ଅନିଲ୍‌ ହତ୍ୟାକାଣ୍ଡ: ପୁଲିସକୁ ନାକେଦମ୍‌ କରିବେ ହତ୍ୟା ଅଭିଯୁକ୍ତ,ରାଜ୍ୟ ବାହାରକୁ ଯିବ ସ୍ପେଶାଲ୍‌ ସ୍କ୍ୱାଡ୍‌

ଯାଁଳା ୯/୧୧: ବାହାଦଲପୁର ଅନିଲ୍‌ ଜେନାଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‌କୁ ଏଯାଏ ସଫଳତା ମିଳିନି । ହତ୍ୟା ଅଭିଯୁକ୍ତ ଭରତ ସାହୁ ଓରଫ ବାପି ଓ ହାପିଙ୍କ ବିଷୟରେ କିଛି ଟେର ପାଇନି । ପୋଖତ ଅପରାଧୀ ବାପିକୁ ପୁଲିସ୍‌ ଧରିବା ସହଜ ହେବନି । କାରଣ ୨୦୧୪ରେ ସୋନୁ ହତ୍ୟାମାମଲାରେ ଜଡ଼ିତ ବାପିକୁ ଧରିବାକୁ ଭୁବନେଶ୍ୱର ପୁଲିସ ନାକେଦମ୍‌ ହୋଇଥିଲା । ତେଣୁ ଅନୀଲଙ୍କ ହତ୍ୟା ପରେ ପୁଲିସ ବାପିକୁ ଧରିବାକୁ ବେଶ୍‌ କଷ୍ଟ କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି । ସେପଟେ ପୁଲିସ୍‌ ଅନିଲଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଦୁର୍ଦ୍ଦାନ୍ତ ଅପରାଧୀ ବାପି ଓ ତା’ ସହଯୋଗୀମାନେ ୨୦୧୪ ନଭେମ୍ବରରେ ସରକନ୍ତରା ଗାଁର କୃତିବାସ ପରିଜା ଓରଫ ସୋନୁଙ୍କୁ ହତ୍ୟା କରିଥିଲେ । ବହୁ କଷ୍ଟରେ ପୁଲିସ୍‌ ବାପି ଓ ତା’ ସହଯୋଗୀଙ୍କୁ ଗିରଫ କରିଥିଲା । ଦୁଇ ବର୍ଷରୁ ଅଧିକ ଜେଲ୍‌ରେ ରହିବା ପରେ ବାପି ଜାମିନରେ ଆସିଥିଲା । ରେତଙ୍ଗ ଓ ଖୋର୍ଦ୍ଧା ଅଞ୍ଚଳରେ ଚୋରା ପଥର ବ୍ୟବସାୟ କରୁଥିଲା । ବନ୍ଧୁକ ଦେଖାଇ ଜମି ଦଖଲ ଦେବା କାରବାର ବି କରୁଥିଲା । କମିଶନରେଟ୍‌ ପୁଲିସ୍‌ ତା’ ବିଷୟରେ କିଛି ଟେର ପାଇ ନଥିଲା । ବାପି ଖଣି ବେପାରରେ ପଶିବା ପରେ ଘରକୁ ଆସୁନଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ଚୋରା ପଥର ଖଣି ଖନନ ଉପରେ ଉପରେ ପଞ୍ଝା ମାରିଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ । ଏହାପରେ ବାପି ପଥର ବେପାର ବନ୍ଦ କରି ସରକନ୍ତରାରେ ଆରମ୍ଭ କରିଥିଲା ବ୍ରାଉନ୍‌ ସୁଗର ବେପାର। ଖୋର୍ଦ୍ଧାର ବ୍ରାଉନ୍‌ସୁଗର ମାଫିଆ ଛୋଟା ସହ ଲିଙ୍କ୍‌ ଥିବାରୁ ବେପାର ଭଲ ଜମିଥିଲା ।

