ନିର୍ବାଚନ ଖବର
  • ମାଲକାନଗିରି: ନିମ୍ନମାନର କାମ ଯୋଗୁ ବର୍ଷାରେ ପୁଣି ଭୁସୁଡ଼ିଲା ବିମାନବନ୍ଦର ପାଚେରୀ
  • ||
  • ବଡଚଣା: ବସ୍-ଟ୍ରକ ମଧ୍ୟରେ ଧକ୍କା , ଦୁଇ ମୃତ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଅଷ୍ଟ୍ରେଲିଆକୁ ଭେଟିବେ ଇଂଲଣ୍ଡ , ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଉତ୍ସାହ
  • ||
  • ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ
  • ||
  • ୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ||
  • ନୂଆଦିଲ୍ଲୀ : ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ
  • ||
  • ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ
  • ||
  • ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ
  • ||

ଅଙ୍ଗନବାଡ଼ି ଦିଦି କରିବେ କ’ଣ ? ବଜାରରେ ଗୋଟେ ଅଣ୍ଡା ୭ ଟଙ୍କା, ସରକାର ଦେଉଛନ୍ତି ୫ ଟଙ୍କା

ଭୁବନେଶ୍ୱର,୧୭/୦୫: ଅଣ୍ଡା ବାଣ୍ଟିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଙ୍ଗନବାଡ଼ି କର୍ମୀ । କାରଣ ଗୋଟେ ଅଣ୍ଡା ପାଇଁ ସରକାର ଦେଉଛନ୍ତି ୫ ଟଙ୍କା ହେଲେ ବଜାରରେ ଗୋଟେ ଅଣ୍ଡା ୭ ଟଙ୍କାରୁ କମ୍‌ ନାହିଁ । ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ଜିଦ୍‌, ଯେତିକି ଟଙ୍କା ଦିଆଯାଉଛି ସେତିକିରେ ଅଣ୍ଡା କିଣି ଗର୍ଭବତୀ, ପ୍ରସୂତି, ଶିଶୁ ଓ କିଶୋରୀଙ୍କୁ ବାଣ୍ଟ । ଅଙ୍ଗନବାଡ଼ି କର୍ମୀ ବି କରିବେ କ’ଣ? ବାଧ୍ୟରେ କହୁଛନ୍ତି, ଯେତିକି ଅଣ୍ଡା ଦିଆଯାଉଛି ନିଅ ନ ହେଲେ ସରକାର ଦେଇଥିବା ଟଙ୍କା ନେଇ ନିଜେ ବଜାରରୁ ଅଣ୍ଡା କିଣ । ଅଧିକାଂଶ ସ୍ଥାନରେ ଏପରି ହେଉଥିବା ଦେଖିବାକୁ ମିଳୁଛି ।  

