
ନୂଆଦିଲ୍ଲୀ ୧।୧୨ : ଗର୍ଭାବସ୍ଥା ସମୟରେ ଯୋଗ କରିବା ଏକ ଭଲ ଅଭ୍ୟାସ। କିନ୍ତୁ ଏହି ସମୟରେ ହାଲକା ଯୋଗ କରିବା ଆବଶ୍ୟକ। ଯୋଗ କରିବା ଦ୍ଵାରା ଶରୀରର ଫ୍ଲେକ୍ସିବଲ ହୋଇଥାଏ ଏବଂ ଏହା ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାକୁ ହ୍ରାସ କରିଥାଏ ବୋଲି କୁହାଯାଏ। ତେବେ ଏସବୁ ଭିତରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଯୋଗ କରୁଥିବା ସମୟର ଏକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୨୧ ଜାନୁଆରୀରେ ପିତାମାତା ହେବାକୁ ଯାଉଛନ୍ତି। ଲକଡାଉନ ସମୟରେ ଅନୁଷ୍କା ନିଜକୁ ଫିଟ୍ ରଖିଛନ୍ତି। ଅନୁଷ୍କା ନିଜକୁ ଏତେ ଫିଟ୍ ରଖିଛନ୍ତି ଯେ, ଗର୍ଭାବସ୍ଥା ସମୟରେ ସେ ଅତି ଆରାମରେ ସୁଟିଂ କରିପାରୁଛନ୍ତି। ଅନୁଷ୍କା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରୁ ବିରାଟ କୋହଲିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ତେବେ ଅନୁଷ୍କା ଗର୍ଭବତୀ ଥାଇ ମଧ୍ୟ ସେ ଶୀର୍ଷାସନ କରିଛନ୍ତି । ଅନୁଷ୍କା ନିଜେ ଇଂନଷ୍ଟାଗ୍ରାମରେ ଏହି ଫଟୋକୁ ସେଆର କରିଛନ୍ତି । ଏହି ଫଟୋରେ ଅନୁଷ୍କା ଶୀର୍ଷାସନ କରୁଥିବା ବେଳେ ବିରାଟ କୋହଲି ତାଙ୍କ ଗୋଡକୁ ଧରି ଠିଆ ହୋଇଛନ୍ତି । ଏଥିସହ ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ ପୂରା ଦେଖାଯାଉଛି । ଏହି ଫଟୋ ଏବେ ସୋସିଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋକୁ ପୋଷ୍ଟ କରିବା ସହ ଅନୁଷ୍କା ଶର୍ମା ଲେଖିଛନ୍ତି- ଏହି ବ୍ୟାୟମ ( ଯେଉଁଥିରେ ହାତ ତଳେ ଏବଂ ଗୋଡ଼ ଉପରେ) ସବୁଠୁ କଷ୍ଟକର। ଯୋଗ ମୋ ଜୀବନର ଏକ ବଡ଼ ଅଂଶ, ଡ଼ାକ୍ତର ମୋତେ ପରାମର୍ଶ ଦେଇଥିଲେ ଯେ, ପୂର୍ବରୁ ମୁଁ ଯୋଗାସନ କରୁଥିଲି ଗର୍ଭଧାରଣ ସମୟରେ ସେହି ସମସ୍ତ ଆସନ ମଧ୍ୟ କରିବା ଉଚିତ୍ ।