଏକ ଟିମ୍‌ ପଶ୍ଚିମବଙ୍ଗ କୋଲକାତାକୁ ଯାଇଥିଲା । ସେଠାରେ ଏକ ହୋଟେଲରେ ୨ ଅଭିଯୁକ୍ତ ଲୁଚିଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । କୋଲକାତା ଯାଇଥିବା ପୁଲିସ ଟିମ୍‌ ଉକ୍ତ ହୋଟେଲରୁ ଦୁଇ ଅଭିଯୁକ୍ତଙ୍କୁ ଧରି ଭୁବନେଶ୍ୱର ଫେରିଥିଲା । ସେପଟେ ଅନ୍ୟ କିଛି ଅଭିଯୁକ୍ତ ଜଟଣୀ ଟାଉନ ୍‌ଠାରୁ କିଛି ଦୂରରେ ଛପିଥିବା ଖବର ପାଇ ପୁଲିସ ସେଠି ଚଢ଼ଉ କରିଥିଲା । ସେଠାରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖସି ପଳାଇଥିବା ସୂଚନା ମିଳିଛି । ପୁଲିସ ଅଟକ ଅଭିଯୁକ୍ତମାନଙ୍କୁ ପଚରାଉଚରା ଚଳାଇଛି । ଏମାନଙ୍କ ନାଁରେ ପୂର୍ବରୁ କିଛି ମାମଲା ଅଛି କି ନାହିଁ, ପୁଲିସ ତାହାର ଖୋଜାଲୋଡ଼ା କରୁଛି । ପ୍ରମାଣ ମିଳିଲା ପରେ ସେମାନଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରା ଯାଇପାରେ ବୋଲି ପୁଲିସ କହିଛି ।   

ସୂଚନାଯୋଗ୍ୟ, କପିଳପ୍ରସାଦ ମୌଜା ଅନ୍ତର୍ଗତ ବିଡିଏ କଲୋନିର ଅମରେଶ ନାୟକଙ୍କୁ ଦୀପାବଳି ରାତିରେ ହତ୍ୟା କରା ଯାଇଥିଲା । ସେ କିଛି ସହଯୋଗୀଙ୍କ ସହ ଏକାମ୍ର କଲେଜ ସାମ୍ନା ଖଣ୍ଡିଆ ପାର୍କରେ ଭୋଜିି କରୁଥିଲେ । ରାତି ୧୨ଟା ବେଳେ ୧୦ଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କ ଉପରେ ଆକ୍ରମଣ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଗତ ୬ ତାରିଖରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେମାନେ ହେଲେ ପୁରୁଣା ଭୁବନେଶ୍ୱର ହରଚଣ୍ଡୀ ସାହିର ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆ(୨୪), କପିଳପ୍ରସାଦ ଉପର ସାହିର ଜଗଦୀଶ ଗଜେନ୍ଦ୍ର ଓରଫ୍‌ ରାଜା(୨୨) ଓ ସୁନ୍ଦରପଦା ବେହେରା ସାହିର ଜିତେନ୍ଦ୍ର କୁମାର ମଲ୍ଲିକ(୨୧) ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…