ରାଜ୍ୟ ସରକାର ଗର୍ଭବତୀ, ପ୍ରସୂତି, ଶିଶୁ ଓ କିଶୋରୀଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ ଔଷଧ ଯୋଗାଇ ଦେଉଛନ୍ତି । ଏଥିରେ ଅଣ୍ଡାକୁ ସାମିଲ କରାଯାଇଛି । ଗର୍ଭବତୀ, ପ୍ରସୂତି, ୬ ମାସରୁ ୩ ବର୍ଷ ଶିଶୁ ଏବଂ କିଶୋରୀ ବାଳିକାଙ୍କୁ ଅଣ୍ଡା  ଦେବାର ନିୟମ ରହିଛି । ସରକାର ଗର୍ଭବତୀ, ପ୍ରସୂତିଙ୍କୁ ପ୍ରତି ମାସରେ ଛତୁଆ, ରାଶି ଲଡ଼ୁ, ଖଜରା, ମୁଢ଼ି ସହ ୧୨ଟି ଲେଖାଁ ଅଣ୍ଡା ଦେବାର ବ୍ୟବସ୍ଥା କରିଛନ୍ତି । ୬ ମାସରୁ ୩ ବର୍ଷ ଶିଶୁଙ୍କୁ ବି ୧୨ଟି ଅଣ୍ଡା ଦିଆଯାଉଛି । ମହିଳା ଓ ଶିଶୁ ବିକାଶ ଜଣେ ପ୍ରସୂତିକୁ ଅଣ୍ଡା ଦେବା ପାଇଁ ୫ ଟଙ୍କା ହିସାବରେ ୧୨ଟା ଅଣ୍ଡା ପାଇଁ ମାସକୁ ୬୦ ଟଙ୍କା ଦେଉଛନ୍ତି । ହେଲେ ବଜାରରେ ୬୦ ଟଙ୍କାରେ ୧୦ଟି ଅଣ୍ଡା ମିଳୁନି । ଯଦି କର୍ମୀ ସାଢ଼େ ୬ ଟଙ୍କାରେ ଅଣ୍ଡା କିଣୁଛନ୍ତି, ୭୮ ଟଙ୍କା ପଡ଼ୁଛି । ସେଥିରେ ପୁଣି ଆଣିବା ପାଇଁ ଗାଡ଼ି ଖର୍ଚ୍ଚ ଅଛି । ଯଦି ପଚା କିମ୍ବା ଫଟା ଅଣ୍ଡା ବାହାରେ କଥା ସରିଲା । ତେଣୁ ପ୍ରତି ମାସରେ ଜଣେ ଗର୍ଭବତୀ, ପ୍ରସୂତି ଓ ଶିଶୁ ପିଛା ସର୍ବନିମ୍ନ ୨୦ରୁ ୨୫ ଟଙ୍କା କ୍ଷତି ସହୁଛନ୍ତି ଅଙ୍ଗନବାଡ଼ି କର୍ମୀ । 

ସେହିପରି ନିକଟରେ ଆରମ୍ଭ ହୋଇଛି ସମ୍ବଳ ପୁଷ୍ଟି ଯୋଜନା । ଏଥିରେ କିଶୋରୀ ବାଳିକାଙ୍କୁ ମୁଢ଼ି, ବୁଟ ଭଜା ଦିଆଯାଉଛି । ଏହାକୁ ସରକାର ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଯୋଗାଇ ଦେଉଛନ୍ତି । ଏଥିସହ ପ୍ରତି ଶନିବାର ୪ଟି ଲେଖାଏଁ ଅଣ୍ଡା ଅର୍ଥାତ୍‌ ମାସକୁ ୧୬ଟି ଅଣ୍ଡା ଦେବାର ନିୟମ ରହିଛି । ଗୋଟିଏ ଅଣ୍ଡା କିଣିବାକୁ ୫ ଟଙ୍କା ହିସାବରେ ୧୬ ଅଣ୍ଡା ପାଇଁ ୮୦ ଟଙ୍କା ଦିଆଯାଉଛି । ଅଙ୍ଗନବାଡ଼ି କର୍ମୀ ୮୦ ଟଙ୍କାରେ ଯେତିକି ହେଉଛି ଅର୍ଥାତ୍‌ ୧୨/୧୪ଟି ଅଣ୍ଡା ଦେଉଛନ୍ତି । 

