ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ଭୁବନେଶ୍ବର, ୨୭/ ୧୦: ଦିନକୁ ଦିନ ଓଟିଭି ପାଇଁ ବଢ଼ୁଛି ଅଡ଼ୁଆ। ସାରୁଅରେ ଦଳିତଙ୍କ ଜମି ହଡପ କରିଥିବା ଓଟିଭି ଏବେ ରାଜଧାନୀର ଛାତି ଉପରେ ମଧ୍ୟ ଜମି ଜବରଦଖଲ କରିଥିବା ସାମ୍ନାକୁ ଆସିଛି। ସାରୁଅ ଜମି ସହ ଭୁବନେଶ୍ବସ୍ଥିତ ଓଟିଭି କାର୍ଯ୍ୟାଳୟ ନିକଟରେ ଥିବା ଜମି କେଳେଙ୍କାରୀ ମଧ୍ୟ ଓଟିଭି କର୍ତ୍ତୃପକ୍ଷ କରିଛନ୍ତି। ଓଟିଭି କାର୍ଯ୍ୟାଳୟ ଚାରିପାଖରେ ଜବରଦଖଲ କରି ମାଡି ବସିଛନ୍ତି ୧୨ ହଜାର ୯୮୦ ବର୍ଗ ଫୁଟ ଜମି । ଜମି ଜବରଦଖଲ ଅଭିଯୋଗ ପରେ ଚଳିତ ମାସ ୨୦ ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲା ଇଡ୍‌କୋ।

୨୨ ତାରିଖରେ ଓଟିଭି କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ଲେଖିଥିଲେ ଯେ, ସେମାନେ କୌଣସି ଜାଗା ଜବରଦଖଲ କରି ନାହାନ୍ତି। ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ଇଡ୍‌କୋ ପକ୍ଷରୁ ମଙ୍ଗଳବାର ଓଟିଭି କାର୍ଯ୍ୟାଳୟରେ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା। ଏହି ଭେରିଫିକେସନ୍ ବେଳେ ଇଡ୍‌କୋ ଲ୍ୟାଣ୍ଡ ଅଫିସର, ବିଏମସି, ବିଡିଏ ଓ କଳାରାହାଙ୍ଗ ତହସିଲର କର୍ମକର୍ତ୍ତା ସାମିଲ ହୋଇଥିଲେ।

ଭେରିଫିକେସନ୍‌ରୁ ଜଣାପଡିଛି ଯେ ୨୦୦୭ ମସିହାରେ ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଓଟିଭିକୁ ୦.୮୩୫ଏକର ଜମି ଇଡ୍‌କୋ ଆଲଟ କରିଥିଲା। ଏହି ଜମି ଏନ୍/୨୮/୨୯/୩୦ ଏବଂ ୩୧ନମ୍ବର ପ୍ଲଟ୍‌ରେ ରହିଛି। ହେଲେ ଆଲଟ୍ ହୋଇଥିବା ଜମି ବ୍ୟତୀତ ଇତିମଧ୍ୟରେ ଓଟିଭି ଅଧିକ ୧୨ ହଜାର ୯୮୦ ବର୍ଗଫୁଟ ଜମି ମାଡି ବସି, ସେଠରେ ଉପରେ ନିର୍ମାଣ କାର୍ଯ୍ୟ କରିଛି।

ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି। ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ମାଡି ଆସିଛି। ଗୋଟିଏ ସେଟ୍ ମଧ୍ୟ ଜବରଦଖଲ ଜମି ଉପରେ ଥିବା ଜଏଣ୍ଟ ଭେରିଫିକେସନ୍ ବେଳେ ଜଣାପଡିଥିବା ସୂଚନା ମିଳିଛି।