ପ୍ରମୁଖ ଖବର
  • ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, କଟକ ବଡ ମେଡିକାଲରେ ଭର୍ତ୍ତି
  • ||
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

୯ କୋଟି ବର୍ଷ ତଳର ନୂଆ ତୃଣଭୋଜୀ ଡାଇନୋସର ଜୀବାଶ୍ମ ଠାବ

ନୂଆଦିଲ୍ଲୀ ୦୭/୦୫: ଆର୍ଜେଣ୍ଟିନାରେ ଜୀବାଶ୍ମବିଜ୍ଞାନୀମାନେ ଏକ ନୂଆ ପ୍ରଜାତିର ତୃଣଭୋଜୀ ଡାଇନୋସର ଅବଶେଷ ଠାବ କରିଛନ୍ତି । ୯ କୋଟି ବର୍ଷ ପୂର୍ବେ ଏହା ପୃଥିବୀରେ ବିଚରଣ କରୁଥିଲା । ସେମାନେ ଏହାର ନାଁ ଦେଇଛନ୍ତି ଚାକିସରସ୍‌ ନେକୁଲ । ଏହା ଦ୍ରୁତ ବେଗରେ ଦୌଡୁଥିଲା ବୋଲି ବିଶ୍ୱାସ କରାଯାଉଛି । ଏହି ବୈଶିଷ୍ଟ୍ୟ ତାକୁ ବିଳମ୍ବିତ କ୍ରିଟେସିୟସ୍‌ କାଳରେ ଭୟଙ୍କର ଶିକାରୀ ଜନ୍ତୁଙ୍କଠାରୁ ରକ୍ଷା କରିବାରେ ସାହାଯ୍ୟ କରୁଥିବ ବୋଲି ବୈଜ୍ଞାନିକ ଅନୁମାନ କରୁଛନ୍ତି ।

ରିଓ ନେଗ୍ରୋର ଦକ୍ଷିଣ ପ୍ରଦେଶରେ ଅବସ୍ଥିତ ପ୍ୟୁବ୍ଲୋ ବ୍ଲାନ୍‌ସୋ ପ୍ରାକୃତିକ ସଂରକ୍ଷଣରେ ବୈଜ୍ଞାନିକମାନେ ଡାଇନୋସର ଅବଶେଷ ଆବିଷ୍କାର କରିଛନ୍ତି । ଜୀବାଶ୍ମଗୁଡ଼ିକର ଭଣ୍ଡାର ଭାବେ ଏହି ସ୍ଥାନ ଖୁବ୍‌ ଜଣାଶୁଣା । ପାଟାଗୋନିଆ କ୍ଷେତ୍ରରେ ଅସଂଖ୍ୟ ଅବଶେଷ ମିଳିଛି । ତେଣୁ ସେଠାରେ ଦିନେ ବିବିଧ ପରିସଂସ୍ଥାନ ଗଢ଼ି ଉଠିଥିବାର ଏହି ଆବିଷ୍କାର ବହୁମୂଲ୍ୟ ପ୍ରମାଣ ଦିଏ । ଚାକିସରସ୍‌ ନେକୁଲ ଏକ ମଧ୍ୟମ-ଆକାରବିଶିଷ୍ଟ ଡାଇନୋସର ଥିଲା । ତା’ର ଲମ୍ବ ୨.୫ରୁ ୩ ମିଟର (୮ରୁ ୧୦ ଫୁଟ), ଉଚ୍ଚତା ୭୦ ସେଣ୍ଟିମିଟର (୨୭ ଇଞ୍ଚ) ଆକଳନ କରାଯାଇଛି । ବଙ୍କା ଲାଞ୍ଜ ତାକୁ ଅନ୍ୟ ଡାଇନୋସରଙ୍କଠୁ ଅଲଗା କରୁଥିଲା, ଯାହା ତାକୁ ଦ୍ରୁତ ବେଗ ଓ ଚପଳତା ପାଇଁ ଅନୁକୂଳିତ କରୁଥିଲା ବୋଲି ଜୀବାଶ୍ମବିଜ୍ଞାନୀଙ୍କ ଅନୁମାନ । ତଳ ଆଡ଼କୁ ବଙ୍କା ହୋଇ ରହୁଥିବା ଲାଞ୍ଜ ଡାଇନୋସରଙ୍କର ଅନନ୍ୟ ବୈଶିଷ୍ଟ୍ୟ, ଯାହା ସେମାନଙ୍କୁ ଦ୍ରୁତ ଦୌଡ଼ିବାରେ ଏବଂ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରୁଥିଲା ।

