
ମୁମ୍ବାଇ,୨୧।୧୧: ସିଙ୍ଗର ଓ କମ୍ପୋଜର ଅନୁ ମଲିକଙ୍କ ଉପରେ ବହୁ ମହିଳା #MeTooମୁଭମେଣ୍ଟ ସମୟରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହି ସବୁ ଅଭିଯୋଗକୁ ଭିତ୍ତିକରି ଅନୁ ମଲ୍ଲିକଙ୍କୁ ସିଙ୍ଗିଙ୍ଗ ରିଏଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ‘ସିଜିନ ୧୧ରୁ ବାହାର କରିଦିଆଯାଇଛି। ଅନୁ ମଲ୍ଲିକ କିଛି ଦିନ ତଳେ ସୋସିଆଲ ମିଡିଆରେ ବିବାଦ ଦେଖିବା ପରେ ଓପନ ଲେଟର ଲେଖିଥିଲେ, କିନ୍ତୁ ବିବାଦ ଥମିବାର ନାଁ ଧରୁନାହିଁ, ଏବେ ଅନୁ ମଲ୍ଲିକଙ୍କୁ ଶୋ’ରୁ ବାହାର କରିବାର ନିଷ୍ପତ୍ତି ନିଆଯାଇଛି।
ମିଳିଥିବା ଖବର ଅନୁସାରେ, ଅନୁ ମଲ୍ଲିକଙ୍କୁ ଏବେ ‘ଇଣ୍ଡିଆନ ଆଇଡଲ୍ ସିଜିନ୍-୧୧ରୁ ବାହାର କରାଯାଇଛି। ଯଦିଓ ଏହା ସ୍ଥାନରେ କେଉଁ ମ୍ୟୁଜିକ୍ କମ୍ପୋଜରକୁ ରିପ୍ଲେସ କରାଯାଇଛି, ଏହାର ସୂଚନା ସ୍ପଷ୍ଟ ଭାବରେ ଜଣାପଡି ନାହିଁ। ଅନୁ ମଲ୍ଲିକଙ୍କ ଉପରେ ଲାଗିଥିବା ଅଭିଯୋଗ ପରେ ସୋନି ଟିଭିକୁ ରାଷ୍ଟ୍ରୀୟ ମହିଳା କମିଶନ ନୋଟିସ୍ ପଠାଇଥିଲେ। କମିଶନ ନୋଟିସକୁ ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଥିଲା।
ରିଏଲିଟି ଶୋ’ ଛାଡିବାପରେ ଅନୁ ମଲ୍ଲିକ କହିଛନ୍ତି, ସେ ଇଣ୍ଡିଆନ ଆଇଡଲରୁ ବ୍ରେକ ନେଉଛନ୍ତି, ଯାହାକି ଏକ ଭଲ ଓ ସ୍ବଚ୍ଛ ନିଷ୍ପତ୍ତି। ସେ ନିଜ ବିରୋଧରେ ଥିବା ସବୁ ଅଭିଯୋଗକୁ ଭୁଲ ପ୍ରମାଣିତ କରିବା ପରେ ଶୋ’କୁ ଫେରିବେ ବୋଲି କହିଛନ୍ତି। ଉଲ୍ଲେଖନୀୟ ଯେ, ଇଣ୍ଡିଆନ ଆଇଡଲ ୧୧ର ଜଜ୍ ପ୍ୟାନେଲରେ ଅନୁ ମଲ୍ଲିକ ସାମିଲ ହେବାପରେ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଥିଲା। ଏହାପରେ ସିଙ୍ଗର ସୋନା ମହାପାତ୍ର ଓ ନେହା ଭାସିନ୍ ମଧ୍ୟ ଏହି ଶୋ’ରେ ସେ ଜଜ୍ ହେବା ନେଇ ଆପତ୍ତି ପ୍ରକାଶ କରିଥିଲେ।