ପ୍ଲାଷ୍ଟିକ୍‌ ନିରୋଧୀ ଅଭିଯାନ ଆରମ୍ଭ: ମୋଦିଙ୍କ ଆହ୍ୱାନ,ଗାନ୍ଧୀ ଜୟନ୍ତୀ ସୁଦ୍ଧା ପ୍ଲାଷ୍ଟିକ୍‌ ହଟାଅ

ମଥୁରା ୧୨/୯ : ବଜାରରୁ ସାମଗ୍ରୀ କିଣିବା ବେଳେ ଦୋକାନୀଙ୍କୁ ପଲିଥିନ୍‌ ବ୍ୟାଗ୍‌ ମାଗନାହିଁ । ଦେଶର ସଚେତନ ନାଗରିକ ଭାବେ ଏହି ଅଭ୍ୟାସ ପରିହାର କର । ବଜାରକୁ ଯିବା ସମୟରେ ଘରୁ ବ୍ୟାଗ୍‌ ଧରି ଯାଅ । ପ୍ଲାଷ୍ଟିକ୍‌ ନିରୋଧୀ ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।

ଉତ୍ତର ପ୍ରଦେଶରୁ ଅଭିଯାନ ଆରମ୍ଭ କରି ମୋଦି କହିଛନ୍ତି, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ (ସିଙ୍ଗଲ୍‌-ୟୁଜ୍‌ ପ୍ଲାଷ୍ଟିକ୍‌) ପରିବେଶ ଉପରେ କି ପ୍ରକାର ପକାଏ, ତାହା ସମସ୍ତଙ୍କୁ ଜଣା । ତଥାପି ଆମ୍ଭେମାନେ ନିଜ ପୁରୁଣା ଅଭ୍ୟାସ ଛାଡ଼ିପାରୁ ନାହୁଁ । ଅନ୍ତତଃ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆମେ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରିବା ଉଚିତ ।ଦେଶର ସଚେତନ ନାଗରିକ ଭାବେ ଆମ ସମସ୍ତଙ୍କୁ ଏହି ଗୁରୁ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ । କୌଣସି କ୍ଷେତ୍ରରେ ‘ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌’ର ଯେମିତି ଚିହ୍ନବର୍ଣ୍ଣ ନ ରୁହେ, ସେଥିପାଇଁ କାର୍ଯ୍ୟ କରିବାକୁ ହେବ । ଘର ହେଉ ଅବା ଅଫିସ୍‌ ଅଥବା କାର୍ଯ୍ୟସ୍ଥଳୀରେ ଏହାକୁ ସମ୍ପୂର୍ଣ୍ଣ ବାରଣ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୨ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀ ସୁଦ୍ଧା ଯେମିତି କୌଣସିଠାରେ ଏହି ପ୍ଲାଷ୍ଟିକ୍‌ ଦେଖିବାକୁ ନ ମିଳେ, ସେଥିପାଇଁ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ ।

ଦେଶବାସୀଙ୍କୁ ଏହି ଆହ୍ୱାନ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ମଥୁରାରେ କିଛି ଅଳିଆ ସଂଗ୍ରହକାରୀ ମହିଳାଙ୍କୁ ଭେଟିଥିଲେ । ମହିଳାମାନେ ଅଳିଆରୁ ପ୍ଲାଷ୍ଟିକ୍‌ ଅଲଗା କରୁଥିଲେ । ମୋଦି କୌଣସି ସଂକୋଚ ନ କରି ସେମାନଙ୍କ ପାଖରେ ବସିଥିଲେ ଏବଂ ଅଳିଆରୁ ପ୍ଲାଷ୍ଟିକ୍‌ ବାହାର କରିବାରେ ସେମାନଙ୍କୁ ସହାୟତା କରିଥିଲେ । ମହିଳାଙ୍କ ଏହି କାର୍ଯ୍ୟକୁ ମୋଦି ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ଦର୍ଶାଇଥିଲେ । ପରିବେଶ ସୁରକ୍ଷା ପାଇଁ ମହିଳାଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ କହିଥିଲେ । ଏହି ଅବସରରେ ମୋଦିଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମଥୁରା ସାଂସଦ ହେମା ମାଳିନୀ ଉପସ୍ଥିତ ଥିଲେ ।

ସୂଚନାଥାଉ କି, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌କୁ ସମ୍ପୂର୍ଣ୍ଣ ନିଷେଧ ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସମ୍ଭବତଃ ଗାନ୍ଧୀ ଜୟନ୍ତୀରେ ସରକାର ଏ ନେଇ ବଡ଼ ଘୋଷଣା କରିପାରନ୍ତି । କିନ୍ତୁ ସରକାରଙ୍କ ଏହି ସମ୍ଭାବ୍ୟ ଘୋଷଣା ଦ୍ୱାରା ବିଭିନ୍ନ ଶିଳ୍ପ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ବିଶେଷକରି ପ୍ୟାକେଜିଙ୍ଗ୍‌ ଶିଳ୍ପ ଓ ଏହା ସହ ଯୋଡ଼ି ହୋଇଥିବା ଅନ୍ୟ ସବୁ ସଂସ୍ଥାଙ୍କୁ ଏହା ନିରାଶ କରିପାରେ । ତା’ଛଡ଼ା ସିଙ୍ଗଲ୍‌-ୟୁଜ୍‌ (ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌) ପ୍ଲାଷ୍ଟିକ୍‌ର ସଂଜ୍ଞାକୁ ନେଇ ଅନେକ ଲୋକ ସଚେତନ ନଥିବାରୁ କାହାକୁ ବ୍ୟବହାର କରିବେ ଏବଂ କାହାକୁ ପରିତ୍ୟାଗ କରିବେ, ସେ ନେଇ ସମସ୍ୟା ରହିଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