ପୁଅକୁ ସାଙ୍ଗରେ ନେଇ ଅର୍ଜୁନଙ୍କ ସହ ମଲାଇକାଙ୍କ ଲଞ୍ଚ ଡେଟ୍

ମୁମ୍ବାଇ,୧୮।୨(ଏଜେନ୍ସି): ମଲାଇକା ଅରୋରା ଖାନ୍ ଓ ଅର୍ଜୁନ କପୁରଙ୍କୁ ଏବେ ଅଧିକାଂଶ ସମୟ ଡିନର ଡେଟରେ ଏକାଠି ଦେଖିବାକୁ ମିଳୁଛି। ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନରେ ଭାରି ଚର୍ଚା। ଏପରିକି ମଲାଇକାଙ୍କ ବନ୍ଧୁ କରନ୍ ଜୋହର ମଧ୍ୟ ଦୁହିଁଙ୍କ ସମ୍ପର୍କ ଇଶାରାରେ ଜଣାଇସାରିଛନ୍ତି। ରବିବାର ଅର୍ଜୁନ ଓ ମଲାଇକାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ କରି ଫେରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ମଲାଇକାଙ୍କ ସହ ତାଙ୍କ ପୁଅ ଅରହାନ ମଧ୍ୟ ଥିଲେ। ମଲାଇକା ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ, ନୀଳ ରଙ୍ଗର ଜିନ୍ସ ପିନ୍ଧିଥିଲେ। ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଅର୍ଜୁନ ରେଷ୍ଟୁରାଣ୍ଟରୁ ବାହାରିବା ମାତ୍ରେ ତାଙ୍କର କିଛି ପ୍ରଶଂସକ ସେଲଫି ନେବା ଆରମ୍ଭ କରିଦେଇଥିଲେ। ସେତେବେଳେ କିଛି ଫଟୋଗ୍ରାଫର ମଧ୍ୟ ତାଙ୍କର ଫଟୋ ଉଠାଇଥିଲେ।