ଉକ୍ତ ଅଞ୍ଚଳରେ ସେ ବେଧଡ଼କ ବେପାର କରୁଥିଲା । ହେଲେ ପୁଲିସ୍‌ କି ଗୁଇନ୍ଦା ତା’ବିଷୟରେ କିଛି ଟେର ପାଉ ନଥିଲେ। ଦୁର୍ଗାପୂଜା ପୂର୍ବରୁ ୧୧୦ ରେ ପୁଲିସ୍‌ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛି ଦିନ ତଳେ ସେ ଜାମିନ୍‌ରେ ଆସି ପୁଣି ବ୍ରାଉନ୍‌ସୁଗର ବିକ୍ରି କରୁଥିଲା । ହେଲେ ଉକ୍ତ ବେପାରକୁ ବିରୋଧ କରୁଥିଲା ଅନିଲ୍‌ । ଖାଲି ବ୍ରାଉନ୍‌ ସୁଗର ବେପାର ନୁହେଁ ଅପରାଧିକ କାର୍ଯ୍ୟକଳାପ, ଜୁଆ ଖେଳ ଓ ଅନ୍ୟ ଅସାମାଜିକ କାର୍ଯ୍ୟକୁ ସେ ବିରୋଧ କରୁଥିଲେ । ରାଜନୀତିରେ ରୁଚି ରଖିବା ସହ ସମାଜସେବା ବି କରୁଥିଲେ । ହେଲେ ନିଶା ବେପାର ବନ୍ଦ କରିବାକୁ ଯୋଜନା କରୁଥିବାରୁ ବାପି ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ପୁଲିସ୍‌ ସୂଚନା ପାଇଛି। ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ୍‌ ସ୍କ୍ୱାଡ୍‌ ରାଜ୍ୟ ବାହାରକୁ ଯିବ ବୋଲି ଜଣାପଡିଛି ।

ସୋନୁକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଥିଲେ

ସୋନୁଙ୍କ ଠାରୁ ୨ଲକ୍ଷ ଟଙ୍କା ଋଣ ନେଇଥିଲେ ଉକ୍ତ ଗ୍ରାମର ସଞ୍ଜୟ ଖୁଣ୍ଟିଆ ଓରଫ ବାପୁନି । ଯାହାକୁ ଫେରସ୍ତ ପାଇଁ ସୋନୁ ବାରମ୍ବାର ସଞ୍ଜୟଙ୍କୁ ତାଗିଦ କରି ଆସୁଥିଲେ । କିନ୍ତୁ ସଞ୍ଜୟ ଏହି ଋଣ ପରିଶୋଧ କରିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ଥିଲେ । ତେଣୁ ସଞ୍ଜୟ, ବାପି ଓ ସାଗର ସବୁଦିନ ପାଇଁ ସୋନୁଙ୍କୁ ରାସ୍ତାରୁ ହଟାଇବା ପ୍ଲାନ୍‌ କରିଥିଲେ । ୨୦୧୪ ନଭେମ୍ବର ୨ ତାରିଖରେ ଅପରାହ୍ଣରେ ଅଭିଯୁକ୍ତ ସଞ୍ଜୟ ସୁଧ ଟଙ୍କା ଫେରାଇବ ବୋଲି କହି ଡୁମୁଡୁମା ହାଉସିଂବୋର୍ଡ କଲୋନୀସି୍ଥ୍‌ତ(ପ୍ଲଟ ନଂ.ଏଲ/୧୩୬୭)ଘରକୁ ସୋନୁଙ୍କୁ ଡକାଇଥିଲେ । ସୋନୁ ସେଠାରେ ପହଞ୍ଚିବା ପରେ ବାପି, ସଞ୍ଜୟ ଓ ସାଗର ମିଶି ସୋନୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଶରୀରକୁ ଛୋଟ ଛୋଟ ଖଣ୍ଡ କରି କଳା ପଲିଥିନ ଜରିରେ ପ୍ୟାକିଂ କରି ଏକ ଅଟୋରେ ଲଦି ଦୟା ନଦୀ, ପୁରୀ କେନାଲ ଓ ବିଭିନ୍ନ ନାଳରେ ଫିଙ୍ଗି ଦେଇଥିଲେ । ବହୁ କଷ୍ଟରେ ପୁଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ୍‌ କରିଥିଲା ।

   ସମ୍ବନ୍ଧିତ ଖବର


ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌-୨୦୨୦: କଳିଙ୍ଗ ଷ୍ଟାଡିୟମରେ ସବୁ ଘରୋଇ ମ୍ୟାଚ୍‌ ଖେଳିବ ଭାରତ

ଆସନ୍ତା୨୪ରେ ପାରାଦୀପରେ ଲାଗିବ ନୌସେନାର ଯୁଦ୍ଧ ଜାହାଜ

ଭିଜିଲାନ୍ସ ପଞ୍ଝାରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ

ଗଞ୍ଜେଇ ଚାଷ ପାଇଁ ମିଳିବନି ଅନୁମତି, ସ୍ପଷ୍ଟ କଲେ ଅବକାରୀ ସଚିବ