ଆଜି ଆସିପାରେ ଆଉ ଏକ ବୁଷ୍ଟର୍‌ ଡୋଜ୍‌

ନୂଆଦିଲ୍ଲୀ,୧୩/୦୮:କରୋନା ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଆଉ ଏକ ବୁଷ୍ଟର୍‌ ଡୋଜ୍‌ ଆଣିବାକୁ ଯାଉଛନ୍ତି । ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ ଏବଂ ପଲିସି ଉପରେ ନୂଆ ଘୋଷଣା କରାଯାଇପାରେ । ସ୍ଥାନୀୟ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଉଦ୍ଦେଶ୍ୟରେ ଏସବୁ ଘୋଷଣା କରାଯିବ ବୋଲି ସୂତ୍ରରୁ ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏଥିମଧ୍ୟରୁ କେତେକ ଘୋଷଣା କରିପାରନ୍ତି । ଅଗଷ୍ଟ ୧୩ରେ ଏସବୁ ଘୋଷଣା କରାଯାଇପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି ।

ଆତ୍ମନିର୍ଭର ଭାରତ ଅଭିଯାନର ଅଂଶବିଶେଷ ସ୍ଥାନୀୟ ଶିଳ୍ପଗୁଡିକୁ ପ୍ରତିଯୋଗିତାମୂଳକ କରାଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ପୁନରୁଦ୍ଧାର ଯୋଜନା ପରେ ଏବେ ଆଉ ଏକ ବୁଷ୍ଟର ଡୋଜ୍‌ ଆସିବାକୁ ଯାଉଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରଥମ ଦୁଇଟି ପ୍ୟାକେଜ୍‌ ଜରିଆରେ କୋଭିଡ୍‌ ପ୍ରଭାବିତ ଶିଳ୍ପଗୁଡିକୁ ଆଶ୍ୱସ୍ତି ଦିଆଯାଇଥିବାବେଳେ ବର୍ତ୍ତମାନର ପ୍ୟାକେଜ୍‌ରେ ନବନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ । ଅର୍ଥନୀତିକୁ ନୂଆ ଆକାରରେ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସଚ୍ଚୋଟ ଟିକସଦାତାଙ୍କ ପାଇଁ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଟିକସ ଅନୁକୂଳତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ୱାଧୀନତା ଦିବସ ପୂର୍ବରୁ ଏସବୁ ଘୋଷଣା ହୋଇପାରେ ବୋଲି ଏକ ସୂତ୍ରରୁ ଜଣାଯାଇଛି । ଗୁରୁବାର ଟିକସ ଅଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀ ଏକ ବୈଠକ କରିବାକୁ ଯାଉଛନ୍ତି। ଏଥିରେ ଟିକସଦାତାଙ୍କ ହିତ ଉଦ୍ଦେଶ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଏକ ଟ୍ୟାକ୍ସପେୟର ଚାର୍ଟର ଉନ୍ମୋଚନ ହୋଇପାରେ। ଏହାଦ୍ୱାରା ଟିକସଦାତାମାନେ ସଶକ୍ତ ହେବ । ନିଜ ଅଧିକାର ବିଷୟରେ ସେମାନେ ଅବଗତ ହେବେ । ଫେସ୍‌ଲେସ୍‌ ଆସେସ୍‌ମେଣ୍ଟ୍‌ ଉପରେ କିଛି ଘୋଷଣା କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଟ୍ରାନ୍ସପରେଣ୍ଟ୍‌ ଟାକ୍ସେସନ୍‌-ଅନରିଂ ଦ ଅନେଷ୍ଟ’ ପ୍ଲାଟ୍‌ଫର୍ମକୁ ଆରମ୍ଭ କରିବେ । ପ୍ରତ୍ୟକ୍ଷ ଟିକସ ସଂସ୍କାରକୁ ପ୍ରଧାନମନ୍ତ୍ରୀ ଆଉ ଦୁଇ ପାଦ ଆଗକୁ ନେଇଯିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବୁଧବାର କୁହାଯାଇଛି।