ସ୍ଥାନୀୟ ଅଞ୍ଚଳର ଜନଜାତି ଭାଷାରୁ ଚାକିସରସ୍‌ ନେକୁଲ ନାଁ ଆସିଛି । ଆଇନିକେନ୍‌ ଭାଷାରୁ ‘ଚାକି’ ଆସିଛି, ଯାହାର ଅର୍ଥ ‘ଓଲ୍‌ଡ ଗୁଆନାକୋ’ । ଉକ୍ତ ଅଞ୍ଚଳରେ ମିଳିଥିବା ମଧ୍ୟମ-ଆକାର ତୃଣଭୋଜୀ ସ୍ତନ୍ୟପାୟୀକୁ ଏହା ଦର୍ଶାଏ । ‘ନେକୁଲ’ ମାପୁଡୁନ୍‌ଗୁନ ଭାଷାରୁ ଆସିଛି, ଯାହାର ଅର୍ଥ ଦ୍ରୁତ । ଏହା ଡାଇନୋସର୍‌ର ବୈଶିଷ୍ଟ୍ୟକୁ ବର୍ଣ୍ଣନା କରେ । ଚାକିସରସ୍‌ର ଅଧ୍ୟୟନରୁ ଜଣାପଡ଼ିଛି, ଏହାର ହାତଗୋଡ଼ ଖୁବ୍‌ ଶକ୍ତିଶାଳୀ ଥିଲା, ଯାହା ତାକୁ ଏକ ଭଲ ଧାବକ ଭାବେ ସମର୍ଥନ କରୁଥିଲା । ବିଶାଳ ସଂଖ୍ୟକ ଶିକାରୀ ଜନ୍ତୁଙ୍କ ମଧ୍ୟରେ ଏମାନେ ବାସ କରୁଥିବାରୁ ଏହି ବୈଶିଷ୍ଟ୍ୟ ଏମାନଙ୍କ ବଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।

ବିଭିନ୍ନ କାରଣ ପାଇଁ ଚାକିସରସ୍‌ଙ୍କ ଆବିଷ୍କାର ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏଲାସ୍‌ମାରିଆନ୍‌ ଅର୍ନିଥୋପଡ୍‌ସ ସମୂହରେ ଏହି ନୂଆ ପ୍ରଜାତି ଯୋଡ଼ି ହୋଇଛି । ଏଲାସ୍‌ମାରିଆନ୍‌ ଅର୍ନିଥୋପଡ୍‌ସ ଏକ ଡାଇନୋସର ସମୂହ । ପକ୍ଷୀ ଭଳି ନିତମ୍ବ ଓ ଶାକାହାରୀ ଖାଦ୍ୟଶୈଳୀ ପାଇଁ ସେମାନେ ପରିଚିତ । କ୍ରିଟେସିଅସ୍‌ କାଳରେ ଦକ୍ଷିଣ ଆମେରିକାରେ ଡାଇନୋସର୍‌ଙ୍କ ବିଭିନ୍ନ ପ୍ରଜାତି ବିଚରଣ କରୁଥିବାର ପ୍ରମାଣ ମଧ୍ୟ ସଦ୍ୟ ଆବିଷ୍କାର ପ୍ରଦାନ କରିଛି । ନ୍ୟାସନାଲ ଜିଓଗ୍ରାଫିକ୍‌ ସୋସାଇଟିର ସମର୍ଥନରେ ଅଧ୍ୟୟନକର୍ତ୍ତା ୨୦୧୮ ମସିହାରେ ଏହି ଜୀବାଶ୍ମ ଆବିଷ୍କାର କରିଥିଲେ । କିନ୍ତୁ କ୍ରିଟେସିୟସ୍‌ ରିସର୍ଚ୍ଚ ପତ୍ରିକାରେ ଅଧ୍ୟୟନଟି ଏବେ ପ୍ରକାଶ ପାଇଛି । ଚାକିସରସ୍‌ ନେକୁଲକୁ ଏହି ଅଧ୍ୟୟନ ପ୍ରଥମ ଅର୍ନିଥିସ୍କିଆନ୍‌ ପ୍ରଜାତି ରୂପେ ଆବିଷ୍କାର କରିଛି, ଯାହା ଉକ୍ତ କ୍ଷେତ୍ରରେ ଡାଇନୋସରଙ୍କ ବିକାଶର ଇତିହାସକୁ ବୁଝିବାର ଗୁରୁତ୍ୱକୁ ଆଲୋକପାତ କରିଛି । କ୍ରିଟେସିଅସ୍‌ କାଳରେ ସମୃଦ୍ଧ ଜୈବବିବିଧତାକୁ ଏହି ଅଧ୍ୟୟନ ସ୍ପଷ୍ଟ ଇଙ୍ଗିତ କରିଛି । ଅସଂଖ୍ୟ ଶିକାରୀ ଜନ୍ତୁଙ୍କ ମଧ୍ୟରେ ତୃଣଭୋଜୀ ଡାଇନୋସର ବି ତିଷ୍ଠିଥିଲେ ବୋଲି ଏହା ଦର୍ଶାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.