ଆପାର୍ଟମେଣ୍ଟରୁ ଚୋରି କରୁଥିବା ୭ ଜଣିଆ ଗ୍ୟାଙ୍ଗ୍‌ ଗିରଫ:୯ଟି ଗ୍ୟାସ ସିଲିଣ୍ଡର, ମୋବାଇଲ, ରୁପା ଟଙ୍କା ଜବତ

ଚନ୍ଦକା ୧୦/୧୧: ଯେଉଁଠି ପଶୁଥିଲେ ଏକବାର କଳାକନା ବୁଲାଇ ଦେଉଥିଲେ । ଘରୁ ଗ୍ୟାସ ସିଲିଣ୍ଡର, ଟଙ୍କା, ମୋବାଇଲ୍‌, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସବୁକିଛି ନେଇ ଯାଉଥିଲେ ଏହି ଗ୍ୟାଙ୍ଗ୍‌ । ଏପରି ଏକ କୁଖ୍ୟାତ ଚୋର ଗ୍ୟାଙ୍ଗକୁ ଆଜି ଚନ୍ଦକା ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ବହୁ ପରିମାଣର ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଏହା ସହିତ ଏହିସବୁ ଚୋରି ସାମଗ୍ରୀ କିଣିଥିବା ୫ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଚନ୍ଦକା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ ରାଜବାଟିକା ଆପାର୍ଟମେଣ୍ଟରୁ ନିୟମିତ ବ୍ୟବଧାନରେ ଚୋରି ହେଉଥିଲା । ଘରୁ ବହୁ ମୂଲ୍ୟବାନ ସାମଗ୍ରୀ ଏହି ଗ୍ୟାଙ୍ଗ ନେଇ ଛୁ ମାରୁଥିଲେ । ଏହା ସହିତ ଏହି ଗ୍ୟାଙ୍ଗ ନିକଟସ୍ଥ ପଥରଗାଡ଼ିଆ ମୌଜାରୁ ମଧ୍ୟ ଚୋରି କରୁଥିଲେ । ରାଜବାଟିକା ଆପାର୍ଟମେଣ୍ଟ ବାସିନ୍ଦା ବିଜୟ ମହାନ୍ତି ନାମକ ଜଣେ ବ୍ୟକ୍ତି ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଚନ୍ଦକା ପୁଲିସ ତଦନ୍ତ ଜାରି ରଖିଥିଲା ।

ପ୍ରଥମେ ପୁଲିସ ଶିବୁ ସାହୁ, ଖୁରୁଡ଼ି ନାମକ ଦୁଇ ଯୁବକଙ୍କୁ ଗିରଫ କରିଥିଲା । ଏମାନଙ୍କୁ ଜେରା କରିବା ପରେ ଜଣଜଣ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏମାନେ ହେଲେ ଦାରୁଠେଙ୍ଗ ଗ୍ରାମର ଶିବୁ ସାହୁ(୨୨), ନୂଆସାହିର ବିଶ୍ୱନାଥ ଦେହୁରୀ(୨୨), ଚନ୍ଦନ ମହାପାତ୍ର(୧୯), ଶିମିଳିପାଟଣାର ବଚନ ନାୟକ(୨୩), ଆରତ ଜେନା(୩୫), ଧୀରେନ୍ଦ୍ର ଦେହୁରୀ(୨୮), ଦାରୁଠେଙ୍ଗ ଗ୍ରାମର ପିଙ୍କୁ ବେହେରା(୨୭) ।

ଏମାନଙ୍କଠାରୁ ଚୋରି ଜିନିଷ କିଣିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଚନ୍ଦ୍ରଶେଖର ମାଝି(୩୫), ରମେଶ ସାହୁ(୩୬), ଜିତେନ୍ଦ୍ର ପାଟସାହାଣୀ(୨୭), କମଳ ଦାସ(୨୯) ଓ ଅନିରୁଦ୍ଧ ନାୟକ(୨୪) । ସମସ୍ତ ୧୨ ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଲାପଟପ, ଗୋଟିଏ ଆଇପ୍ୟାଡ୍‌, କିଛି ମୋବାଇଲ୍‌, ୨ଟି ମୂଲ୍ୟବାନ୍‌ କ୍ୟାମେରା, ବହୁ ସଂଖ୍ୟାରେ ସିମ୍‌, ୯ଟି ଗ୍ୟାସ ସିଲିଣ୍ଡର, ରୁପା ଟଙ୍କା ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

   ସମ୍ବନ୍ଧିତ ଖବର


ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା, ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲାକୁ ସତର୍କ ସୂଚନା

ମୋବାଇଲକୁ ଆସୁଥିଲା ବାରମ୍ବାର ଅଶ୍ଲୀଳ ଫଟୋ-ମେସେଜ୍, ୧୦ମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା

୨୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ : ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ବ, କୃଷକ ପାଇଁ ଇ-ମାର୍କେଟ ବ୍ୟବସ୍ଥା

ରଥଖଳା: ଆଜି ରଥଖଳାରେ ପନ୍ତି ଗ୍ରହଣ

୭ ଜନ୍ମର ବନ୍ଧନ ଗଲାନି ୭ ମାସ : ବାହାଘରର ୩ ମାସ ନପୁରୁଣୁ ଘରୁ ମିଳିଲା ନବ ଦମ୍ପତିଙ୍କ ମୃତଦେହ

ନବଯୌବନ ଦର୍ଶନ ପରେ ସୂର୍ଯ୍ୟୋପରାଗ ନୀତି: ଜୁନ୍‌ ୨୦ ରାତିରୁ ପାକ ତ୍ୟାଗ