ହେଲେ କିଶୋରୀଙ୍କୁ ଏହି ଦରଦାମ୍‌ କଥା ଯେତେ ବୁଝାଇଲେ ବି ସେମାନେ ବୁଝିବାକୁ ନାରାଜ । ସେମାନଙ୍କ କହିବା କଥା, ସରକାର ୧୬ ଅଣ୍ଡା ପାଇଁ ଟଙ୍କା ଦେଉଛନ୍ତି । ତୁମେ ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ପୋଷ୍ଟର୍‌ ମାରିଛ ମାନେ ଆମେ ଗୋଟିଏ ବି କମ୍‌ ଅଣ୍ଡା ନେବୁନି । ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀ, ସିଡିପିଓ ଓ ଡିଏସ୍‌ଡବ୍ଲୁଓଙ୍କୁ ଯେତେ କହିଲେ ବି ସେମାନେ ହାତ ଟେକି ଦେଉଛନ୍ତି । ମାତୃ କଲ୍ୟାଣ କମିଟି ଓ ଯାଞ୍ଚ କମିଟିକୁ ଟଙ୍କା ଦେଇ ଦେବାକୁ କିମ୍ବା ବଜାର ଦର ଅନୁସାରେ ଯେତିକି ଅଣ୍ଡା ମିଳୁଛି ଦେବାକୁ କହୁଛନ୍ତି । 

କେବଳ ଏତିକି ନୁହେଁ, ପିଲାଙ୍କ ରୋଷେଇ ପାଇଁ କେବଳ ଚାଉଳ ଯୋଗାଇ ଦିଆଯାଉଛି । ଏଥିସହ ଚାଉଳକୁ ଛାଡ଼ି ଜଣେ ପିଲା ପିଛା ଦୈନିକ ୬ ଟଙ୍କା ୨୦ ପଇସା ଦିଆଯାଉଛି । ଏଥିରେ ସପ୍ତାହର ୫ଦିନ ଯାକ ଅଣ୍ଡା ଦେବାର ନିୟମ ରହିଛି । ଏପଟେ ଡାଲି, ତେଲ, ମସଲା ଦର ବଢ଼ିଲାଣି । ଅଙ୍ଗନବାଡ଼ି କର୍ମୀଙ୍କ ଚିନ୍ତା ୬ ଟଙ୍କା ୨୦ ପଇସା ରୋଷେଇ ପାଇଁ ଦିଆଗଲେ ସେଥିରେ ଅଣ୍ଡା କିଣିବେ କେମିତି? 

ଅନ୍ୟପଟେ ଏହାକୁ ପରିଚାଳନା କରିବାକୁ ଯାଇ ଅନେକ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ବଢ଼ାଇ ଆଡ୍‌ଜଷ୍ଟ୍‌ କରାଯାଉଛି । ଏପରିକି କିଛି ସ୍ଥାନରେ ୫ଦିନ ଅଣ୍ଡା ଦେବା ବଦଳରେ ସପ୍ତାହରେ ମାତ୍ର ୨ ଦିନ ଦିଆଯାଉଛି ବୋଲି ଜଣେ ଅଙ୍ଗନବାଡ଼ି କର୍ମୀ ନିଜ ନାମ ଗୋପନ ରଖି କହିଛନ୍ତି ।  

  ଅଙ୍ଗନବାଡ଼ି କର୍ମୀ କୁଞ୍ଜଲତା ଦାଶଙ୍କ କହିବା କଥା, ଆମେ ବିଭାଗ ପାଖେ ବାରମ୍ବାର ଅଭିଯୋଗ କରୁଛୁ । ଦରଦାମ ବୃଦ୍ଧି ହେଉଛି । ତେଣୁ ଅଧିକ ଟଙ୍କା ଦେବାକୁ କହୁଛୁ କିମ୍ବା ଏସ୍‌ଏଚ୍‌ଜି ଦ୍ୱାରା ସବୁ ସାମଗ୍ରୀ ଯୋଗାଣ କରିବାକୁ କହୁଛୁ । କିନ୍ତୁ ଏହା ଶୁଣିବାକୁ ବିଭାଗୀୟ ଅଧିକାରୀ ନାରାଜ । ବଡ଼ ଅଧିକାରୀ ହାତ ଟେକି ଖସି ଯାଉଛନ୍ତି । ଆମକୁ ମଝିରେ ଖାଲି ହଇରାଣ କରୁଛନ୍ତି ବୋଲି ସେ କହିଛନ୍ତି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.