ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ଶରୀରରେ କରୋନା ଲଢିବା ଶକ୍ତି ବା ଆଣ୍ଟିବଡି ବିକଶିତ- ସେରୋ ସର୍ଭେରୁ ମିଳିଲା ପ୍ରମାଣ

ଭୁବନେଶ୍ୱର – ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୯୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଚିହ୍ନଟ ଙ୍କ ମଧ୍ୟରୁ ୧୨୨୫ ଜଣ କ୍ବାରାଣ୍ଟାଇନରୁ ଓ ୭୫୬ ଜଣ ସ୍ଥାନୀୟ ସଂକ୍ରମଣ । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩କୁ ବୃଦ୍ଧି ପାଇଛି । ଗଞ୍ଜାମରେ କରୋନା ଗ୍ରାଫ ଧିରେଧିରେ ଖସିବା ଆରମ୍ଭ କରିଥିବା ଜିଲ୍ଲା ପ୍ରଶାସନ କହିଛି । ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ପାଖରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଏଥିସହିତ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ଓପିଡି ଗୁରୁବାରରୁ ଖୋଲିଛି।

ଗଞ୍ଜାମରେ ଏକ ତୃତୀୟାଂଶ ଲୋକଙ୍କ ପାଖରେ ଆଣ୍ଟିବଡ଼ି ବିକଶିତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଜୁଲାଇ ମାସରେ କରାଯାଇଥିବା ସେରୋ ସର୍ଭେରୁ ଏମିତି ଏକ ଭଲ ସୂଚନା ସାମ୍ନାକୁ ଆସୁଛି। ଯାହାକି ଅଗଷ୍ଟ ମାସରେ କରୋନା ଗ୍ରାଫରୁ ମଧ୍ୟ ପ୍ରତିଫଳିତ ହୋଇଛି। ୨୮୩୦ ଜଣଙ୍କର ସାମ୍ପଲ କଲେକ୍ସନ କରାଯାଇଥିଲା ୫ଟି କମୁନିଟି ଏବଂ ଅର୍ବାନ ସ୍ଲମରୁ ସାମ୍ପଲ ନିଆଯାଇଥିଲା। ଏଥିରୁ ଦେଖାଯାଇଛି ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ପାଖରେ ଆଣ୍ଟିବଡି ବିକଶିତ ହୋଇଛି। ଏଭଳି ସ୍ଥିତି ରାଜ୍ୟର ଅନ୍ୟ ସ୍ଥାନ ପାଇଁ ମଧ୍ୟ ଭଲ ସୂଚନା ଆଣିବ। ତେଣୁ ଗଡପତି ଏବଂ ରାଉରକେଲାରେ ସେରୋ ସର୍ଭେ କରାଯିବ ବୋଲି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି କହିଛନ୍ତି।

ଗୋଟିଏ ପଟେ ଗଞ୍ଜାମରେ କରୋନା ନିୟନ୍ତ୍ରଣକୁ ଆସୁଥିବା ସୂଚନା ମିଳୁଥିବା ବେଳେ ଏଣେ କିନ୍ତୁ ରାଜ୍ୟରେ ଆଜି ପୁଣି ଏକ ରେକର୍ଡ କରିଛି କରୋନା। ସର୍ବାଧିକ ୧୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨୨୫ ଜଣ କ୍ବାରାଣ୍ଟାଇନରୁ ଓ ୭୫୬ ଜଣ ସ୍ଥାନୀୟ ସଂକ୍ରମଣ ଅଛନ୍ତି । ଆଜି ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ଜଣ, ଗଞ୍ଜାମ ଜିଲ୍ଲାରୁ ୨୬୭ ଜଣ ଏବଂ କନ୍ଧମାଳ ଜିଲ୍ଲାରୁ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବ୍ରହ୍ମପୁର MKCG ମେଡିକାଲ ଓପିଡିକୁ ଖୋଲାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ OPDକୁ ବନ୍ଦ କରିଥିଲା । ଆଜି ଏବଂ କାଲି ବ୍ୟବସ୍ଥା ତଦାରଖ ପରେ ଓପିଡି ଖୋଲା ରହିବ କି ବନ୍ଦ ରହିବ ତାପରେ ନିଷ୍ପତ୍ତି ନିଆଯିବ । ସେହିଭଳି ସଂକ୍ରମଣ ହାର କମାଇବା ଲାଗି ଜିଲ୍ଲା ପ୍ରଶାସନ ଅନେକ କଠୋର ପଦକ୍ଷେପ ନେଇଛି । ଆଜିଠାରୁ ଛତ୍ରପୁର NACର ୱାର୍ଡ ନଂ- ୧ ଏବଂ ୨ ରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି । ବ୍ୟବସାୟୀ ଓ ଅନ୍ୟମାନେ ଏହି ଟେଷ୍ଟ କରୁଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଏବେ ପିକ୍ ରେ ରହିଛି କରୋନା । ଜିଲ୍ଳାରେ ଦୈନିକ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି । ଟେଷ୍ଟିଂ ଏବଂ ଟ୍ରେସିଂ ସଂଖ୍ୟାକୁ ବଢାଯାଇଛି । ସେପଟେ ଭୁବନେଶ୍ବର କଳ୍ପନା ସ୍ଥିତ ସବ୍ ରେଜେଷ୍ଟ୍ରି ଅଫିସ୍ ରେ ପଶିଛି କରୋନା । ଅଫିସର ଜଣେ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ବାହାରିବା ପରେ ଅଫିସ୍ କୁ ଆଗାମୀ ସପ୍ତାହେ ଯାଏଁ ସିଲ୍ କରାଯାଇଛି ।

ସେପଟେ ସିଲ୍ ହୋଇଛି ସମ୍ବଲପୁର ବୁର୍ଲା ଥାନା । ଦୁଇ ଜଣ କନଷ୍ଟେବଲ୍ କୋଭିଡ ପଜିଟିଭ୍ ଚିହ୍ନଟ ପରେ ଥାନାକୁ ସିଲ୍ କରାଯାଇଛି । ଥାନା ୫ ଦିନ ବନ୍ଦ ରହିବ । ଏହା ପୂର୍ବରୁ ବୁର୍ଲା ମେଡିକାଲ ଫାଣ୍ଡି ବି ସିଲ୍ ରହିଛି । ସେହିପରି ସମ୍ବଲପୁର ସହରର ପୁଣି ୭ଟି ସ୍ଥାନରେ ଲାଗୁ ହୋଇଛି ୧୪୪ ଧାରା ।

   ସମ୍ବନ୍ଧିତ ଖବର


କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି